ଭୁବନେଶ୍ବର: ଗତକାଲି(ଶୁକ୍ରବାର) କଳାଭୂମି ପରିଦର୍ଶନ କରିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମ୍ । ସିଙ୍ଗାପୁର ରାଷ୍ଟ୍ରପତି କଳାଭୂମିରେ ୪ ଘଣ୍ଟା ସମୟ ବିତାଇଥିଲେ । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଓଡ଼ିଶାର ଖାଦ୍ୟ ଓ ହସ୍ତଶିଳ୍ପକୁ ମଧ୍ଯ ପ୍ରଶଂସା କରିଛନ୍ତି । ଏଥିସହ ରାଷ୍ଟ୍ରପତିଙ୍କ ପତ୍ନୀ କଳା ଭୂମିରେ ଶାଢୀ କିଣି UPIରେ ମୂଲ୍ୟ ପ୍ରଦାନ କରିଛନ୍ତି ।
ଓଡ଼ିଶା କଳାକୃତି ଦେଖି ଅଭିଭୂତ:
ଶାଢୀ କିଣି UPIରେ ପେମେଣ୍ଟ କଲେ ରାଷ୍ଟ୍ରପତିଙ୍କ ପତ୍ନୀ:
କଳାଭୂମିର ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରିବା ସହ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ରାଷ୍ଟ୍ରପତି ଦେଖିଛନ୍ତି । କଳାଭୂମିରେ ଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ଗ୍ୟାଲେରୀ ବୁଲି କରୁଣା ଶିଳ୍କ, କୋଟପାଡ ଶାଢ଼ୀ, ସମ୍ବଲପୁରୀ, ମାଣିଆବନ୍ଧ ଶାଢ଼ୀ ବୁଣିବା ଶୈଳୀ ବିଷୟରେ ପଚାରି ବୁଝିଛନ୍ତି । ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଛନ୍ତି । ଏହାର ମୂଲ୍ୟ ସେ UPI ଜରିଆରେ ପ୍ରଦାନ କରିଛନ୍ତି । ଏକ ସହଜ ଓ ସରଳ ଦେୟ ପ୍ରଦାନ ବ୍ୟବସ୍ଥା ଭାବେ ଭାରତର ଏହି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସାରା ପୃଥିବୀରେ ପ୍ରସିଦ୍ଧି ଅର୍ଜନ କରିଛି । ଏଥି ସହ ଚାନ୍ଦୁଆ, ଜନଜାତି ଚିତ୍ରକଳା, କାଇଁଚ ଓ ସବାଇ ଘାସ ହସ୍ତକଳା, ପିତ୍ତଳ ବାସନ କୁସନ, ରୂପା ତାରକସି କାମ, ପଟ୍ଟଚିତ୍ର ଶାଢ଼ୀ, କାଗଜ ତିଆରି କଳାକୃତି ଆଦି ବୁଲି ଦେଖିଛନ୍ତି ।
ରାତ୍ରୀ ଭୋଜନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ:
ରାଷ୍ଟ୍ରପତି ସେଠାରେ ରାତ୍ରୀ ଭୋଜନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଛନ୍ତି । କଳାଭୂମି ପରିସରରେ ଆୟୋଜିତ ଏକ ନୈଶ ଭୋଜିରେ ଯୋଗଦେଇ ଓଡ଼ିଆ ବ୍ୟଞ୍ଜନର ପ୍ରଶଂସା କରିଛନ୍ତି । ଏଥିରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସା ଯାଇଛି । ଓଡ଼ିଶାର ଖାଦ୍ୟ ଅତ୍ୟନ୍ତ ସ୍ଵାଦିଷ୍ଟ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା ଦୁଇ ଦେଶ ମଧ୍ୟରେ ଥିବା ନିବିଡ ସମ୍ପର୍କ । ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶୀ ନୃତ୍ୟ ସହ ଓଡ଼ିଶା ଓ ସିଙ୍ଗାପୁରର ଏକ ଫୁଜନ ନୃତ୍ୟ ପରିବେଷଣ କରାଯାଇଛି । ରାଷ୍ଟ୍ରପତି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି ।
ଏହି ପରିଦର୍ଶନ ସମୟରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ, ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମପତି ଓ ତାଙ୍କ ଧର୍ମପତ୍ନୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଧର୍ମପତ୍ନୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ଦେଖିବେ ରଘୁରାଜପୁର ହେରିଟେଜ ଭିଲେଜ:
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ଆଜି ଗସ୍ତର ଦ୍ବିତୀୟ ଦିନ ଅର୍ଥାତ ଅନ୍ତିମ ଦିନରେ ସେ ରଘୁରାଜପୁର ହେରିଟେଜ ଭିଲେଜ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ଏହା ପରେ ଅପରାହ୍ଣରେ ଭାରତ ବାୟୋଟେକର ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର