ଭୁବନେଶ୍ୱର: ଇଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କୁ ଝୁରୁଛି ସାରା ଦେଶ । ଗଣମାଧ୍ୟମର ଏକ ଅତି ପରିଚିତ ଚେହେରା ତଥା ଇଟିଭିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ବିୟୋଗକୁ ଆଜି ୧୦ ଦିନ ହୋଇଛି । ଆଜିର ଦଶାହ ଦିବସରେ ଅବସରରେ ଶୁଦ୍ଧିକ୍ରିୟା ରୀତି କରାଯାଇଛି । ବିନ୍ଦୁସାଗରରେ ରାମୋଜୀ ରାଓଙ୍କ ଉଦ୍ଦେଶ୍ୟରେ ମୁଣ୍ଡନ କାର୍ଯ୍ୟକ୍ରମ ଓ ତିଳତର୍ପଣ କାର୍ଯ୍ୟକ୍ରମ କରାଯାଇଛି ।
ଗଣମାଧ୍ୟମ ଜଗତରେ ରାମୋଜୀ ରାଓ ଜଣେ ଅନନ୍ୟ ସ୍ରଷ୍ଟା ହୋଇଥିବା ବେଳେ ଆଜି ତାଙ୍କ ଦଶାହ ଦିବସ ଅବସରରେ ଓଡି଼ଶା ଗଣାମାଧ୍ୟମ ପରିବାର ପକ୍ଷରୁ ମୁଣ୍ଡନ କାର୍ଯ୍ୟକ୍ରମ ଓ ତିଳତର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି । ଭୁବନେଶ୍ୱରର ବିନ୍ଦୁ ସାଗର କୂଳରେ ଚୁଟି ଦାନ କରିବା ସହ ଶୁଦ୍ଧିକ୍ରିୟା କରିଛନ୍ତି ଇଟିଭିର ପୂରାତନ କର୍ମଚାରୀମାନେ । ଓଡି଼ଶା ଗଣମାଧ୍ୟମ ପରିବାର ବା ପୂର୍ବତନ ଇଟିଭିର କର୍ମଚାରୀ ପ୍ରଭାକର ଦଳେଇ ଓ ଦିନଭଞ୍ଜନ ପଣ୍ଡା ରାମୋଜୀ ରାଓଙ୍କ ପାଇଁ ତିଳତର୍ପଣ କରିଛନ୍ତି । ପ୍ରଭାକର ଦଳେଇ ତାଙ୍କ ସ୍ମୃତିରେ ନିଜର ମୁଣ୍ଡନ କରାଇଛନ୍ତି ।
ଗଣମାଧ୍ୟମ ପ୍ରତି ରାମୋଜୀ ରାଓଙ୍କ ଅବଦାନ ଚିରସ୍ମରଣୀୟ । ଦୂରଦର୍ଶନ ପରେ ବିଦ୍ୟୁତିକ ଗଣମାଧ୍ୟମର ଆରମ୍ଭ ରାମୋଜୀ ରାଓ ହିଁ କରିଥିଲେ । ଓଡିଶାକୁ ୨୪ ଘଣ୍ଟିଆ ନିଉଜ ସହ ମନୋରଞ୍ଜନ ଭେଟି ଦେଇଥିଲେ ରାଓ । ଏହାଦ୍ୱାରା ଅନେକ ଦୁର୍ଗମ ଅଂଚଳରେ ପହଞ୍ଚି ପାରିଥିଲା ଗଣମାଧ୍ୟମ । ଗଣମାଧ୍ୟମ ପାଇଁ ସେ ଭଗବାନଙ୍କର ଆଶୀର୍ବାଦ ସ୍ୱରୂପ ହୋଇ ଅନେକ କିଛି ଅବଦାନ ଦେଇଥିବା ବେଳେ ତାଙ୍କୁ ଆଜି ସାରା ଓଡିଶା ମନେପକାଉଛି । ତାଙ୍କରି ସ୍ମୃତିରେ ବିନ୍ଦୁ ସାଗର କୂଳରେ ଆଜି ମୁଣ୍ଡନ ସହ ତିଳତର୍ପଣ କରାଯାଇଥିବା ବେଳେ ତାଙ୍କର ସ୍ମୃତିଚାରଣ କରିଛନ୍ତି ଦୁଇ ପୂର୍ବତନ କର୍ମଚାରୀ ।
କେବଳ ଗଣମାଧ୍ୟମ ନୁହେଁ ଫିଲ୍ମ ଜଗତ ପ୍ରତି ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । ବିଶ୍ୱର ସର୍ବବୃହତ ଫିଲ୍ମ ସିଟି 'ରାମୋଜି ଫିଲ୍ମ ସିଟି'ର ପ୍ରତିଷ୍ଠାତା ହେଉଛନ୍ତି ରାଓ ସାର । ସର୍ବାଧିକ ପ୍ରସାରିତ ତେଲଗୁ ଖବରକାଗଜ ଏନାଡୁ, ବହୁଭାଷୀ ଟେଲିଭିଜନ ନେଟୱର୍କ ଇଟିଭି, ପୃଥିବୀର ସର୍ବବୃହତ୍ତ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମ ସିଟି ଏବଂ ବହୁଭାଷୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଭଳି ଅଗ୍ରଣୀ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ପଦ୍ମବିଭୂଷଣ ରାମୋଜୀ ରାଓ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁନ ୮ ତାରିଖ ଭୋର ସମୟରେ ଆଖି ବୁଜିଛନ୍ତି ରାମୋଜୀ ରାଓ । ତାଙ୍କ ମୃତ୍ୟୁରେ ଗଣମାଧ୍ୟମଠୁ ନେଇ ଫିଲ୍ମ ଜଗତ ସ୍ତବ୍ଧ ହୋଇଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର