ସମ୍ବଲପୁର: ପଶ୍ଚିମ ଓଡିଶା ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁର । ଏହି ସହରରେ ମା' ସମଲେଶ୍ୱରୀ, ମା' ପାଟଣେଶ୍ୱରୀ, ମା' ଘଣ୍ଟେଶ୍ୱରୀଙ୍କ ମନ୍ଦିର ପରି ଅନେକ ଶକ୍ତିପୀଠ ରହିଛି । ଏଠାରେ ଶାରଦୀୟ ଦୁର୍ଗାପୂଜା ବହୁ ଜାକଜମକରେ ଅନୁଷ୍ଠିତ ହୋଇଆସୁଛି । ଏଠାରେ ବଙ୍ଗାଳୀ ଭାଷାଭାଷୀ ଲୋକେ ମଧ୍ୟ ବହୁ ସଂଖ୍ୟାରେ ରହୁଛନ୍ତି । ପ୍ରତ୍ୟେକ ବର୍ଷ ଏଠାରେ ଥିବା କାଳୀ ବାଡ଼ିରେ ବହୁତ ନିଷ୍ଠାର ସହ ଶାରଦୀୟ ଦୁର୍ଗାପୂଜା ହୋଇଆସୁଛି । ଚଳିତ ବର୍ଷ ଏହି ପୂଜା 106 ବର୍ଷରେ ପଦାର୍ପଣ କରିଛି ।
କାଳୀବାଡ଼ି ଦୁର୍ଗାପୂଜାର ବିଶେଷତ୍ବ:
ସମ୍ବଲପୁର କାଳୀ ବାଡ଼ି ଦୁର୍ଗାପୂଜାର କେତେକ ବିଶେଷତ୍ୱ ରହିଛି ଯାହା ଏହି ପୂଜାକୁ ଭିନ୍ନ କରିଥାଏ । ଏଠାରେ ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ପୂଜା ହେଉଥିବାବେଳେ କୋଲକାତାରୁ ପୂଜକ ଆସନ୍ତି। ଏହାସହ ମା'ଙ୍କ ଅନ୍ନଭୋଗ ରୋଷେଇ ପାଇଁ ଜଣେ ବ୍ରାହ୍ମଣ ମଧ୍ୟ କୋଲକାତାରୁ ଆସନ୍ତି । ମା'ଙ୍କ ପୂଜା ସମୟରେ ଯେଉଁ ଧୁନୁଚି ନୃତ୍ୟ ହୋଇଥାଏ ସେଥିପାଇଁ ପଶ୍ଚିମ ବଙ୍ଗରୁ ପ୍ରତ୍ୟେକ ବର୍ଷ 'ଢାଙ୍କ ବାଜା' ବାଦକ ଆସିଥାନ୍ତି । ଏହାସହ ପୂଜାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଏଠାରେ ମା'ଙ୍କୁ ବିସର୍ଜନ କରିବା ପାଇଁ ଶ୍ରଦ୍ଧାଳୁମାନେ ମା'ଙ୍କୁ କୌଣସି ଗାଡିରେ ନିଅନ୍ତି ନାହିଁ, ନିଜ କାନ୍ଧରେ ପାଲିଙ୍କିରେ ବସେଇ ନିଆଯାଇଥାଏ । ଏଠାରେ ଦୀର୍ଘ 18 ବର୍ଷରୁ ତାପସ ମିଶ୍ର ନାମକ ଜଣେ କୋଲକାତାର ପୂଜକ ପୂଜା କରିଆସୁଛନ୍ତି । କିନ୍ତୁ ସେ ଏବେ ସମ୍ବଲପୁରର ବାସିନ୍ଦା ହୋଇଯାଇଛନ୍ତି । ଶାରଦୀୟ ଦୁର୍ଗାପୂଜା ସମୟରେ ସେ କୋଲକାତାରୁ ଆଉଜଣେ ପୂଜକଙ୍କୁ ନିମନ୍ତ୍ରଣ କରନ୍ତି ବୋଲି କହିଛନ୍ତି । ପୂଜକ ତାପସ ମିଶ୍ର କହିଛନ୍ତି, "ଆମର ପୂଜା କାଳୀକା ପୁରାଣ ହିସାବରେ ହୁଏ । ଦେବୀ ପୁରାଣ, ନନ୍ଦୀକେଶ ପୁରାଣ ଏବଂ କାଳୀକା ପୁରାଣ ଭଳି ରହିଛି । କାଳୀକା ପୁରାଣ ହିସାବରେ 106 ବର୍ଷ ଧରିକି ଏହି ପୂଜା ହୋଇଆସୁଛି ।"
ସିନ୍ଦୁର ଖେଳ ପରମ୍ପରା:
କାଳୀବାଡ଼ି ଦୁର୍ଗାପୂଜାର ଇତିହାସ:
କାଳୀବାଡ଼ି ଦୁର୍ଗାପୂଜାର ଇତିହାସ ମଧ୍ୟ ଅତି ରୋଚକ । ଏଠାରେ ରହୁଥିବା ବଙ୍ଗୀୟ ଲୋକଙ୍କ କହିବା ଅନୁଯାୟୀ, ଦେଶରେ ବ୍ରିଟିଶ ଶାସନ ଚାଲୁଥିଲା ସେତେବେଳେ 1850 ପରେ ପରେ ସମ୍ବଲପୁରକୁ ବଙ୍ଗାଳୀ ଲୋକଙ୍କ ଆଗମନ ହୋଇଥିଲା । ମୁଖ୍ୟତଃ ଆଇନଜୀବୀ, ଠିକାଦାରମାନେ ସମ୍ବଲପୁର ଆସିଥିଲେ ଓ ଏଠାରେ ବସତି କରି ରହିବା ସହ ସ୍କୁଲ, ପାର୍କ, କ୍ଳବ ଆଦି ନିର୍ମାଣ କରିଥିଲେ। ସମ୍ବଲପୁର କ୍ଳବ, ସେନ ପାର୍କ, ଏହାର ଉଦାହରଣ ଅଟେ । ଏନେଇ କାଳୀ ବାଡ଼ି ପୂଜା କମିଟି ସଦସ୍ୟ ଜୟବ୍ରତ ଦେ କହିଛନ୍ତି, "ବଙ୍ଗୀୟମାନେ ମୁଖ୍ୟତଃ କଳା ସଂସ୍କୃତି ପ୍ରେମୀ ଏବଂ ମା' କାଳୀ ଓ ଦୁର୍ଗାଙ୍କର ଭକ୍ତ । ସେଥିପାଇଁ ଏଠାରେ କାଳୀ ବାଡ଼ିରେ ଗୋଟିଏ ଡ୍ରାମା କରିଥିଲେ । ଡ୍ରାମାରେ ଯେଉଁ ଟିକେଟ ବିକ୍ରୟ ହୋଇଥିଲା, ସେହି ଟିକେଟ ବିକ୍ରୟର 31 ଟଙ୍କାରେ ଏହି ଜମିକୁ କିଣିଥିଲେ । ରାୟ ବାହାଦୁର ଯୋଗେନ୍ଦ୍ର ନାଥ ସେନ ନେତୃତ୍ୱରେ ସେ ସମୟରେ ଏହି ଜମି କିଣାଗଲା। 1916 ମସିହାରେ ପ୍ରଥମ ଥର କାଳୀ ପୂଜା ହୋଇଥିଲା। ଏହା ପରେ 1918 ମସିହାରେ ଆରମ୍ଭ ହେଲା ଦୁର୍ଗା ପୂଜା ଏବଂ ତାପରେ ଏହି ଦୁର୍ଗା ପୂଜା କ୍ରମଶଃ ଚାଲିଛି। ଆଉ 1918ରୁ ଆଜି ପର୍ଯ୍ୟନ୍ତ ଏ ହେଉଛି 106 ତମ ଦୁର୍ଗାପୂଜା ଉତ୍ସବ। "