ଭୁବନେଶ୍ବର: ରାଜଧାନୀର ଓମଫେଡ ଛକରେ କିଲର କାରର କାରନାମା । ଟ୍ରାଫିକ ଚେକିଂ ବେଳେ ପୋଲିସ ଉପରକୁ ଚଢାଇ ଦେଲା କାର । ମଦ୍ୟପ ଡ୍ରାଇଭରର କାରନାମା ନେଇ ଛକରେ ହଙ୍ଗାମା । ଗତକାଲି ବିଳମ୍ବିତ ରାତ୍ରିରେ ଏହିଭଳି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ସେହି ସ୍କର୍ପିଓକୁ ଜବତ କରିବା ସହିତ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖିଥିବା ନେଇ ସୂଚନା ମିଳିଛି ।
ପୋଲିସର ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତର ରାତ୍ରିରେ ଓମଫେଡ ଛକରେ ଚାଲିଥିଲା ନାଇଟ ବ୍ଲକିଂ ଓ ଚେକିଂ । ଆଉ ସେହି ସମୟରେ ଏକ ସ୍କର୍ପିଓ କାର ଯାହାର ନମ୍ବର OD02CH8351ପଟିଆ ପଟୁ ନାଲକୋ ଛକ ଆଡ଼କୁ ଆସୁଥିଲା। ସେତେବେଳେ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ। ହେଲେ ପୋଲିସକୁ ଦେଖି ଅଟକିବା ତ ଦୁରର କଥା ଓଲଟି ପୋଲିସ ବ୍ୟାରିକେଡକୁ ଦୃତ ଗତିରେ ଧକ୍କା ଦେଇ ଚେକିଂ କରୁଥିବା ପୋଲିସ ଉପରକୁ ଗାଡ଼ି ଚଢାଇ ଦେଇଥିଲା ଚାଳକ । ଏନେଇ ଛକ ଉପରେ ଲାଗିଥିବା ବ୍ୟାରିକେଡ଼ ଛିନଛତ୍ର ହୋଇ ପଡ଼ିବା ସହ ଚେକିଂ କରୁଥିବା ପୋଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପରେ ଗାଡ଼ିକୁ ପୋଲିସ ଅଟକାଇ ଥିଲା । ଗାଡ଼ିର ଡ୍ରାଇଭର ସୋମନାଥ ବେହେରା ସହ ଗାଡିକୁ ଅଟକ ରଖିଛି ପୋଲିସ । ଏନେଇ ଟ୍ରାଫିକ ଥାନା-2 ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ... ଦୁଇ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା; ଦୁଇ ମୃତ, 60 ଆହତ - Road Accident
ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଡ୍ରାଇଭରର ଡ୍ରାଇଭିଂ ଲାଇସେନ୍ସ ସହ ଗାଡିର କାଗଜପତ୍ର ଯାଞ୍ଚ କରିଛି । ଏଥି ସହ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି । କିଭଳି ଓ କେଉଁ ପରିସ୍ଥିତିରେ ସେ ଏପରି ଘଟଣା ଘଟାଇଲା ସେନେଇ ପୋଲିସ ପଚରାଉଚରା କରୁଛି । ପୋଲିସ ପକ୍ଷରୁ କରାଯାଇଥିବା ଅଭିଯୋଗରେ ସର୍ବସାଧାରଣରେ ଆତଙ୍କ ମଚାଇବା, ଅନ ଡ୍ୟୁଟି ପୋଲିସ ଅଫିସରଙ୍କୁ ଡ୍ୟୁଟି ବେଳେ ବାଧାଦେବା, ସେମାନଙ୍କୁ ଗାଡି ଚଢାଇ ମାରିବା ପାଇଁ ଉଦ୍ୟମ କରିବା ଆଦି ସଙ୍ଗୀନ ଅପରାଧରେ କେସ ଫାଇଲ କରାଯାଇଛି । ସେପଟେ ସିନିୟର ଅଫିସର କହିଛନ୍ତି ଯେ, ଏଭଳି ଘଟଣାକୁ ପୋଲିସ ବରଦାସ୍ତ କରିବ ନାହିଁ । ଏଭଳି ଟ୍ରାଫିକ ନିୟମ ଉଲ୍ଲଙ୍ଘନକରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି । ପୂର୍ବରୁ ମଧ୍ୟ ଅନେକ ଗାଡି ଚେକିଂ ବେଳେ ମଦ ପିଇ ଗାଡି ଚାଲାଉଥିବାରୁ ଧରାପଡ଼ିଛନ୍ତି । ପୂର୍ବରୁ ଅନେକ ଗାଡି ଡ୍ରଙ୍କନ ଡ୍ରାଇଭ୍ ବେଳେ ଧରାପଡ଼ିଥିବା ବେଳେ ଜବତ ହୋଇଥିବା ଅନେକ ନାମି ଦାମି ଗାଡି ମଧ୍ୟ ଜବତ ହୋଇ କୋର୍ଟକୁ ପିଆର ବଣ୍ଡ ଦେଇ ପଠାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର