ଭୁବନେଶ୍ୱର: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ବି.ଏଲ ବର୍ମାଙ୍କ ଦ୍ୱାରା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ଉନ୍ନୟନ ନିଗମ ସହଯୋଗରେ ଦିବ୍ୟାଙ୍ଗ ଉଦ୍ୟୋଗୀ, କାରିଗର ଓ ଶିଳ୍ପୀଙ୍କ ପ୍ରତିଭା ଓ କାରିଗରୀ କୌଶଳକୁ ସମ୍ମାନ ଜଣାଇ ଦିବ୍ୟ କଳା ମେଳା ଆୟୋଜନ କରାଯାଉଛି । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବି.ଏଲ ବର୍ମା କହିଛନ୍ତି, "ଆଜି ଆମେ ସାମର୍ଥ୍ୟ ପ୍ରଦର୍ଶନ କରୁଛୁ । ଦିବ୍ୟ କଳା ମେଳାରେ ଅଂଶଗ୍ରହଣ କରୁଥିବା ଦିବ୍ୟାଙ୍ଗ ଭାଇ ଭଉଣୀ ସେମାନଙ୍କର ଅନନ୍ୟ ଏବଂ ମୂଲ୍ୟବାନ ଦକ୍ଷତା, ପ୍ରତିଭା ଏବଂ ଉଦ୍ୟମିତା ଜରିଆରେ ସୀମାତିତ ପ୍ରଦର୍ଶନ କରୁଛନ୍ତି । ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗୀତ, ନୃତ୍ୟ ଏବଂ ଅଭିବ୍ୟକ୍ତିରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କେବଳ ଆମର ମନୋରଞ୍ଜନ କରୁନାହିଁ ବରଂ ଆମକୁ ସେମାନଙ୍କର ଉତ୍ସାହ ଓ ସମର୍ପଣ ଦ୍ୱାରା ପ୍ରେରଣା ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟାଙ୍ଗ ଜନଙ୍କ ସହିତ ସର୍ବଦା ଭାବପ୍ରବଣପୂର୍ଣ୍ଣ ସମ୍ପର୍କ ରଖିଛନ୍ତି । ତାଙ୍କର ଲକ୍ଷ୍ୟ ହେଉଛି ଦେଶର ସାମଗ୍ରିକ ସଶକ୍ତୀକରଣ ପାଇଁ ସମାଜର ପ୍ରତ୍ୟେକ ବର୍ଗର ସଶକ୍ତୀକରଣ ଜରୁରୀ ବୋଲି ବିଶ୍ୱାସ କରି ସେମାନଙ୍କୁ ସଶକ୍ତ କରିବା । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅଧୀନରେ ଆମ ସରକାର ଦିବ୍ୟାଙ୍ଗଙ୍କୁ ଉପକୃତ କରିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି ।"
ପ୍ରଥମ ଥର ଓଡ଼ିଶାରେ ଏହି ଦିବ୍ୟ କଳା ମେଳା ଓ ନିଯୁକ୍ତି ମେଳା ଆୟୋଜନ ହୋଇଛି । ସମାବେଶୀ ବିକାଶ ଓ ଏକ ସଶକ୍ତ ସମାଜ ଗଠନ କରିବା ଲାଗି ଏସବୁ ପ୍ରତିଭା ସମ୍ପନ୍ନ ଉଦ୍ୟୋଗୀଙ୍କୁ ସ୍ୱାଗତ କରିବା, ପ୍ରଶଂସା କରିବା ଓ ସମ୍ମାନିତ କରିବା ଆମର କର୍ତ୍ତବ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେହିପରି ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଉପ ମହାନିର୍ଦ୍ଦେଶକ କିଶୋର ବି. ସୁରୱଡ଼େ କହିଛନ୍ତି ଯେ, ଆମର ଉଦ୍ଦେଶ୍ୟ ହେଉଛି ଏକ ସମାବେଶୀ ସମାଜ ଗଠନ କରିବା । ଯେଉଁଠାରେ ଆମ ଦେଶର ଦିବ୍ୟାଙ୍ଗ ବ୍ୟକ୍ତିମାନେ ସେମାନଙ୍କ ବିକାଶ ପାଇଁ ସମାନ ସୁଯୋଗ ପାଇବେ । ସେମାନଙ୍କର ଶାରୀରିକ, ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସଶକ୍ତୀକରଣ ହୋଇପାରିବ । ଯାହା ଦ୍ୱାରା ସେମାନେ ଉତ୍ପାଦକ, ନିରାପଦ ଏବଂ ସମ୍ମାନଜନକ ଜୀବନ ଯାପନ କରିପାରିବେ ।
ଏସଭିନିର୍ତାର ନିର୍ଦ୍ଦେଶକ ଡାକ୍ତର ପି.ପି ମହାନ୍ତି କହିଛନ୍ତି, "ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ । ମେଳାରେ ପ୍ରାୟ ୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ଏହି ମେଳାରେ ପ୍ରଦର୍ଶିତ ହୋଇଛି । ପୂର୍ବ ଭାରତର ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଓଡ଼ିଶା ଭଳି ୬ଟି ରାଜ୍ୟରେ ଦିବ୍ୟାଙ୍ଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଭୋକାଲ ଫର ଲୋକାଲ ଅଭିଯାନକୁ ପ୍ରୋତ୍ସାହିତ କରୁଛି । ଯାହା ଦ୍ୱାରା ଆଗନ୍ତୁକମାନେ ଦିବ୍ୟାଙ୍ଗ କାରିଗରମାନଙ୍କ ଦ୍ୱାରା ଅତ୍ୟନ୍ତ ଦୃଢ଼ ସମର୍ପଣ ସହ ନିର୍ମିତ ଅଭିନବ ଜିନିଷ କିଣିପାରିବେ" ।
ଇଟିଭି ଭାରତ, ଭୁବନେଶ୍ୱର