ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାତି ତଥା ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିଜୁ ପଟ୍ଟନାୟକଙ୍କ ବଡ଼ ପୁଅ ପ୍ରେମ୍ ପଟ୍ଟନାୟକଙ୍କ ଏକମାତ୍ର ସନ୍ତାନ, ଅରୁଣ ପଟ୍ଟନାୟକ ନେଦରଲ୍ୟାଣ୍ଡରେ ବିବାହ କରିଛନ୍ତି । ସାତଜନ୍ମ ପାଇଁ ବୈବାହିକ ଜୀବନ ଆରମ୍ଭ କରିଛନ୍ତି ଅରୁଣ । ନିଜ ଇନ୍ଷ୍ଟାଗ୍ରାମରେ ବିବାହ ବେଳର ଫୋଟୋ ସେୟାର କରିଛନ୍ତି ଅରୁଣ । ବିବାହ ସମୟରେ ବାପା ପ୍ରେମ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି । ନିକଟରେ ଅରୁଣ ଭୁବନେଶ୍ବର ଆସିଥିଲେ । ବିବାହ ପୂର୍ବରୁ ଦାଦା ନବୀନଙ୍କୁ ନିମନ୍ତ୍ରଣ ଦେବା ପାଇଁ ସେ ବୋଧହୁଏ ନବୀନ ନିବାସ ଆସିଥିଲେ
ଅରୁଣଙ୍କୁ ନେଇ ଏବେ ବିଭିନ୍ନ ଚର୍ଚ୍ଚ ଲାଗି ରହିଛି । ଓଡିଶାକୁ ଫେରି ଆଗକୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଅରୁଣ ବିଜୁ ଜନତା ଦଳର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି । ଯେହେତୁ ନବୀନ ଅବିବାହିତ, ତାଙ୍କର ପରବର୍ତ୍ତୀ ଦାୟାଦ ଭାବରେ ନବୀନ ନିବାସରେ ଅରୁଣ ରାଜନିତୀର ଇନିଂସ ଆରମ୍ଭ କରିପାରନ୍ତି ବୋଲି ବିଜେଡିରେ ମଧ୍ୟ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି । ୨୦୨୪ ସାଧାରଣ ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ଭୂମିକାକୁ ନେଇ ବିରୋଧୀ ସମେତ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ହେଲେ ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ନବୀନ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି । ତା' ପରଠୁ ଅରୁଣଙ୍କ କଥା ଉଠିଲା । ଅରୁଣ ଓଡିଶା ରାଜନିତୀରେ ପ୍ରବେଶ କରିବେ ବୋଲି ନବୀନଙ୍କ ଅନୁଗତ, ବିଜେଡି କର୍ମୀ ଓ ପ୍ରଶଂସକଙ୍କ ମଧ୍ୟରେ ଏକ ଆଶ୍ବସ୍ତିଭାବ ସୃଷ୍ଟି ହୋଇଛି ।
ସୂଚନା ଥାଉ କି, ବିଜୁ ପଟ୍ଟନାୟକଙ୍କ ଦୁଇ ପୁଅ ଏବଂ ଗୋଟିଏ ଝିଅ । ବଡ଼ ପୁଅ ପ୍ରେମ ପଟ୍ଟନାୟକ ଜଣେ ଶିଳ୍ପପତି, ସେ ନିଜ ପରିବାରକୁ ନେଇ ଦିଲ୍ଲୀରେ ରୁହନ୍ତି । ସାନ ପୁଅ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ନବୀନ ଏବେ ବିଜେଡି ଦଳର ସୁପ୍ରିମୋ । ବିଜୁ ପଟ୍ଟନାୟକଙ୍କର ଏକମାତ୍ର ଝିଅ ଗୀତା ମେହେଟ୍ଟା ଭାରତର ଜଣେ ଆଗ ଧାଡ଼ିର ଲେଖିକା, ଔପନ୍ୟାସିକ ଭାବେ ଦେଶ ବିଦେଶରେ ସୁପରିଚିତ । ଯଦିଓ ଗୀତା ଏବେ ନାହାଁନ୍ତି, ହେଲେ ଗୀତାଙ୍କ ହୃଦୟସ୍ପର୍ଶୀ ଲେଖା ତାଙ୍କୁ ସବୁଦିନ ପାଇଁ ସାହିତ୍ୟ ଜଗତରେ ଅମର କରି ରଖିବ ।
ଇଟିଭି ଭାରତ, ଭୁବନେଶ୍ବର