କଟକ: ଜିଲ୍ଲା ସ୍ତରୀୟ ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ କରାଯାଇଛି । ଆସନ୍ତା ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି । ଜିଲ୍ଲାରେ ୧୧ ଲକ୍ଷ ୩୨ ହଜାର ୬୦୯ ଜଣଙ୍କୁ ଔଷଧ ସେବନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତାସହିତ ୧ ବର୍ଷରୁ ୧୯ ବର୍ଷର ପିଲାମାନଙ୍କୁ କୃମି ବଟିକା ଦିଆଯିବ । ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷରେ ଏହି କାର୍ଯ୍ୟକ୍ରମ କରାଯାଉଛି ।
ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରତିବର୍ଷ ଫାଇଲେରିଆ ନିରାକରଣ ଅଭିଯାନ କରାଯାଇଥାଏ । ଯେଉଁଥିରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଆଜି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ତରୀୟ ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ ମଧ୍ୟ କରାଯାଇଛି । ଜିଲ୍ଲାରେ ଚଳିତ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯାହାର ସୂଚନା କଟକ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି । ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାରେ ୧୧ ଲକ୍ଷ ୩୨ ହଜାର ୬୦୯ ଉପଭୋକ୍ତାଙ୍କୁ ଔଷଧ ସେବନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି । ଏଥିପାଇଁ ୪,୫୦୬ ଜଣ ଔଷଧ ପ୍ରଦାନକାରୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ୧ ବର୍ଷରୁ ୧୯ ବର୍ଷର ପିଲାମାନଙ୍କୁ କୃମି ବଟିକା ମଧ୍ୟ ଦିଆଯିବ ।
ଏହା ମଧ୍ୟ ପଢ଼ନ୍ତୁ.... ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ମୃତଦେହକୁ ରାସ୍ତାରେ ଛାଡ଼ି ପଳାଇଲା ମହାପ୍ରୟାଣ ଗାଡ଼ି
୧ ଲକ୍ଷ ୨୯ ହଜାର ୮ଶହ ୭୨ ଜଣ ପିଲା ମାନଙ୍କୁ ଦିଆଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି । ଏହି କ୍ଷେତ୍ରରେ ଜିଲ୍ଲାର ସମସ୍ତ ୨,୭୦୨ ସରକାରୀ ଓ ୫୨୦ ବେସରକାରୀ ବିଦ୍ୟାଳୟରେ ୩,୩୦୫ ଅଙ୍ଗନୱାଡ଼ି କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଦ୍ବାରା କୃମିନାଶକ ଔଷଧ ବିତରଣ କରାଯିବ । ଯେଉଁ ପିଲାମାନେ ୧୦ ତାରିଖରେ ଔଷଧ ନେଇନଥିବେ, ସେମାନଙ୍କୁ ୧୭ ତାରିଖ ଦିନ କୃମିନାଶକ ବଟିକା ଦିଆଯିବ । ୨ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଫାଇଲେରିଆ ଔଷଧ ଦିଆଯିବ । ବର୍ତ୍ତମାନ ସୁଦ୍ଧା କଟକ ଜିଲ୍ଲାରେ ୫,୧୨୧ ଜଣ ଫାଇଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ କଟକ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳରେ ଫାଇଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଶା କାମୁଡାରୁ ଏହି ରୋଗ ଦେଖାଯାଇଥାଏ । ଫାଇଲେରିଆ କୀଟାଣୁ ଶରୀରରେ ପ୍ରବେଶ କରିବା ପରେ ରୋଗର ଲକ୍ଷଣ ଦେଖାଯାଏ । ପ୍ରାଥମିକ ଅବସ୍ଥାରୁ ଔଷଧ ସେବନ କରାଗଲେ ରୋଗୀ ଭଲ ହୋଇଯାଏ ।
ଇଟିଭି ଭାରତ, କଟକ