ଗଜପତି: ନିଶା ବେପାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଜପତି ଜିଲ୍ଲା । ଅବକାରୀ ବିଭାଗ ଓ ପୋଲିସ ଆଖିରେ ଧୂଳି ଦେଇ ବର୍ଷ ବର୍ଷ ହେବ ଏଠାରେ ଚାଲିଛି ଗଞ୍ଜେଇ ଚାଷ ଓ ଚୋରା ଚାଲାଣ । ହଜାର ହଜାର ଏକର ଜଙ୍ଗଲ ଜମିରେ ହେଉଛି ଗଞ୍ଜେଇ ଚାଷ । ଏହାକୁ ବିକ୍ରି କରି ମାଲେମାଲ ଚାଷୀ ଓ ବେପାରୀ । ପୂର୍ବରୁ ମାଓ ଗଡ଼ କୁହାଯାଉଥିବା ଗଜପତିରେ କେଉଁଠି ଚାଲିଥିଲା ଚୋରା ଗଞ୍ଜେଇ ଚାଷ ଆସନ୍ତୁ ଜାଣିବା ।
ମାଓ ଗଡ଼ ଏବେ ଗଞ୍ଜେଇ ଗଡ଼ ?
ଦିନେ ମାଓ ଗଡ଼ ଭାବେ ପରିଚିତ ଥିଲା ଗଜପତି । ଏବେ ଏହି ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଚୋରା ଗଞ୍ଜେଇ ବ୍ୟବସାୟୀଙ୍କ ଭୂସ୍ବର୍ଗ ପାଲଟିଛି । ଜିଲ୍ଲାର ହଜାର ହଜାର ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହେଉଛି । ସ୍ଥାନୀୟ ଆଦିବାସୀଙ୍କୁ ହାତ କରି ଗଞ୍ଜେଇ ବ୍ୟବସାୟୀମାନେ ଏହି ଚାଷ କରାଇ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି । ବର୍ଷ ତମାମ କଷ୍ଟ କରି ଚାଷ କରୁଥିବା ଆଦିବାସୀମାନେ ସେମାନଙ୍କ ମଜୁରୀ ପାଇ ସନ୍ତୁଷ୍ଟ । ପ୍ରତିବର୍ଷ ଗଞ୍ଜେଇ ଅମଳ ସମୟରେ ଅର୍ଥାତ ନଭେମ୍ବରରୁ ଜାନୁଆରୀ ମାସ ମଧ୍ୟରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଏହାକୁ ନଷ୍ଟ କରିବା ପାଇଁ ପ୍ରୟାସ କରିଥାନ୍ତି ।
କେମିତି ରୋକି ହେବ ଗଞ୍ଜେଇ ଚାଷ ?
ଏହାକୁ ରୋକିବା ପାଇଁ ହେଲେ ଏହି ଚାଷ କରୁଥିବା ଆଦିବାସୀଙ୍କୁ ପ୍ରଥମେ ରୋଜଗାରକ୍ଷମ କରିବା ସହ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଅମଳ ସମୟରେ ଏହାକୁ ନଷ୍ଟ କରି ଚାଷ ଆରମ୍ଭ ସମୟରେ ଏହାକୁ କିଭଳି ନିୟନ୍ତ୍ରଣ କରିହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ବିଶେଷ କରି ଏହି ଚାଷ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଥିବା ଲୋକଙ୍କୁ ଗିରଫ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି ।
ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ପ୍ରତିବର୍ଷ ବେଆଇନ ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କରାଯାଉଥିଲେ ମଧ୍ୟ ଏହା ଥମିବାର ନା ଧରୁନି । ମାତ୍ର 10 ପ୍ରତିଶତ ଚାଷକୁ ନଷ୍ଟ କରାଯାଉଥିବା ବେଳେ 90 ପ୍ରତିଶତ ଜମିରୁ ଉତ୍ପାଦିତ ଗଞ୍ଜେଇ ଚାଲାଣ କରାଯାଉଥିବା ସୂଚନା ମିଳିଛି । ଯାହାକୁ ନେଇ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆହୁରି ଅଧିକ ଜମିର ଗଞ୍ଜେଇ କିଭଳି ନଷ୍ଟ କରି ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଗଞ୍ଜେଇର ଉପକାରିତା ଓ ଅପକାରିତା କଣ ?
ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରଫେସର ଡ.ରଞ୍ଜନ କୁମାର ପାଢ଼ୀ କହିଛନ୍ତି, ''ପ୍ରତ୍ୟେକ ଜିନିଷ ଭଳି ଗଞ୍ଜେଇର ମଧ୍ୟ ଉଭୟ ଉପକାରିତା ଓ ଅପକାରିତା ରହିଛି । ଗଞ୍ଜେଇ ଗଛରୁ ବାହାରୁଥିବା ଟ୍ରାନ୍ସ ହାଇଡ୍ରୋ କାନାବିନୋଲ ଦ୍ବାରା ଅନେକ ରୋଗରୁ ଉପଷମ ମିଳିଥାଏ । ଏହାକୁ ବ୍ୟବହାର କରି ପ୍ରସ୍ତୁତ ଔଷଧ ଆସ୍ଥାମା, କର୍କଟ ରୋଗୀଙ୍କ ପାଇଁ ବ୍ୟବହାର ହୋଇଥାଏ । ତେବେ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେବନ କରିବା ଆବଶ୍ୟକ । ହେଲେ ଏହାକୁ ଉପକାର ପାଇଁ ଯେତିକି ବ୍ୟବହାର କରାଯାଉଛି ତାଠାରୁ ଅଧିକ ମାତ୍ରାରେ ଅପକାରିତା ଦିଗରେ ବ୍ୟବହାର ହେଉଛି । ବିଶେଷ କରି ନିଶାଡ଼ିମାନେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି । ଏହାକୁ ଅଧିକ ମାତ୍ରାରେ ବ୍ୟବହାର କଲେ ଅପକାରରେ ପରିଣତ ହୋଇଥାଏ । ତେଣୁ ଏହକୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ବୋଲି କହିଛନ୍ତି । ''
ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି:
ପ୍ରଥମେ ମାଓବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଜିଲ୍ଲାର ମୋହନା, ଅଡ଼ବା ଏବଂ ଆର. ଉଦୟଗିରି ଥାନା ଅଞ୍ଚଳରେ ଏହି ଚାଷ ଆରମ୍ଭ ହୋଇଥିଲା । ମାଓବାଦୀମାନେ ନିଜର ପାଣ୍ଠି ପାଇଁ ଏହି ଚାଷ ଆରମ୍ଭ କରିଥିଲେ । ଏବେ ଏହି ଅଞ୍ଚଳ ମାଓବାଦୀମୁକ୍ତ ହୋଇ ସାରିଥିଲେ ମଧ୍ୟ ଏହି ଚାଷରୁ ଟଙ୍କା ମିଳିବାର ମଜା ପାଇସାରିଥିବା ଲୋକେ ଏବେ ବି ଏଥିରୁ ମୁକୁଳି ପାରିନାହାନ୍ତି । ଏହାକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଷକୁ ନଷ୍ଟ କରାଯିବା ସହ ବିଭିନ୍ନ ସମୟରେ ଚୋରା ଚାଲା ବେଳେ ଧରପଗଡ କରାଯାଉଛି । ନଭେମ୍ବର ମାସରୁ ଗଞ୍ଜେଇ ଚାଷ ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଇଥିବା ଅବକାରୀ ଅଧିକ୍ଷକ କହିଛନ୍ତି ।
1317 ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ:
ଏନେଇ ଗଜପତି ଏସପି ଜତିନ୍ଦ୍ର ନାଥ ପଣ୍ଡା କହିଛନ୍ତି ଯେ, '' ନଭେମ୍ବରରୁ ମୋହନା, ଅଡବା ଏବଂ ଆର.ଉଦୟଗିରିରେ ଗଞ୍ଜେଇ ନଷ୍ଟ ଆରମ୍ଭ ହୋଇଛି । 54ଟି ଅଞ୍ଚଳରେ ଚାଷକୁ ନଷ୍ଟ କରାଯାଇ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ସୁଦ୍ଧା 97ଟି ଏନଡିପିଏସ କେସ ରୁଜୁ ହୋଇସାରିଛି । 63ଟି ବିଭିନ୍ନ ପ୍ରକାର ଯାନବାହାନ ଜବତ କରିଛୁ । 58 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା 1317 ଏକର ଜମିରେ ହୋଇଥିବା ଚାଷକୁ ନଷ୍ଟ କରାଯାଇ 26 ଲକ୍ଷରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରିଛୁ । ଏସଂକ୍ରାନ୍ତରେ 43 ଟି ମାମଲା ରୁଜୁ କରାଯାଇଛି । ଏହା ବର୍ଷ ଶେଷକୁ 75ରୁ ଉର୍ଦ୍ଧ୍ବ ହୋଇଯିବା ଆଶା ରହିଛି ।"
ପାହାଡ଼ ଉପରେ ସୁିଇମିଂ ପୁଲ୍ :
ଗଜପତି ଏସପି ଆହୁରି ମଧ୍ୟ କହିଛନ୍ତି ଯେ "ଡ୍ରୋନ ମାଧ୍ୟମରେ ଗଞ୍ଜେଇ କେଉଁଠି ହେଉଛି ତାହା ମ୍ୟାପିଂ କରିଥିଲୁ, ପର୍ଯ୍ୟାୟ କ୍ରମେ ଗୋଟିଏ ପାର୍ଟି ଯେଉଁଥିରେ ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗର ଷ୍ଟାପ ରହୁଛନ୍ତି । ଗୋଟିଏ ଥାନା ଅଞ୍ଚଳରେ 5ରୁ 7 ଦିନି ତଢାଉ ଚାଲୁଛି । ପର୍ଯ୍ୟାୟ କ୍ରେମ 3ଟି ସ୍ଥାନରେ ଏପରି କରାଯାଇ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ଏହା ଜାରି ରହିବ । ପାହାଡ ଉପରେ ସୁଇମିଂ ପୁଲ କରି ପଥରର ପାଚେରୀ କରି ତା ଭିତରେ ପାଣି ରଖୁଛନ୍ତି । ମଟର ପମ୍ପ ଦ୍ବାରା ଗଞ୍ଜେଇ ଚାଷ ହେଉଥିବା ବିଲକୁ ସପ୍ଲାଇ କରୁଛନ୍ତି । ୟୁରିଆ ପରି ସାର ମଧ୍ୟ ରଖୁଛନ୍ତି । ''
ଇଟିଭି ଭାରତ, ଗଜପତି