ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା । ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ବନ୍ୟା ସ୍ଥିତି ନେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବନ୍ୟା ସ୍ଥିତି ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।
'ରାଜ୍ୟରେ ନାହିଁ ବନ୍ୟା ସ୍ଥିତି'
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି, "ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀ ଉପର ମୁଣ୍ଡରେ ଜଳସ୍ତର କମୁଥିବାରୁ ହୀରାକୁଦର 2ଟି ଗେଟ ବନ୍ଦ କରାଯାଇଛି । ହୀରାକୁଦରେ 1 ଲକ୍ଷ 70 ହଜାର କ୍ୟୁସେକ ଜଳ ଇନ ଫ୍ଲୋ ଥିବାବେଳେ 3 ଲକ୍ଷ 30 ହଜାର କ୍ୟୁସେକ ଜଳ ଆଉଟ ଫ୍ଲୋ ରହିଛି । ମୁଣ୍ଡଳିରେ ଗତକାଲି ପିକ ସମୟରେ 4 ଲକ୍ଷ 85 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଏବେ 4 ଲକ୍ଷ 35 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଲୋୟର ଇନ୍ଦ୍ରର 2ଟି ଗେଟ ଆଜି ଖୋଲିଛି ।"
'ପୁରୀ ଓ କେନ୍ଦ୍ରାପଡ଼ାରେ ବନ୍ୟା ଜଳ ଅତିକ୍ରମ କରିବ'
"ରାଜ୍ୟରେ ବନ୍ୟା କହିଲେ ମହାନଦୀକୁ ବୁଝାଏ । ବନ୍ୟା ଦୃଷ୍ଟିରୁ ବୈତରଣୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ବେସିନ ଗୁରୁତ୍ୱପୂର୍ଣ୍ଣ । ଋଷିକୂଲ୍ୟା ବେସିନରେ ବିଶେଷ ବନ୍ୟା ହୁଏନାହିଁ । ହୀରାକୁଦରେ 20 ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିଲା । ଗତକାଲି ରାତିରେ 2ଟି ଗେଟ ବନ୍ଦ ହୋଇଛି । ହୀରାକୁଦରେ ବର୍ତ୍ତମାନ ପାଖାପାଖି 1 ଲକ୍ଷ 70 ହଜାର କ୍ୟୁସେକ ଜଳ ଇନ ଫ୍ଲୋ ରହିଛି । 18ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଛି । ଆଉଟ ଫ୍ଲୋ 3 ଲକ୍ଷ 30 ହଜାର କ୍ୟୁସେକ ରହିଛି । ହୀରାକୁଦର ଜଳସ୍ତର 611.03 ମିଟର ରହିଛି । ମୁଣ୍ଡୁଳି ପାଖରେ ରାତି 12ରୁ ଆଜି ସକାଳ 5 ଯାଏଁ ଜଳସ୍ତର ପିକ୍ 4 ଲକ୍ଷ 85 ହଜାର କ୍ୟୁସେକ ରହିଥିଲା । ବର୍ତ୍ତମାନ ମହାନଦୀରେ 4 ଲକ୍ଷ 74 ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଆଜି ରାତିରେ ଏହି ବନ୍ୟା ଜଳ ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ପାସ କରିବ । ଜଳ ନଦୀ କୂଳ ଲଙ୍ଘିବ ନାହିଁ । କିନ୍ତୁ ଆମେ ପ୍ରସ୍ତୁତ ଅଛୁ" ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।
ଲୋୟର ଇନ୍ଦ୍ରରୁ ଖୋଲିଛି 2 ଗେଟ:
ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ନାହିଁ । ବିଭିନ୍ନ ବେସିନରେ ଅଳ୍ପ ପରିମାଣର ବର୍ଷା ହୋଇଛି । ରେଙ୍ଗାଲି ବେସିନରେ ବର୍ଷା ହେବ ବୋଲି ଆକଳନ ହୋଇଛି । ତେବେ ନୂଆପଡାର ଖଡିଆଳରେ ଥିବା ଲୋୟର ଇନ୍ଦ୍ର ଜଳ ଭଣ୍ଡାରର ଜଳସ୍ତର ବଢିଥିଲା । ଜଳଭଣ୍ଡାର 86 ପ୍ରତିଶତ ଭରିଛି । ତେଣୁ ଆଜି ପୂର୍ବାହ୍ନରେ 2ଟି ଗେଟ ଖୋଲିଛି । ଲୋୟର ଇନ୍ଦ୍ରରୁ ଛଡାଯାଇଥିବା ଜଳ ତେଲ ନଦୀ ଜରିଆରେ ମହାନଦୀରେ ମିଶିବ । ଏହାର ପ୍ରଭାବ ପଡିବ ନାହିଁ । ଜଳକା ନଦୀର ଜଳସ୍ତର ମଧ୍ୟ ଖସି ଖସିଥିବା ନେଇ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହା ବି ପଢନ୍ତୁ...ଚାଷୀଙ୍କ ପାଇଁ ବଡ ଖବର; ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ, ଏସବୁ ସ୍ଥାନରେ ପ୍ରବଳ ବର୍ଷିବ - Rainfall In Odisha
ହୀରାକୁଦ ଗେଟ ବନ୍ଦ ନେଇ ଆଜି ନିଷ୍ପତ୍ତି :
ସେ ଆହୁରି କହିଛନ୍ତି, "1 ତାରିଖ ସୁଦ୍ଧା ହୀରାକୁଦର ଜଳସ୍ତର 609 ମିଟର ହେବ । ହୀରାକୁଦର ଗେଟ ବନ୍ଦ ନେଇ ଆଜି ନିଷ୍ପତ୍ତି ନିଆଯିବ । ଉପର ମୁଣ୍ଡରେ ବର୍ଷା କିମ୍ବା ଜଳ ନାହିଁ । ଜଳ ଖସି ଖସିଆସିଲାଣି । ଉପରମୁଣ୍ଡରୁ ହୀରାକୁଦକୁ 1 ଲକ୍ଷ 10 ହଜାର କ୍ୟୁସେକ ଜଳ ଇନଫ୍ଲୋ ହେବ ବୋଲି ଆକଳନ ହୋଇଛି । ସେହି ଅନୁସାରେ ଆମର ଗେଟ ପରିଚାଳନା ହେବ ।"
4 ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା :
ରାଜ୍ୟରେ ବର୍ତ୍ତମାନ ମଧ୍ୟ 4 ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି । ସୁନ୍ଦରଗଡ, ଝାରସୁଗୁଡା, ଭଦ୍ରକ, ବାଲେଶ୍ଵରରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି । ସ୍ୱାଭାବିକରୁ ପ୍ରାୟ 40 ପ୍ରତିଶତ କମ ବର୍ଷା ହୋଇଛି । 16 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । 7 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, ଯାଜପୁର, ପୁରୀ, କେନ୍ଦ୍ରାପଡା ଓ କେନ୍ଦୁଝରରେ ଅଭାବୀ ବର୍ଷା ହୋଇଛି । 3 ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ମାଲକାନଗିରି, ନୂଆପଡା ଓ କୋରାପୁଟ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି ।
SOP ଅନୁଯାୟୀ ହେବ ଜଳଭଣ୍ଡାର ପରିଚାଳନା:
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସକ ସଚିବ ଓ ଉନ୍ନୟନ କମିଶନ ଆଲୋଚନା କରିଛନ୍ତି । ବିଭିନ୍ନ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି । ସ୍ୱତନ୍ତ୍ର ବୈଷୟିକ କମିଟିର ପରାମର୍ଶ ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ସ୍ତର ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଜଳଭଣ୍ଡାରଗୁଡ଼ିକରୁ ଜଳ ନିଷ୍କାସନ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଜଳ ଛଡ଼ାଯିବା ପୂର୍ବରୁ ସମସ୍ତ ଡ୍ୟାମ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଇ-ମେଲ କିମ୍ବା ହ୍ୱାଟସ ଆପ କିମ୍ବା ଫୋନ ଯୋଗେ ଅବଗତ କରିବେ । ଏସଓପି ପାଳନ ସହ ବନ୍ୟା ପରିସ୍ଥିତିରେ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର