ଭୁବନେଶ୍ବର: ଆରମ୍ଭ ହୋଇସାରିଛି ପାର୍ବଣର ମାହୋଲ । ଉତ୍ସବମୁଖର ହେଲାଣି ରାଜଧାନୀ । ପୂଜା ମାହୋଲରେ ଲୋକଙ୍କ ଭିଡ ଭିତରେ ଫାଇଦା ନେଇପାରନ୍ତି ଅପରାଧୀ । ଲୋକଙ୍କ ଭିଡ ଓ ବ୍ୟସ୍ତତାର ସୁଯୋଗ ନେଇ ସକ୍ରିୟ ହୋଇପାରନ୍ତି ଅପରାଧୀ ଗୋଷ୍ଠୀ । ଭିନ୍ନ ଭିନ୍ନ ଢ଼ଙ୍ଗରେ ଅପରାଧିକ କାର୍ଯ୍ୟକଳାପ ଘଟାଇବାକୁ କରିପାରନ୍ତି ଯୋଜନା । ଏପରି ସମୟରେ ସହରବାସୀଙ୍କ ପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ । ଏନେଇ ନୂଆ ଡିସିପି ପିନାକ ମିଶ୍ରଙ୍କ ପାଇଁ ଅପରାଧୀ ଗ୍ୟାଙ୍ଗଗୁଡ଼ିକ ଚ୍ୟାଲେଞ୍ଜ ହୋଇପାରନ୍ତି ।
ଜୋରଦାର ହେବ ପାଟ୍ରୋଲିଂ:
ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି,‘‘ଆମର ପାର୍ବଣ ପାଇଁ ସବୁ ବର୍ଷ ଭଳି ବିସ୍ତୃତ ବ୍ୟବସ୍ଥା କରଯାଇଛି । ନବରାତ୍ରି ପାଳନ ଆରମ୍ଭ ହୋଇଯାଇଛି, ତେଣୁ ଏନେଇ ଆମେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛୁ । ବିଭିନ୍ନ ସ୍ତରରେ ଆଲୋଚନା କରି ଅତିରିକ୍ତ ପାଟ୍ରୋଲିଂ ମଧ୍ୟ କରାଯିବ । ପୂଜା ପାଇଁ ଭିଡ଼ ମଧ୍ୟ ହେବ । ସହରକୁ ସୁରକ୍ଷିତ ରଖିବା ପାଇଁଁ ପଟ୍ରୋଲିଂ ସିଷ୍ଟମକୁ ଅଧିକ ଜୋରଦାର କରାଯିବ । ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟକ ଦିନ ଏନେଇ ସମୀକ୍ଷା କରାଯାଉଛି । ଆଗାମୀ ଦିନରେ ଧରପଗଡ ଜୋରଦାର ହେବ । କିଭଳି ସୁରୁଖୁରୁରେ ସହରରେ ପୂଜା ପାଳନ ହେବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରାଯିବ । ସେମାନେ କୋୖଣସି ଅଭ୍ୟାସଗତ ଅପରାଧୀ ହୋଇଥିଲେ କିମ୍ବା ଜାମିନ ସର୍ତ୍ତାବଳୀ ଉଲ୍ଲଂଘନ କରୁଥିଲେ, ତାଙ୍କ ଉପରେ କାର୍ଯାନୁଷ୍ଠାନ ନିଆଯିବ ।’’
- ନଜର ପକାନ୍ତୁ ପାର୍ବଣ ସମୟରେ ସକ୍ରିୟ ହେଉଥିବା ଅପରାଧୀ ଗୋଷ୍ଠୀଗୁଡିକ ସମ୍ପର୍କରେ...
୧. 'କାର କାଚ ଭଙ୍ଗା ଗ୍ୟାଙ୍ଗ'
ଅନେକ ସମୟରେ ସହରରେ ଦେଖାଯାଏ, ପୂଜା ସମୟରେ ଲୋକେ ରାସ୍ତାକଡରେ ବା ପାର୍କିଂ ପ୍ଲେସରେ କାର ପାର୍କିଂ କରିଥାନ୍ତି । ହେଲେ କିଛି ଦୁର୍ବୁତ୍ତ କାରର କାଚ ଭାଙ୍ଗି ଭିତରେ ଥିବା ଜିନିଷପତ୍ର ଚୋରି କରନ୍ତି । ପୂଜା ସମୟରେ ଭିଡର ସୁଯୋଗ ନେଇ ଏଭଳି ଅପରାଧୀ ସକ୍ରିୟ ହୋଇ ମାର୍କେଟିଂ ଜିନିଷ ହେଉ ବା ମୋବାଇଲ ଓ ଲ୍ୟାପଟପ୍ ଭଳି ଗ୍ୟାଜେଟ ମଧ୍ୟ ଚୋରି କରନ୍ତି । ତେଣୁ ସେଥି ପ୍ରତି ଧ୍ୟାନ ଦେବା ସହ ଗାଡିରେ କିଛି ଦାମି ଜିନିଷ ନରଖିବା ପୋଲିସ ପରାମର୍ଶ ଦେଇଛି ।
୨. 'ମୋ ବସ ଲୁଟେରା'
ପୂଜା ସମୟରେ ‘ମୋ ବସ’ରେ ମାତ୍ରାଧିକ ଭିଡ ହୋଇଥାଏ । ଏହାର ସୁଯୋଗ ନେଇ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ମୋବାଇଲ, ମନିପର୍ସ ଓ ଗହଣା ମଧ୍ୟ ଚୋରି କରନ୍ତି ଦୁର୍ବୃତ୍ତ । ଏପରିକି ବ୍ଲେଡରେ ପକେଟ କାଟି ପର୍ସ ବା ମୋବାଇଲ ଝାମ୍ପି ନେବାର ନଜିର ମଧ୍ୟ ରହିଛି । ତେଣୁ ଭିଡ଼ରେ ଯାତ୍ରା କରିବା ବେଳେ ନିଜ ଚାରିପାଖ ପ୍ରତି ସଜାଗ ରୁହନ୍ତୁ ।
୩. 'ନିଶା ଦିଆ ଲୁଟେରା ଗ୍ୟାଙ୍ଗ'
ବସ ଷ୍ଟାଣ୍ଡ ,ରେଳ ଷ୍ଟେସନ ଓ ସହରର ନିଛାଟିଆ ଏକାକି ସ୍ଥାନରେ ଭୁବନେଶ୍ୱର ବାହାରୁ ଆସୁଥିବା ବା ଭୁବନେଶ୍ୱରରୁ ବାହାରକୁ ଯାଉଥିବା ଯାତ୍ରୀଙ୍କ ଉପରେ ଏହି ବର୍ଗର ଅପରାଧୀ ବର୍ଗ ଟାର୍ଗେଟ କରିଥାଏ । ଏମାନେ ଲିଫ୍ଟ ଦେବା, ଟ୍ୟାକ୍ସି ବା ଅଟୋରେ ଭଡ଼ା ନେବା ବାହାନାରେ ଯାତ୍ରୀଙ୍କୁ ନିଜ ଜାଲରେ ଫସାନ୍ତି । ବାଟରେ ସମ୍ପର୍କ ବଢାଇ ଚକୋଲେଟ ବା ଚା’ କିମ୍ବା ଅନ୍ୟ ଖାଦ୍ୟ ଓ ପାନୀୟ ସାମଗ୍ରୀରେ ନିଶା ମିଶାଇ ବେହୋସ କରି ଲୁଟପାଟ୍ କରନ୍ତି । ଏଭଳି ନଜିର ପୁର୍ବରୁ ରହିଛି । ତେଣୁ ଅଚିହ୍ନା, ଅଜଣା ଲୋକଙ୍କ ଉପରେ ନଜର ରଖନ୍ତୁ । ସେମାନଙ୍କଠାରୁ ଦୂରତା ବଜାୟ ରଖନ୍ତୁ ।
୫. 'ସପିଂ ମଲ ଲୁଟେରା ଗ୍ୟାଙ୍ଗ'
ପୂଜା ଗହଳିରେ ଅନେକ ବ୍ୟବସାୟିକ ଦୋକାନ ଓ ସଂପି ମହଲରୁ ମଧ୍ୟ ଚୋରି ହୁଏ । ଗହଳି ଦେଖି ସଂପି ମଲରେ ପଶିଥାନ୍ତି ଏଭଳି ଲୁଟେରା । ଏପରିକି କେତେବେଳେ ପ୍ରାଇସ ଟ୍ୟାଗକୁ କାଟି ତ କେତେବେଳେ ଗହଳି କରି ପୋଷାକ ଓ ଅନ୍ୟ ସାମଗ୍ରୀ ଅଣ୍ଟିରେ ଲୁଚାଇ ଚୋରି କରିଥାନ୍ତି । ଗ୍ରୋସରୀଠୁ ଆରମ୍ଭ କରି ଶାଢ଼ୀ ଓ ଷ୍ଟେସନାରୀ ସାମଗ୍ରୀ ମଧ୍ୟ ଏମାନେ ଚୋରି କରନ୍ତି । ପୂର୍ବରୁ ମଧ୍ୟ ଏପରି ନଜିର ରାଜଧାନୀରେ ରହିଛି । ତେଣୁ ଏମାନଙ୍କ ଉପରେ ମଧ୍ୟ ନଜର ରଖିବା ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ସତର୍କ ରହିବା ଜରୁରୀ ।
୬. 'ଏଟିଏମ ଓ ସୁଡଙ୍ଗ ତଡ଼ା ଗ୍ୟାଙ୍ଗ'
ପୂଜା ସମୟରେ ବ୍ୟାପାର ଭଲ ଯୋଗୁଁ ଅନେକ ବ୍ୟାବସାୟିକ ଦୋକାନରେ କ୍ୟାସ ବା ନଗଦ ଟଙ୍କା ରହିଥାଏ । ଯାହାକୁ ଲୁଟ୍ ପାଇଁ ଅନେକ ସମୟରେ ସଟର ତାଡି ବା ଆଜବେଷ୍ଟସ୍ ଭାଙ୍ଗି ବା କାନ୍ଥକୁ ତାଡି ସୁଡ଼ଙ୍ଗ କରି ମଧ୍ୟ ଲୁଟ କରନ୍ତି ଅପରାଧୀ । ଅଧିକାଂଶ ଏଟିଏମ୍, ଗହଣା ଦୋକାନ ଓ ମେଡ଼ିସିନ ଷ୍ଟୋର ସମେତ ମୋବାଇଲ ଦୋକାନକୁ ସଫ୍ଟ ଟାର୍ଗେଟ କରନ୍ତି ଏଭଳି ଅପରଧୀଙ୍କ ଗୋଷ୍ଠୀ । ଏମାନଙ୍କ ଉପରେ ନଜର ରଖିବା ସହ ଏମାନଙ୍କ ଗତିବିଧି ପ୍ରତି ସତର୍କ ରହିବା ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ନିତ୍ୟାନ୍ତ ଜରୁରୀ ।
୭. 'ଗହଣା ସଫା ଆଳରେ ଲୁଟ ଗ୍ୟାଙ୍ଗ'
ଦେଖାଯାଏ ଦୁର୍ଗା ପୂଜା ଏବଂ ପର୍ବଣ ଋତୁରେ ମହିଳାମାନେ ନିଜ ଅଳଙ୍କାର ପିନ୍ଧି ଘର ବାହାରକୁ ଯିବା ପାଇଁ ଏହାକୁ ସଫା କରନ୍ତି । ଏହି ସୁଯୋଗର ନେଇ କିଛି ଅପରାଧୀ ଗହଣା ସଫା ଆଳରେ ଘର ଘର ବୁଲନ୍ତି । ମହିଳଙ୍କର ସୁନା ହେଉ ବା ରୂପା ଅଳଙ୍କାରର ସଫା କରିବା ବାହାନାରେ ଜିନିଷ ନେଇ ଛୁ ମାରନ୍ତି । କିଛି ସ୍ଥାନରେ ଏମାନେ ନକଲି ଜିନିଷ ଧରାଇଦେଇ ଅଳଙ୍କାର ଧରି ଫେରା ହୋଇଯାଆନ୍ତି ।
୮. 'ଛିନତାଇ ଗ୍ୟାଙ୍ଗ'
ପୂଜା ସମୟରେ ଲୋକଙ୍କ ଭିଡ଼ ଦେଖି ଏହି ସମୟରେ ସକ୍ରିୟ ହୁଅନ୍ତି ଛିନତାଇ ଗ୍ୟାଙ୍ଗ । ଏମାନେ ବିଶେଷ କରି ବାଇକ ଯୋଗେ ବୁଲନ୍ତି । ଏକୁଟିଆ ମହିଳା, ଯୁବତୀ ଓ ରାତିଅଧରେ ବୁଲୁଥିବା ବ୍ୟବସାୟୀ ବା ସାଧାରଣ ଲୋକଙ୍କୁ ଏମାନେ ଟାର୍ଗେଟ କରନ୍ତି । ମୋବାଇଲ, ପର୍ସ ଓ ଟଙ୍କା ଛଡାଇ ବା ସହ ଗହଣା ନେଇ ମଧ୍ୟ ଏମାନେ ଖସିଯାନ୍ତି । ଏନେଇ ଏମାନେ ମାସ୍କ ବା ହେଲମେଟ ବ୍ୟବହାର କରିବା ସହ ନିଜ ଗାଡ଼ିର ନମ୍ବର ଜଣାପଡ଼ିଯିବା ଭୟରେ ଏମାନେ ଗାଡି ନମ୍ବରକୁ କଳା ଟେପ ଲଗାଇ ମଧ୍ୟ ବୁଲି ବୁଲି ଅପରାଧ ଘଟାଇଥାନ୍ତି ।
୯. 'ପୋଲିସ ପରିଚୟ ଦେଇ ଲୁଟନ୍ତି'
ଏମାନେ ବିଶେଷ କରି ଅତି ଚାଲାକ ପରିଚୟରେ ଲୁଟନ୍ତି । ନିଜକୁ ପୋଲିସ ଅଧିକାରୀ ବା କର୍ମଚାରୀ ପରିଚୟ ଦେଇ ଲୁଟପାଟ କରନ୍ତି । ଏମାନେ ମର୍ଣ୍ଣିଂ ଓ୍ବାକ ସମୟରେ ରାସ୍ତାରେ ଲୋକଙ୍କୁ ସୁରକ୍ଷା ଯୋଗାଇବା ଆଳରେ ଗହଣା ନେଇ ଫେରାର ମାରନ୍ତି । ବଡ଼ବଡ଼ିଆ, ବୃଦ୍ଧା ଓ ମହିଳାମାନଙ୍କୁ ଏହି ବର୍ଗର ଅପରାଧୀ ଟାର୍ଗେଟ କରିବାର ନଜିର ରହିଛି ।
୧୦. 'ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ'
ଏବେ ସହରରେ ଏବେ ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ଏମାନେ ଘରର ଗ୍ରିଲ୍, ତାଲା ତାଡି ସୁନା ଅଳଙ୍କାର ଭଳି ଦାମୀ ଜିନିଷ ନେଇଛୁ ମାରନ୍ତି । ସେହିପରି କେବଳ ଆପାର୍ଟମେଣ୍ଟ ନୁହେଁ ସରକାରୀ କ୍ବାଟରକୁ ମଧ୍ୟ ଟାର୍ଗେଟ କରନ୍ତି । ଛୁଟିରେ ଘରେ କେହି ନଥିବାର ସୁଯୋଗ ଦେଖି ଲୁଟ କରନ୍ତି ଏହି ଗୋଷ୍ଠୀ । ଘରର ବାଲକୋନୀ ଡେଇଁ କିମ୍ବା ହଷ୍ଟେଲରେ କେହି ନଥିବାର ସୁଯୋଗ ଦେଖି ଏମାନେ ବିଲ୍ଚିଂରେ ପ୍ରବେଶ କରି ଲୁଟପାଟ କରନ୍ତି । କେହି ସାମ୍ନାକୁ ଆସିଲେ ମାରଣାସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଖସି ପଳାନ୍ତି । ନିକଟରେ ମୈତ୍ରୀ ବିହାର ଥାନା ଏରିଆରେ ଏପରି ଏକ ଅପରାଧ ସାମ୍ନାକୁ ଆସିଥିଲେ । ଲୁଟପାଟ ପାଇଁ ଏକ ଆପାର୍ଟମେଣ୍ଟରେ ପ୍ରବେଶ କରି ଦୁର୍ବୃତ୍ତମାନେ ପ୍ରବେଶ କରି ଏକାଥିବା ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର