ବ୍ରହ୍ମପୁର: ଭାରତର ପଡୋଶୀ ଦେଶ ବାଂଲାଦେଶ ବର୍ତ୍ତମାନ ଏକ ହିଂସା ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଛି । ସଂରକ୍ଷଣକୁ ନେଇ ବାଂଲାଦେଶରେ ଲାଗି ରହିଥିବା ଆନ୍ଦୋଳନ ଏବଂ ହିଂସା ପରେ ଏବେ ଲାଗି ରହିଥିବା ଅସ୍ଥିରତା ଏବଂ ଦେଶର ପ୍ରଧାନମନ୍ତ୍ରୀ ପଦରୁ ଶେଖ୍ ହସିନାଙ୍କ ଇସ୍ତଫା ଘଟଣା ପରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଛି । ବାଂଲାଦେଶର ବର୍ତ୍ତମାନର ଅସ୍ଥିରତା ପରିସ୍ଥିତିରେ କିଭଳି ରହିବ ଭାରତର ଆଭିମୁଖ୍ୟ ? ଏବଂ ଆଗାମୀ ଦିନରେ ବାଂଲାଦେଶ ସହିତ ଭାରତର କିଭଳି ରହିବ ସଂପର୍କ ? ସେନେଇ ବ୍ରହ୍ମପୁର ଗସ୍ତରେ ଆସିଥିବା ଭାରତ ସରକାରଙ୍କ ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସହିତ ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି ।
କିଭଳି ରହିବ ଭାରତର ଆଭିମୁଖ୍ୟ:
ବାଂଲାଦେଶ ହେଉଛି ଭାରତର ୨୫ତମ ବୃହତ୍ ବ୍ୟବସାୟିକ ସହଯୋଗୀ । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପାର ହୋଇ ଆସୁଥିବା ବେଳେ ବାଂଲାଦେଶ ଭାରତର ଅଷ୍ଟମ ବୃହତ୍ ରପ୍ତାନୀ ପାର୍ଟନର ଭାବରେ ବିବେଚନା କରାଯାଏ । ଏପରିକି ଭାରତୀୟ ଅଟୋମୋବାଇଲ୍ ରପ୍ତାନୀ ପାଇଁ ବାଂଲାଦେଶ ଏକ ପ୍ରମୁଖ ବଜାର ।ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ବାଂଲାଦେଶର ସ୍ଥିତି କିଭଳି ରହିଛି । ଏହି ଅସ୍ଥିରତାକୁ ନେଇ ଆମ ଦେଶର ସୁରକ୍ଷା ଦୃଷ୍ଟିରୁ କିଭଳି ରହିବ ପଦକ୍ଷେପ । ଆମ ଦେଶର ସରକାର ସରକାରଙ୍କ ପକ୍ଷରୁ ସେହି ପରିସ୍ଥିତିକୁ ଦୃଷ୍ଟିରେ ରଖି କ'ଣ ପଦକ୍ଷେପ ନିଆଯାଇଛି ଏବଂ ଆଗାମୀ ଭବିଷ୍ୟତରେ ଦେଶରେ ବାଂଲାଦେଶ ସହିତ କିଭଳି ସମ୍ପର୍କ ରହିବ ସେ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ।
ଇଟିଭି ଭାରତକୁ କଣ କହିଲେ ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା:
ଏନେଇ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି, ‘ଏବେବି ସେଠାରେ ସ୍ଥିତି ଜଟିଳ ରହିଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାଇବା ପରେ ସେନା ହାତକୁ ଯାଇଛି କ୍ଷମତା । ସେଠାରେ ଅନ୍ତରୀଣ ସରକାର ଗଠନ ହେବାକୁ ଯାଉଛି । ଭାରତ ଉପରେ କିପରି ପ୍ରଭାବ ପଡିବ । ସ୍ଥିତି ଉପରେ ଆମେ ନଜର ରଖିଛୁ । ବାଂଲାଦେଶ ଆମ ପଡୋଶୀ ଦେଶ । ସେଠାକାର ନାଗରିକଙ୍କ ସୁରକ୍ଷା ନିରାପତ୍ତା, ଶାନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆମେ ନଜର ରଖିଛୁ । ସେଠାରେ ଉପନ୍ନ ହୋଇଥିବା ପରିସ୍ଥିତି ଭାରତ ଉପରେ ଏତେଟା ପ୍ରଭାବ ପକାଇବ ନାହିଁ । ତଥାପି ଏହା ଉପରେ ଆମେ ନଜର ରଖିଛୁ । ଆମ ଦେଶରେ ଯେପରି କିଛି ପ୍ରଭାବ ନପଡେ ସେଥିପ୍ରତି ଆମେ ନଜର ରଖିଛୁ । ଏ ପ୍ରସଙ୍ଗରେ ଗତକାଲି ସଂସଦରେ ବିସ୍ତୃତ ଭାବେ ଅବଗତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଆଗକୁ ବାଂଲାଦେଶ ସହ ଆମର ଶାନ୍ତି ମୈତ୍ରତା ସମ୍ପର୍କ ରହିବ । ବାଂଲାଦେଶ ସହ ଆମର ବିଭିନ୍ନ କ୍ଷେତ୍ରରେ ଭଲ ସମ୍ପର୍କ ରହି ଆସିଛି । ଟ୍ରେଡ, ଅର୍ଥନୈତିକ ଅବା ଭାଷାଗତ, ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ, ସାଂସ୍କୃତିକ ସାମଞ୍ଜସ୍ୟ ରହିଆସିଛି । ପଡୋଶୀ ଦେଶ ଭାବରେ ଆଗକୁ କିପରି ଭଲ ସମ୍ପର୍କ ରହିବ ଆମେ ଯତ୍ନବାନ ରହିଛୁ ।
କାହିଁକି ଜଳୁଛି ବାଂଲାଦେଶ:
ସଂରକ୍ଷଣ ବିରୋଧି ଆନ୍ଦୋଳନକୁ ନେଇ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଆନ୍ଦୋଳନ ନିଆଁ ଏତେ ପ୍ରଖର ଥିଲା ଯେ, ଏଥିପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ୧୫ ବର୍ଷ ଶାସନର ଅନ୍ତ ଘଟିଛି । ଗତ ଜୁନ୍ ୫ ତାରିଖରୁ ଆରମ୍ଭ ହୋଇଥିବା ବାଂଲାଦେଶରେ ସ୍ୱାଧିନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପୂର୍ବରୁ ରହିଥିଲା । କିନ୍ତୁ ଏହାକୁ ଦେଶର ସାଧାରଣ ବର୍ଗର ଛାତ୍ର ଜୋରଦାର ବିରୋଧ କରିଥିଲେ । ଏପରିକି ପ୍ରବଳ ବିରୋଧ ମଧ୍ୟରେ ହସିନା ୨୦୧୮ରେ ଏହି କୋଟା ପଦ୍ଧତିକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେପଟେ ଗତ ୫ ଅଗଷ୍ଟେରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ୍ ହସିନା ଦେଶ ଛାଡି ପଳାଇବା ପରେ ଦେଶର ସେନା ମୁଖ୍ୟ ଜେନେରାଲ ୱାକର ଉଜ୍ ଜମାନ୍ ହସିନା ଦେଶବାସୀଙ୍କୁ ଉଦବୋଧନ ଦେଇ ଅନ୍ତରୀଣ ସରକାର ଗଠନ କରିବାକୁ ଘୋଷଣା କରିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର