ଭୁବନେଶ୍ବର: ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ ମୂଲ୍ୟବାନ । ମତଦାନରୁ ଜଣେ ବି ମତଦାତା ବାଦ ନପଡ଼ନ୍ତି, ସେଥିପ୍ରତି ଭାରତ ନିର୍ବାଚନ କମିଶନ ଚେଷ୍ଟିତ ରହିଛନ୍ତି । ସେହିକ୍ରମରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରମାନଙ୍କୁ ମଧ୍ୟ ମତଦାନ କରିବାର ଅଧିକାର ଦିଆଯାଇଛି । ସେମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିପାରିବେ ।
ଓଡ଼ିଶାରେ ମତଦାନ ଦିନ କାର୍ଯ୍ୟରେ ନିୟୋଜିତ ଥିବା ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରମାନେ ଯେପରି ସେମାନଙ୍କର ମତାଧିକାର ସାବ୍ୟସ୍ତରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଜଣେ ନୋଡ଼ାଲ ଅଧିକାରୀଙ୍କୁ ମନୋନୀତ କରିବେ । ଯାହାଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ପାଇଁ ବ୍ୟବହୃତ ଯାନବାହନ ଅଧିଗ୍ରହଣ କରାଯିବ । ଯେଉଁ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରମାନେ ଏହି ଗାଡ଼ିରେ ନିୟୋଜିତ ରହିବେ ତାଙ୍କର ମତଦାନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ନୋଡ଼ାଲ ଅଧିକାରୀଙ୍କ ଦ୍ୱାରା ନିଶ୍ଚିତ କରାଯିବ । ସେମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ ପାଇଁ ଫର୍ମ-୧୨ ଯୋଗାଇ ଦିଆଯିବ । ଏହି ଫର୍ମ-୧୨ ରେ ଉକ୍ତ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରଙ୍କ ମତଦାନ ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ଉଚିତ ରୂପେ ପୂରଣ ହୋଇଥିବ । ଏହାକୁ ନିଶ୍ଚିତ କରି ନୋଡ଼ାଲ ଅଧିକାରୀ ସେମାନଙ୍କ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ଅତି କମରେ ମତଦାନ ତାରିଖର ୭ ଦିନ ପୂର୍ବରୁ ପଠାଇବେ । ଏହା ଦ୍ୱାରା ଉକ୍ତ ମତଦାତାମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇ ପାରିବ ।
ଏହା ମଧ୍ୟ ପଢନ୍ତୁ :- ତୃତୀୟ ପର୍ଯ୍ୟାୟରେ ତାମିଲନାଡୁ ପାଇଁ 9ଲୋକସଭା ପ୍ରାର୍ଥୀ ଦେଲା ବିଜେପି, ଲଢିବେ ସୁନ୍ଦରରାଜନ ଓ ଆନ୍ନାମଲାଇ
ନିର୍ବାଚନ ପରିଚାଳନା ଅଧିନିୟମ-୧୯୬୧ ରେ ନୂତନ ଭାବେ ଯୋଡ଼ା ଯାଇଥିବା ନିୟମ ୧୮(କ) ଅନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଭୋଟରମାନେ କେବଳ ‘ଫେସିଲିଟେସନ ସେଣ୍ଟର’ରେ ହିଁ ନିଜ ନିଜର ମତଦାନ କରିବେ । ଏଣୁ ଏହି ଡ୍ରାଇଭର, କଣ୍ଡକ୍ଟର, କ୍ଲିନରମାନେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ସ୍ଥାନ ଓ ସମୟ ଅବଧି ମଧ୍ୟରେ ଫେସିଲିଟେସନ ସେଣ୍ଟରରେ ମତଦାନ କରିବେ । ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଥିବା ଏହି ବ୍ୟବସ୍ଥା ଓଡ଼ିଶାରେ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେବ । ସେଥିପାଇଁ ସମସ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ଓ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର