ଢେଙ୍କାନାଳ: କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ । ତାଙ୍କ ସହ ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ସରୋଜ ପଟ୍ଟନାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଉଭୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପାଇଁ ଦଳ ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଉଭୟ ନେତା ଦଳ ଛାଡ଼ିଥିବା ନେଇ ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି । ତେବେ ଦୁଇ ନେତା କେଉଁ ଦଳରେ ମିଶିବେ ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ରାଜ୍ୟ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । ନିର୍ବାଚନ ପୂର୍ବରୁ ହାତ ଖାଲି ହେଉଥିବା ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଆଜି (ସୋମବାର) ହାତ ଛାଡିଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ର କଂଗ୍ରେସ ସୁପ୍ରିମୋ ମଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି । ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟରେ ଅସନ୍ତୋଷ ଜାହିର କରି ସେ ଦଳ ଛାଡିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ଖାଲି ହେଉଛି ହାତମୁଠା ! କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ
ଢେଙ୍କାନାଳ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ନବୀନ ଦାସ 1995 ରୁ 2000 ପର୍ଯ୍ୟନ୍ତ କଂଗ୍ରେସ ଦଳରୁ ଢେଙ୍କାନାଳ ସଦର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହି ସମୟରେ ରାଜ୍ୟ ସରକାର ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ ଓ ପରେ ଗଣଶିକ୍ଷା ଗଣଶିକ୍ଷାର ମନ୍ତ୍ରୀ ଥିଲେ । ଢେଙ୍କାନାଳରେ ମଧ୍ୟ ତାଙ୍କ ଦବଦବା ବେଶ ରହିଥିଲା ।
ସେହିପରି ପୂର୍ବରୁ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିବା ସରୋଜ ପଟ୍ଟନାୟକଙ୍କୁ ଗତ କିଛିଦିନ ପୂର୍ବରୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ନୂଆ ଡିସିସି ସଭାପତି ଭାବେ ସୁନୀଲ ଦାଶଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାକୁ ନେଇ ସରୋଜ ପଟ୍ଟନାୟକ ଓ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଉଭୟ ନେତା ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ଉପରେ ଏହାର ପ୍ରଭାବ ପଡିବାର ବେଶ ସମ୍ଭାବନା ରହିଛି ।
ସେପଟେ ଦୁଇ ବରିଷ୍ଠ ନେତା ଦ ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବର୍ତ୍ତମାନର ଡିସିସି ସଭାପତି ସୁନୀଲ ଦାଶ । ସେ କହିଛନ୍ତି, "ନିର୍ବାଚନ ଆସିଲେ ଦଳ ପରିବର୍ତ୍ତନ ଏକ ସାଧାରଣ ପ୍ରକ୍ରିୟା । ଏହି ଇସ୍ତଫା ଢେଙ୍କାନାଳରେ କଂଗ୍ରେସ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ରାଜ୍ୟ ତଥା କେନ୍ଦ୍ରରେ କଂଗ୍ରେସର ବଳିଷ୍ଠ ନେତୃତ୍ବ ଦଳକୁ ଏକ ନୂତନ ସମ୍ଭାବନା ଆଡକୁ ଅଗ୍ରସର କରୁଛି ।" ଆଗକୁ ଦଳ କିପରି ଆହୁରି ସୁଦୃଢ଼ ହେବ, ସେଥିପାଇଁ ଆମେ ଜିଲ୍ଲାସ୍ତରରେ ଉଦ୍ୟମ କରୁଛୁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ନୂତନ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ଦାଶ ।
ଇଟିିଭି ଭାରତ, ଢେଙ୍କାନାଳ