ଭୁବନେଶ୍ବର: ଭୁବନେଶ୍ବରର ଜନତା ମଇଦାନରେ ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ 3 ଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ଆୟୋଜିତ ହେବ । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ବିକାଶର ପ୍ରତିଛବି ଚାଷୀ ଓ ଜନସାଧାରଣଙ୍କ ସମ୍ମୁଖରେ ତୋଳିଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସମାବେଶର ଆୟୋଜନ କରାଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶର ଆୟୋଜନ କରାଯାଉଥିବା ନେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।
କୃଷି ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ସମାବେଶର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମାବେଶରେ ବିଭିନ୍ନ ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷର ପ୍ରଦର୍ଶନୀ ମଣ୍ଡପ ଖୋଲାଯିବ । ଏହା ସହିତ ଉନ୍ନତ କିସମର ପ୍ରାଣୀ ସମ୍ପଦ ଓ ମତ୍ସ୍ୟଚାଷର ଲାଇଭ ଡେମୋନଷ୍ଟ୍ରେସନ, ବିଭିନ୍ନ ଯନ୍ତ୍ରପାତି ଓ ଉପକରଣର ପ୍ରଦର୍ଶନୀ, ଚାଷୀ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଲୋଚନାଚକ୍ର, ସଫଳ ଚାଷୀଙ୍କ ଅନୁଭୂତିର ଆଦାନପ୍ରଦାନ-ସଫଳ ପ୍ରାଣୀପାଳନ, ମତ୍ସ୍ୟଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସମ୍ବର୍ଦ୍ଧନା ସମେତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ତେବେ ସମାବେଶରେ ରାଜ୍ୟରୁ ପ୍ରାୟ ୬ ହଜାର ଚାଷୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗ ନେବେ । ପ୍ରତିଦିନ ଜିଲ୍ଲାରୁ ପ୍ରାୟ ୨ ହଜାର ଚାଷୀ ଏହି ସମାବେସରେ ଯୋଗଦେବେ । ସମାବେଶରେ ମିଶନ ଶକ୍ତି, ସମବାୟ, ନାବାର୍ଡ, ଜଳସଂପଦ ବିଭାଗ, ଓରମାସ, ଓଡ଼ିଶା ଜୀବିକା ମିଶନ, ପ୍ରାଣୀ ମଙ୍ଗଳ ଅନୁଷ୍ଠାନ, ମୃତ୍ତିକା ସଂରକ୍ଷଣ, କୃଷି ଓ ଉଦ୍ୟାନ କୃଷି ଆଦି ବିଭାଗର ମଧ୍ୟ ଷ୍ଟଲ ପ୍ରଦର୍ଶିତ ହେବ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସେଞ୍ଚୁରିଆନ, ସୋଆ, ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ସମେତ ବିଭିନ୍ନ କର୍ପୋରେଟ ସଂସ୍ଥା ପକ୍ଷରୁ ମଧ୍ୟ ଷ୍ଟଲ ଖୋଲା ହେବ ।
ଏହା ମଧ୍ୟ ପଢ଼ନ୍ତୁ.....ବୌଦ୍ଧରେ ମତ୍ସ୍ୟ ଓ ପଶୁସମ୍ପଦ ମେଳା ଉଦଯାପିତ
ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶର ଆୟୋଜନ ଦ୍ବାରା ରାଜ୍ୟର ଚାଷୀମାନେ ପ୍ରାଣୀପାଳନ ଓ ମତ୍ସ୍ୟଚାଷ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ଆଧୁନିକ ବୈଜ୍ଞାନିକ ପଦ୍ଧତି ସଂପର୍କରେ ସଚେତନ ହେବେ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି । ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜରାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର