କଟକ: ଆସନ୍ତା ଏପ୍ରିଲ୍ ୧୧ ତାରିଖରେ ଓଡ଼ିଶାରେ ପାଳନ ହେବ ଇଦ୍ ଉଲ୍ ଫିତର୍ । ଗତକାଲି (ମଙ୍ଗଳବାର) ଚାନ୍ଦ ଦେଖା ନ ଯିବାରୁ ଆଜି (ବୁଧବାର) ପାଳନ ହେବନାହିଁ ଇଦ । ଯାହାଫଳରେ ରମଜାନ ମାସର ୩୦ ଦିନ ଅର୍ଥାତ୍ ଏପ୍ରିଲ ୧୧ ତାରିଖ (ଗୁରୁବାର) ଦିନ ସାରା ଓଡ଼ିଶାରେ ମୁସଲମାନ ଭାଇଭଉଣୀମାନେ ଇଦ୍ ପାଳନ କରିବେ । ଅଞ୍ଜୁମନ ଇସଲାମିଆ ଅହେଲେ ସୁନ୍ନତ ଓ ଜମାତ୍ ଓଡ଼ିଶାର ଚାନ୍ଦ କମିଟି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି ।
ମଙ୍ଗଳବାର ଦିନ ଚାନ୍ଦ ନ ଦେଖାଯିବାରୁ ଇଦ୍ କେଉଁଦିନ ପାଳନ କରାଯିବ ସେନେଇ କଟକରେ ଇସଲାମିଆ ଅହେଲେ ସୁନ୍ନତ ଓ ଜମାତ୍ ଓଡ଼ିଶାର ଚାନ୍ଦ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟର ପ୍ରମୁଖ ମସଜିଦର ମୁଫତି, ମୌଲବୀ, କାଜି ଓ ଅଞ୍ଜୁମନ ଇସଲାମିଆର ସଦସ୍ୟମାନେ ଉପସ୍ଥିତ ରହି ଇଦ୍ ପାଳନ ନେଇ ଆଲୋଚନା କରିଥିଲେ । ଆଲୋଚନା ପରେ ଆସନ୍ତା ୧୧ ରେ ଇଦ୍ ଉଲ ଫିତର ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି ।
ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ଼ ପବିତ୍ର ପର୍ବ ହେଉଛି ଇଦ ଉଲ ଫିତର । ଭାଇଚାରାର ସହର କଟକରେ ଇଦ ପାଳନ ନେଇ ପ୍ରସ୍ତୁତି ଜୋରଦାର ରହିଛି । ଚଳଚଞ୍ଚଳ ହୋଇଉଠିଛି ସିଲଭର ସିଟି । ଜିଲ୍ଲାରେ ଥିବା ପ୍ରମୁଖ ମସଜିଦ ଯେପରି କଦମ ଏ ରସୁଲ, ଇଦଗା, ବଡି ମସଜିଦ, ଛୋଟୀ ମସଜିଦ, ପଲଟନ ମସଜିଦ, ଜାମା ମସଜିଦ ଆଦିରେ ପ୍ରସ୍ତୁତି ଶେଷ ହୋଇଛି ।
ପବିତ୍ର ରାମଜାନ ମାସ ତଥା ଇଦ ଦିନ କଟକ ସହରର ବିଭିନ୍ନ ମସଜିଦରେ ହଜାର ହଜାର ସଂଖ୍ୟାରେ ମୁସଲମାନ ଭାଇ ମାନେ ନମାଜ ପାଠ କରିବେ । ଏହି ଦିନରେ ମୁସଲମାନ ଭାଇମାନେ ପରିବାର ଆତ୍ମୀୟସ୍ୱଜନଙ୍କ ମଙ୍ଗଳ କାମନା କରିବା ସହିତ ସହରର ଭାଇଚାରା ପରମ୍ପରା ଯେପରି ଅତୁଟ ରହିବ ସେନେଇ ଦୁଆ କରିଥାନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଇଦ ପର୍ବ ପାଇ ଚାନ୍ଦ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାନ୍ଦ ଦର୍ଶନ ପରେ ଅନୁଷ୍ଠାନିକ ଭାବରେ ଆସନ୍ତା ଗୁରୁବାର ପର୍ବ ପାଳନ ନେଇ ଘୋଷଣା କରାଯାଇଛି। ତେବେ ଏହି ପର୍ବକୁ ଗୋଟିଏ ମାସ ଧରି ଚାହିଁ ରହିଥାନ୍ତି ମୁସଲିମ ଭାଇ ଓ ଭଉଣୀ । ଏକ ମାସ ଧରି ରୋଜା ରଖି ନିଷ୍ଠାର ସହ ଏହି ପର୍ବ ପାଳନ କରିଥାନ୍ତି ମୁସଲମାନ ଭାଇଭଉଣୀମାନେ ।
ଇଟିଭି ଭାରତ, କଟକ