ବ୍ରହ୍ମପୁର; ପ୍ରତେକଙ୍କ ଜୀବନରେ ଉଭୟ ସୁଖ ଓ ଦୁଃଖ ରହିଥାଏ । ସମୟ ସ୍ରୋତରେ କେବଳ ସୁଖରେ ହିଁ ହସଖୁସିରେ ଜୀବନ ଅତିବାହିତ କରି ଜୀବନରେ ଦୁଃଖ ସମୟ ଆସିବା ବେଳେ ଖରାପ ସମୟରେ ନିଜକୁ ଧର୍ଯ୍ୟହରା ନହୋଇ କିପରି ନିଜର ରହିଥିବା ସ୍ୱପ୍ନକୁ ସାକାର କରିବା ପାଇଁ ଜଣେ ବିଦ୍ୟାର୍ଥୀ ଉଦ୍ୟମ କରିବା ସହିତ ଆର୍ଥିକ ଅନଟନ ଓ ସଙ୍ଘର୍ଷରେ ପାଠପଢି ସମସ୍ତଙ୍କର ପ୍ରେରଣା ସାଜିଥିବା ଦେଖାଯାଇଛି । ଗଞ୍ଜାମର ବେଗୁନିଆପଡା ଅଞ୍ଚଳର ବିକାଶ ସାହୁ ପୂର୍ବରୁ ଗାଁ ଗାଁ ବୁଲ୍ଲି ଠେଲା ଗାଡ଼ିରେ ଜଳଖିଆ ବିକ୍ରି କରି ପରିବାର ପ୍ରତିପୋଷଣ କରି ପାଠପଢ଼ିବା ଜାରି ରଖିବା ସହିତ ବର୍ତ୍ତମାନ ନିଟରେ ସଫଳତା ପାଇବା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଡାକ୍ତରୀ ପାଠ ପଢିବାକୁ ସ୍ଥାନ ପାଇଛନ୍ତି । ଦେଖନ୍ତୁ ଇଟିଭି ଭାରତର ସ୍ୱତନ୍ତ୍ର ରିପୋର୍ଟ...
‘ସ୍ବପ୍ନ ଥିଲା ଡାକ୍ତର ହେବି’-
ପିଲାଟି ଦିନରୁ ହିଁ ଗ୍ରାମର ବିଦ୍ୟାଳୟରେ ପାଠ ପଢିବା ସମୟରେ କହି ବୁଲୁଥିଲା ବଡ ହେଲେ ମୁଁ ଡାକ୍ତର ହେବି । ରୋଗୀଙ୍କ ସେବା କରିବି । ହେଲେ ଡାକ୍ତରୀ ପଢ଼ିବା ପାଇଁ କଅଁଳ ବୟସରୁ ଯେଉଁ ସ୍ୱପ୍ନ ଦେଖିଥିଲେ ହଠାତ୍ ଜୀବନରେ ଆସିଯାଇଥିବା କଳାବାଦଲ । ସମସ୍ତଙ୍କୁ ପର କରି ଚାଲିଯାଇଥିଲେ ପରିବାରର ବାପା । ଘରର ବଡ ପୁଅ ହୋଇଥିବାରୁ ମୁଣ୍ଡ ଉପରେ ବଜ୍ର ପଡିବା ଭଳି ଲାଗିଥିଲା । ଆଉ ଶେଷରେ ଆରମ୍ଭ ହୋଇଯାଇଥିଲା ଦିନ ବେଳା ବିଦ୍ୟାଳୟକୁ ଯାଇ ବହି ବସ୍ତାନି ଧରି ପାଠପଢା ଏବଂ ସଂନ୍ଧ୍ୟା ହେଲେ ପରିବାର ପ୍ରତିପୋଷଣ ପାଇଁ ଗାଁ ଗାଁ ବୁଲ୍ଲି ଠେଲା ଗାଡ଼ି ଧରି ଜଳଖିଆ ବିକ୍ରି କରିବା । ଶୁଣିବାକୁ ଚଳଚିତ୍ରର କାହାଣୀ ଭଳି ଲାଗୁଥିବା ଏଭଳି ଘଟଣା ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ଅଞ୍ଚଳର । ବେଗୁନିଆପଡ଼ା ବ୍ଲକ୍ ସାନ ଭସ୍ତାପଡ଼ା ପଞ୍ଚାୟତର କେ.ରାଣୀପଡ଼ା ଗ୍ରାମର କୃତି ବିଦ୍ୟାର୍ଥୀ ବିକାଶ ସାହୁ ନିଜସ୍ୱ ଉଦ୍ୟମରେ ବର୍ତ୍ତମାନ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହିତ ବର୍ତ୍ତମାନ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ଡାକ୍ତରୀ ପଢ଼ିବା ପାଇଁ ଚୟନ ହୋଇଛନ୍ତି । "ପରିବାରର ଆର୍ଥିକ ଅନଟନ ଓ ସଂଙ୍ଘର୍ଷ ମଧ୍ୟରେ ବିକାଶଙ୍କ ଏଭଳି ସଫଳତା ଆଣିବା ପାଇଁ କିଛି ଶିକ୍ଷାବିତ୍ ଓ ବିପଦର ବନ୍ଧୁ ଅନୁଷ୍ଠାନ ସହଯୋଗ କରଥିଲେ," କହିଛନ୍ତି ବିକାଶ ।
ପ୍ରତିକୂଳ ପରିସ୍ଥିତିରେ ସଫଳତା ପାଇଁ ସଂଘର୍ଷ-
ପ୍ରତିକୂଳ ପରିସ୍ଥିତିରେ ଜଣେ ବିଦ୍ୟାର୍ଥୀ ନିଜର ସ୍ୱପ୍ନ କୁ ପୂରଣ କରିବାକୁ କେତେ ଯେ କଷ୍ଟ କରିବାକୁ ପଡେ ତାହାକୁ ନେଇ ବିକାଶ ସମସ୍ତଙ୍କ ପାଇଁ ପ୍ରେରଣା ଓ ଉଦାହରଣ ସାଜିଛନ୍ତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଏହା ପୂର୍ବରୁ ବିକାଶ ଜେଇ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଉରକେଲା ସ୍ଥିତ ଏନ୍ଆଇଟିରେ ୨୧୨ ଗ୍ୟାଙ୍କ ରଖି ପଢ଼ିବା ପାଇଁ କୃତକାର୍ଯ୍ୟ ହୋଇଥିଲେ। ବିକାଶଙ୍କୁ ଯେତେବେଳେ ୧୧ ବର୍ଷ ବୟସ ହୋଇଥିଲା ୨୦୧୭ ମସିହାରେ ହଠାତ୍ ସେ ଷଷ୍ଠ ଶ୍ରେଣୀ ପଢୁଥିଲେ ସେହି ସମୟରେ ବାପା ମୀନକେତନ ଆରପାରିକୁ ଚାଲିଯାଇଥିଲେ । ହେଲେ ସେ ଏହାକୁ ନେଇ ନଭାଙ୍ଗିପଡି କିପରି ପରିବାର ପ୍ରତିପୋଷଣ କରିବେ ଏବଂ ପାଠ ପଢିବେ ତାହାକୁ ନେଇ ଉଦ୍ୟମ କରି ୨୦୨୨ ମସିହାରେ ବେଗୁନିଆପଡ଼ା ଜାଗିଲିପଦର ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ୮୮.୬୬ ପ୍ରତିଶତ ମାର୍କ ରଖି ଉଦାହରଣ ପାଲଟିବା ସହିତ ପରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇରେ ୭୬ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଇଥିଲେ । ପରେ ବ୍ରହ୍ମପୁର ସ୍ଥିତ ଆର୍ଯ୍ୟଭଟ୍ଟ ଅନୁଷ୍ଠାନ ବିକାଶ କୁ ସାହାର୍ଯ୍ୟର ହାତ ବଢ଼ାଇ କୋଚିଙ୍ଗ୍ ଦେବା ପରେ ଏଭଳି ସଫଳତା ମିଳିଥିବା ନେଇ ସମସ୍ତେ ବେଶ ଖୁସି ।
ବିକାଶ ଦାସଙ୍କ ଏହି ସଫଳତାକୁ ନେଇ ସ୍ଥାନୀୟ ଗ୍ରାମାବାସୀ ପ୍ରଦ୍ୟୁମ୍ନ ସାହୁ କହିଛନ୍ତି, "ବହୁତ ଗରିବ ପିଲା ଟିଏ । ଆମେ ଦିଖିଛୁ ସିଏ ଗାଁ ଗାଁ ବୁଲି ସଂଧ୍ୟାରେ ବରା, ପକୋଡା ଏବଂ ସିଙ୍ଗଡା ବିକ୍ରି କରେ । ଭାଗବାନଙ୍କ ଆଶୀର୍ବାଦରୁ ସେ ଉତୀର୍ଣ୍ଣ ହୋଇଛି । ସେ ଯେଉଁ ପରିସ୍ଥିତିରେ ଉପରୁକୁ ଉଠିଛି ନିଶ୍ଚିତ ଉଦାହରଣ ।"
"ବିକାଶ ଆମ ଗାଁ ପିଲା । ସେ ପିଲା ବେଳୁ ଭଲ ପାଠ ପଢେ । ଆମେ ସେଥିପାଇଁ ଭଲ କୋଚିଂ ସେଣ୍ଟରେ ପଢାଇଥିଲୁ । ଗୌରି ସାର ତାକୁ ଫ୍ରି କୋଚିଂ ଦେଇଥିଲେ । ସେ ଆଗକୁ ଭଲ ପାଠ ପଢି ଡାକ୍ତର ହୋଇ ଭଲ ଲୋକଙ୍କ ପାଇଁ କାମ କରିବ ବୋଲି ଆଶା ଆଉ ବିଶ୍ବାସ ରହିଛି," ବୋଲି କହିଛନ୍ତି ସାନ ଭସ୍ତାପଡ଼ା ପଞ୍ଚାୟତ ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ ।
Inspiring to learn about Bikash Sahu from Beguniapada block of #Ganjam district who has beaten all odds to realise his dream of becoming first doctor from his village after completing his studies from a govt school. His remarkable grit and determination amidst financial and…
— Naveen Patnaik (@Naveen_Odisha) August 26, 2024
ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା-
ବିକାଶଙ୍କ ଏହି ସଫଳତା ନେଇ ଏକ୍ସ ହ୍ୟାଣ୍ଡେଲରେ ଶୁଭେଚ୍ଛା ଜଣାଇ ବିକାଶ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଛାତ୍ର ଜୀବନରେ ସଂଘର୍ଷର ଅନେକ କାହାଣୀ ମଧ୍ୟରେ ବିକାଶଙ୍କ ସଫଳତାର କାହାଣୀ ଯେତିକି ରୋଚକପୂର୍ଣ୍ଣ ତାଠାରୁ ଅଧିକ ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ