ବାଲେଶ୍ୱର: ଜିଲ୍ଲା ଭୋଗରାଇରେ ବାବା ଚନ୍ଦନେଶ୍ୱରଙ୍କ ଚଡକ ଯାତ୍ରା ଏବେ ପ୍ରବଳ ଭକ୍ତଙ୍କ ସମାଗମରେ ଚାଲିଛି । ଚୈତ୍ର ମାସରେ ଏହି ପର୍ବ ହେଉଥିବାରୁ ଏହାକୁ ଚଡକ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ । ଏହି ପର୍ବରେ ବାବାଙ୍କ ସାନିଧ୍ୟ ଲାଭ କରିବା ପାଇଁ କେବଳ ବାଲେଶ୍ଵର ଜିଲ୍ଲା ନୁହେଁ ବରଂ ବାହାର ରାଜ୍ୟର ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି । ତେବେ କାହିଁକି ବାବା ଚନ୍ଦନେଶ୍ୱରଙ୍କ ଏହି ଚଡକ ମେଳା ହୁଏ, କେତେଦିନ ହୁଏ, କ'ଣ କ'ଣ ସବୁ କାର୍ଯ୍ୟକ୍ରମ ରହିଥାଏ ଆସନ୍ତୁ ଜାଣିବା । ତେବେ ଶହ ଶହ ବର୍ଷରୁ ଏଠାରେ ବିରାଜମାନ କରିଛନ୍ତି ଭକ୍ତବାଞ୍ଚା କଳ୍ପତରୁ ଆଶୁତୋଷ ବାବା-ଚନ୍ଦନେଶ୍ୱର । ଭୋଗରାଇ ଥାନା ଅଧିନ ହୁଗୁଳି ଗ୍ରାମରେ ବାବା ଚନ୍ଦନେଶ୍ୱରଙ୍କ ପୀଠ। ସାଗର ଉପକଣ୍ଠସ୍ଥ ଏହି ଅଞ୍ଚଳ ଏକଦା ଥିଲା ହୁଗୁଳା ଅରଣ୍ୟପୂର୍ଣ୍ଣ । ଆଉ ଅରଣ୍ୟ ମଧ୍ୟରେ ବୋହି ଯାଇଥିଲା କ୍ଷୁଦ୍ର ଏକ ଝରଣା ଚନ୍ଦନ ଧାରା ।ଏହି ଉଭୟ ନାମକୁ ଅଙ୍ଗୀକାର କରି ହୁଗୁଳି ଗ୍ରାମରେ ଲୀଳା ପ୍ରକାଶ କରିଛନ୍ତି ବାବା ଚନ୍ଦନେଶ୍ୱର ।
କିମ୍ବଦନ୍ତୀ ଅନୁସାରେ, ହୁଗୁଳା ଅରଣ୍ୟ ପଶ୍ଚିମସ୍ଥ ଏକ ଜନପଦ (ବର୍ତ୍ତମାନର ନାମ ତେଘରି)ଙ୍କ ଜୈନିକ ବଧୂ ଲକ୍ଷ୍ମୀ (ଲଛମା) ତତ୍ୱବଧାନରେ ଥିବା ଗାଈଟିଏ ହୁଗୁଳା ଅରଣ୍ୟରୁ ପ୍ରତିଦିନ ଫେରି ଆସେ କ୍ଷୀରଶୂନ୍ୟ ହୋଇ । ଏଥିପାଇଁ ଲଷ୍ମୀଙ୍କୁ ଗଞ୍ଜଣା ଶୁଣିବାକୁ ପଡୁଥିଲା । କାହିଁକି ଗାଈଟି ଏମିତି କ୍ଷୀର ଶୂନ୍ୟ ହୋଇ ଘରକୁ ଫେରୁଛି ଏକଥା ଜାଣିବା ପାଇଁ ଲକ୍ଷ୍ମୀ ମନସ୍ଥ କରିଥିଲା । ଦିନେ ଛପି ଛପି ଗାଈ ଅଟକିଥିବା ସ୍ଥାନରେ ସେ ପହଞ୍ଚିଥିଲା । ସେଠାରେ ଲକ୍ଷ୍ମୀ ଯାହା ଦେଖିଲା ତାହା ସେ ବିଶ୍ୱାସ ମଧ୍ୟ କରି ପାରି ନଥିଲା । ଗାଈର ଚିରରୁ ସ୍ଵତଃ ଝରିପଡୁଛି କ୍ଷୀର, ଆପ୍ୟାୟିତ ହେଉଛନ୍ତି ଆଶୁତୋଷ। ପୁନଶ୍ଚ ଦେବଜ୍ଞାନ ଅନୁଯାଇ ସ୍ୱପ୍ନାଦିଷ୍ଠ ହୋଇ ଅଗଣି ପଣ୍ଡା ନାମକ ଜୈନିକ ବ୍ରାହ୍ମଣ ଜନ୍ମସ୍ଥାନ ଯାଜପୁରରୁ ଆସି ଉପସ୍ଥିତ ହୁଅନ୍ତି ଚନ୍ଦନେଶ୍ୱରଙ୍କ ପୀଠରେ ଏବଂ ପୂଜାର ଦାଇତ୍ୱ ଗ୍ରହଣ କରନ୍ତି। କାଳକ୍ରମେ ବାବାଙ୍କ ନାମ ଚାରିଆଡେ ପ୍ରଚାରିତ ହୁଏ। କିମ୍ବଦନ୍ତୀର ସତ୍ୟତା ଗଭୀର ହେଉ କି ନ ହେଉ ଆଜି ଯାଏ ସେହି ଲକ୍ଷ୍ମୀ ବଂଶର ଜଣେ ମୁଖ୍ୟ ଭକ୍ତ (ପାଟଭକ୍ତ) ଭାବରେ ଏବଂ ଅଗଣି ପଣ୍ଡାଙ୍କ ବଂଶଧର ମାନେ ସେବାପୂଜାର ଦାଇତ୍ୱ ତୁଲାଇ ଆସୁଛନ୍ତି ।
ପୀଠରେ ହେଉଥିବା ପର୍ବପର୍ବାଣୀ:
ପର୍ବ ପର୍ବାଣିମାନଙ୍କର ଏହି ପୀଠରେ ଭକ୍ତ ଗହଳି ଭାବରେ ବୃଦ୍ଧି ଘଟିଥାଏ । ଚୂଡ଼ାକରଣ ଯୋଗରେ ବହୁ ଶିଶୁ ଲଣ୍ଡା ହୋଇ ଜଟାଧାରୀଙ୍କୁ ସନ୍ତୁଷ୍ଟ କରୁଥିବା ବେଳେ ଅକ୍ଷୟତୃତୀୟା , ଶ୍ରାବଣ ପୂର୍ଣ୍ଣିମା, ରାଶ ପୂର୍ଣ୍ଣିମା ଏବଂ ଶିବ ଚତୁର୍ଦ୍ଦଶୀ ଜାଗରରେ ବିଶେଷ ଆରାଧନାର ବ୍ୟବସ୍ଥା ହୋଇଥାଏ । ପୂଜାପାଠ ବ୍ୟତୀତ ବାବା ଚନ୍ଦନେଶ୍ୱରଙ୍କ ଠାରେ ଅଧିଆ ପଡ଼ି ମନସ୍କାମନା ପ୍ରାପ୍ତିର କାହିଁ କୋଉ କାଳରୁ ପ୍ରଚଳିତ ପ୍ରଥା ରହିଛି । କେବଳ ଓଡ଼ିଶା ନୁହେଁ ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତରପ୍ରଦେଶର ବିସ୍ତୃତ ଇଲାକାରେ ହଜାର ହଜାର ଭକ୍ତ ଧାଇଁ ଆସନ୍ତି ଚଡ଼କଯାତ୍ରା ଅବକାଶରେ ଉପବୀତ ଧାରଣ କରି ବ୍ରତାଚାରି ଭକ୍ତ ହେବାକୁ ଓ ରୋଗ ବ୍ୟାଧିରୁ ଅଧିଆ ପଡ଼ି ଆଶୁ ଆରୋଗ୍ୟ ଲାଭ କରିବାକୁ ଆସିଥାନ୍ତି ।
ଏହା ମଧ୍ୟ ପଢନ୍ତୁ... ବୌଦ୍ଧରେ ଜମୁଛି ଧୂଳି ଦଣ୍ଡ, ପଖାଳଖିଆ ଗୀତରେ କମ୍ପୁଛି ଗାଁ ଦାଣ୍ଡ - Danda Yatra
ଚଡକ ଯାତ୍ରା (ପାଟ ଉତ୍ସବ):
ଋତୁରାଜ ବସନ୍ତ ଶେଷ ହେବାକୁ ବସିଥିବା ବେଳେ ଚୈତ୍ରର ଆସି ପହଞ୍ଚି ଯାଇଥାଏ । ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚଡକ ଉତ୍ସବ ପାଇଁ ଆରମ୍ଭ ହୋଇଯାଇଥାଏ ପ୍ରସ୍ତୁତି । ପ୍ରଚଳିତ ଆଧ୍ୟାତ୍ମିକ ପ୍ରଥା ଅନୁଯାୟୀ ଅଧିବାସ ଓ ମହାଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଚନ୍ଦନେଶ୍ଵର ଚଡ଼କ ଉତ୍ସବର ମାଳୀ ପଡ଼େ ଚୈତ୍ରମାସର ତେର ଦିନରେ । ଏହାପରେ ମାସର ସତର ଦିନରେ ବନ୍ଧା ଭକ୍ତମାନେ (ପାଟଭକ୍ତ, ଦେଉଳିଆ, ଶ୍ରୀବେକଡୀ) ପ୍ରମୁଖ ପଇତା ଧାରଣ କରିଥାଆନ୍ତି ସେହିଦିନ ଶନିବାର ବା ମଙ୍ଗଳବାର ହୋଇଥିଲେ ଏକ ଅକଟା ବାଉଁଶ ଝାଡ଼ରୁ ବାଉଁଶଟିଏ ସଂଗ୍ରହ କରାଯାଏ । ଏହି ବାଉଁଶ ଧର୍ମଦଣ୍ଡ ବା ଧ୍ଵଜଦଣ୍ଡ ରୂପେ ବ୍ୟବହୃତ ହୁଏ । ଏହି ବାଉଁଶ ସହିତ ଗ୍ରାମ ବା ପଡ଼ାକୁ ପଡ଼ା ବୁଲି ଭକ୍ତମାନେ ଅଧିବାସୀଙ୍କ ମଙ୍ଗଳ ପୂଜା କରୁଥିବାରୁ ଗ୍ରାମୀଣ ଭାଷାରେ ଏହା ପଡ଼ା ବାଉଁଶ ବୋଲି କୁହାଯାଏ ।ଏହି ପର୍ବ ବା ଉତ୍ସବରେ ହୁଏ ପ୍ରବଳ ଭକ୍ତଙ୍କ ସମାଗମ ।
ପାଟ ଉତ୍ସବ ବା ଚଡକ ଯାତ୍ରାର ପାଞ୍ଚ ଦିନ ପୂର୍ବରୁ ପଶ୍ଚିମବଙ୍ଗ, ବିହାର, ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪/୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ଉପସ୍ଥିତ ହୋଇ ପଇତା ଧାରଣ କରି ବ୍ରତଚାରି ହୁଅନ୍ତି । ସେମାନେ ସମଗ୍ର ଦିବସ ପାଣି ଟୋପାଏ ସୁଦ୍ଧା ଗ୍ରହଣ ନ କରି ସନ୍ଧ୍ୟାରେ ଦେବ ଦେବ ମହାଦେବଙ୍କୁ ଅର୍ଘ୍ୟ ଦିଅନ୍ତି ଏବଂ ପରେ ଥରେ ମାତ୍ର ହବିଷାନ୍ନ ଆହାର କରିଥାନ୍ତି । ଏହାପରେ ଭକ୍ତ ମାନେ ଗ୍ରାମ ପରିକ୍ରମା, ଧ୍ୱଜପୁଜା ଇତ୍ୟାଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୁଏ କାମିନୀ ବିବାହ। କିମ୍ବଦନ୍ତୀ ଓ ପ୍ରଥା ଜଡ଼ିତ ଏହି ବିବାହ ସମ୍ପୂର୍ଣ୍ଣ ଓଡ଼ିଆ ଘରର ବିବାହ ରୀତିନୀତିରେ ହିଁ ହୋଇଥାଏ। ବର ଶଙ୍କର ଜୀଙ୍କୁ କନ୍ୟା ସଂପ୍ରଦାନ କରନ୍ତି ସ୍ଥାନୀୟ ମାଳାକାର ।ବିଭିନ୍ନ ଦେବତାଙ୍କ ଚିତ୍ର ଅଙ୍କିତ ବସ୍ତ୍ର ଆବୋରିତ, ଧ୍ୱଜଦଣ୍ଡ (ପୋଡ଼ା ବାଉଁଶ)ସେହିଦିନ ଶୋଭା ଯାତ୍ରାରେ ନେଇ ଆସନ୍ତି ମନ୍ଦିରକୁ ।
କାମିନୀ ବିବାହର କିମ୍ବଦନ୍ତୀ :
କାମିନୀ ନାମକ ଜୈନିକ ଅସୁରୁଣୀ ଭୋଳା ନାଥଙ୍କୁ ପତି ଭାବରେ ପାଇବାକୁ ତପସ୍ୟା କରି ବର ଲାଭ କରେ । ମାତ୍ର ଭୋଳାପଣ ଅପସରି ଗଲାପରେ ଶଙ୍କର ବୁଝି ପାରନ୍ତି । ଗଙ୍ଗା ଓ ପାର୍ବତୀ ଙ୍କ ଉପସ୍ଥିତି ବେଳେ ଅସୁରୁଣୀ କୁ ପତ୍ନୀ କରିବା ଅସମ୍ଭବ ହେଲେ ବର କ'ଣ ବ୍ୟର୍ଥ ହେବ । ଜୀଉଙ୍କ ଇଚ୍ଛା ଅନୁଯାୟୀ ସେ ଜନ୍ମ ହୁଏ ମାଳାକାର ପରିବାରରେ ଏବଂ ପତ୍ନୀ ଗଣ ମାନଙ୍କ ଅଗୋଚରରେ ସମୟାନ୍ତରେ ସେ ବିବାହ କରନ୍ତି କାମିନୀକୁ ଚୈତ୍ର ମାସରେ ସଚରାଚର ବିବାହ ହେଉ ନ ଥିବାରୁ ଭୋଳାନାଥ ପରିବାରର ସନ୍ଦେହକୁ ଅତିକ୍ରମ କରି ଯାଆନ୍ତି ତାଙ୍କ ବିଭୂତି ଜାତ ଭକ୍ତଗଣ ତତ୍କାଳୀନ ବର ଯାତ୍ରୀ ହୋଇଥିଲେ ।
ନୀଳପର୍ବ:
କାମିନୀ ବିବାହ ପରେ ଅନୁଷ୍ଠିତ ହୁଏ ନୀଳପର୍ବ।ଭକ୍ତ ତଥା ବ୍ରତଚାରି ମାନେ ପ୍ରାତରୁ ଆରମ୍ଭ କରିଥାନ୍ତି ମହାଦେବଙ୍କ ପୂଜାର୍ଚ୍ଚନା । ଅପରାହ୍ନରେ ମନ୍ଦିର ସଂଲଗ୍ନ ନୀଳ ପୋଖରୀରେ ଜଳକ୍ରୀଡ଼ା ସହିତ ଭକ୍ତମାନେ ଥମ୍ବୀ କାଠର ଅନୁସନ୍ଧାନ କରନ୍ତି। କୁହାଯାଏ କାଠଗୁଡିକ ଇଚ୍ଛାନୁଯାୟୀ ଭକ୍ତମାନଙ୍କୁ ଧରା ଦେଇଥାନ୍ତି । ଥମ୍ବୀକାଠଙ୍କୁ ମନ୍ଦିର ସମ୍ମୁଖକୁ ଉଠାଇ ଆଣି ପୂଜା କରାଯାଏ । ପୂର୍ବରୁ ଏହି କାଠଗୁଡ଼ିକ ସ୍ତମ୍ଭ ଓ ଚରକି ଭାବରେ ବ୍ୟବହୃତ ହୋଇଥିଲା । କେତେକ ଭକ୍ତ ହାତ ଓ ପିଠିରେ କଣ୍ଟା ଫୋଡ଼ି ଝୁଲିଯାଉଥିଲେ ସ୍ତମ୍ଭ ଉପରିସ୍ଥ ଚରକିରେ । ତାପରେ ଘୂରୁଥିଲା ଚରକି ଚକ୍ରାକାରରେ । ଦୁର୍ଘଟଣାଜନିତ କାରଣରୁ ଏହି ପ୍ରଥା ବନ୍ଦ କରାଯାଇ କାଠଗୁଡ଼ିକ ସସମ୍ମାନ ପୂଜା କରାଯାଉଛି । ସମ୍ଭବତଃ ଏହି ଚରକି ଶବ୍ଦକୁ ଅଥବା ଚଡକ ଗ୍ରୀଷ୍ମ ଆରମ୍ଭରେ ଅନୁଷ୍ଠିତ ହେଉଥିବା ମେଳାକୁ ଚଡକ ଯାତ୍ରା ବୋଲି କୁହାଯାଉଛି ।
ନୀଳ ପର୍ବ ନାମ କରଣ ସମ୍ପର୍କରେ ଦୁଇ ଭିନ୍ନ ମତ ପ୍ରକାଶ ପାଇଥାଏ । ପ୍ରଥମତଃ ସାଗର ମନ୍ଥନ କାଳରେ ନୀଳକଣ୍ଠଙ୍କ ବିଷ ପାନର ବିଶେଷତ୍ୱ ଦର୍ଶାଇବା ପାଇଁ ଏପରି ଏକ ନୀଳ ପର୍ବ ପ୍ରଚଳିତ ହୋଇଛି । ଦ୍ବିତୀୟତ୍ୱ ନୀଳ ଚାଷ ପାଇଁ ଅତ୍ୟାଚାରୀତ କୃଷକ ମାନେ ଆଶୁତୋଷଙ୍କ ଶରଣାପନ୍ନ ହୋଇ ଥିବାରୁ ଏହି ପର୍ବକୁ ନୀଳ ପର୍ବ ବୋଲି କୁହାଯାଉଥିବା ଶୁଣିବାକୁ ମିଳେ ।
ପାଟ ଉତ୍ସବ:
ନୀଳପର୍ବ ପର ଦିନ ତଥା ମହା ବିଷୁବ ସଂକ୍ରାନ୍ତି ପୂର୍ବ ଦିନ ପାଳିତ ହୁଏ ମୁଖ୍ୟ କୁହାଯାଉଥିବା ପାଟ ଉତ୍ସବ ବା ଚଡକ ଯାତ୍ରା । ବ୍ରତ ଧାରଣର ଶେଷ ଶ୍ରେଷ୍ଠ ଆଧ୍ୟାତ୍ମିକ ଅନୁଷ୍ଠାନ ସେହି ଦିନକୁ ପଇତା ଧାରଣ କରିଥିବା ବ୍ରତଚାରି ଭକ୍ତଙ୍କ ସହିତ ମିଳିତ ହୁଅନ୍ତି ହଜାର ହଜାର ତୀର୍ଥ ଯାତ୍ରୀ, ପର୍ଯ୍ୟଟକ, ବ୍ୟବସାୟୀ, ସ୍ବେଛାସେବୀ ଓ ଜିଲ୍ଲା ପ୍ରଶାସନର ତୁଙ୍ଗ କର୍ମକର୍ତ୍ତା ଗଣ ତଥା ଶାନ୍ତି ଶୃଙ୍ଖଳା ରକ୍ଷା କାରୀ ପୁଲିସ ବାହିନୀ । ଅନ୍ତିମ ଅର୍ଘ୍ୟ ଦାନ ପୂର୍ବରୁ ସମସ୍ତ ବ୍ରତଚାରି ଭକ୍ତ (ନାରୀ, ପୁରୁଷ, କିଶୋର)ଏକ କିଲୋମିଟର ଦୁରସ୍ଥ ହାକାଣ୍ଡ ପୋଖରୀ ଠାରେ ମାଳା ଚନ୍ଦନ ହୁଅନ୍ତି । ସେଠାରେ ଚନ୍ଦନେଶ୍ୱର ଙ୍କ ଚଳନ୍ତି ବିଗ୍ରହ ସ୍ଥାପିତ ଏବଂ ବିଗ୍ରହଙ୍କ ପ୍ରତୀକ ଭାବରେ ପାଟ ଉତ୍ସବ ଦିନ ସଜ୍ଜିତ ଘଟ ମନ୍ଦିରକୁ ଆସିଥାଏ । ବହୁ ଭକ୍ତ କୋଟି ଜିହ୍ଵାକୁ ଲୌହ ଶାଳକା ଵିଦ୍ଧ କରି ସେଠାରୁ ଭଜନ, କୀର୍ତ୍ତନ ଓ ନୃତ୍ୟ କରି ପଟୁଆରରେ ଆସି ମନ୍ଦିର ପରିକ୍ରମା କରନ୍ତି ।
ଦର୍ଶକଙ୍କ ଆନନ୍ଦ ଉଲ୍ଲାସ ଭକ୍ତ ମାନଙ୍କର ସଖ୍ୟ ଶୃଙ୍ଖଳ ବାବା ଚନ୍ଦନେଶ୍ୱରଙ୍କୁ ସ୍ମରଣ କରି ହରିବୋଲ ଧ୍ୱନି, କୋଳା କଳି, ବାଦ୍ୟ ନିନାଦ, ଧୂପ ଝୁଣାର ସୁଗନ୍ଧ, ଆତଷ ବାଜିର ଚମତ୍କାରିତା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥାଏ । ଭକ୍ତଙ୍କର ଶେଷ ଅର୍ଘ୍ୟ ଓ ଶକ୍ତି ସ୍ପର୍ଶ ସହିତ ଉଦଯାପିତ ହୁଏ ବ୍ରତ ଏବଂ ଚୈତ୍ର ଚଡକ ପର୍ବ । ଯଦିଓ ମେଳାର ବିପ୍ପଣୀ ଅବ୍ୟାହତ ରହେ ଅକ୍ଷୟ ତୃତୀୟା ଯାଏ । ଚଡକ ପର୍ବ ପରଦିନ ଭକ୍ତ ମାନେ ନିକଟସ୍ଥ ସମୁଦ୍ରରେ ପଇତା ବିସର୍ଜନ ଓ ପିତୃ ମାତୃ ତର୍ପଣ କରି ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିବା ସ୍ଥଳେ ସେବାୟତ ପୂଜକ ମାନେ ମନ୍ଦିରର ଆଧ୍ୟାତ୍ମିକରୀତିରେ ସମ୍ପନ୍ନ କରିଥାନ୍ତି । ମହାଦେବଙ୍କ ପାଇଁ କୌଣସି ପ୍ରକାର ଆମିଷ ଦ୍ରବ୍ୟର ବାରଣ ଥିବା ସ୍ଥଳେ ସେଦିନ ଗଣମାନଙ୍କ ସନ୍ତୋଷ ପାଇଁ ଯୋଡ଼ିଏ ଶେଉଳ ମାଛ ବଳି ଦିଆଯାଇଥାଏ ଏବଂ ବର୍ଷକର ସମସ୍ତ ବିଧି ବିଧାନ ସମାପ୍ତ ହୁଏ ।
ତେବେ ଚଳିତ ବର୍ଷ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚଡକ ମେଳା ପାଇଁ ପ୍ରାୟ 7 ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଗତ ୧ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିଛି ଏହି ଚଡ଼କ ଯାତ୍ରା । ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବାରେ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ୨୧ ପ୍ଲାଟୁନ ପୋଲିସ ଫୋର୍ସ, ସିସିଟିଭି ବ୍ୟବସ୍ତା କରାଯାଇଛି । ଚଡକ ପର୍ବ ଆରମ୍ଭ ରୁ ଏପର୍ଯ୍ୟନ୍ତ ୫ ଶହ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଚିକିତ୍ସା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।
ଇଟିଭି ଭାରତ, ବାଲେଶ୍ବର