ପୁରୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଭୋଟ ଗ୍ରହଣକୁ ଅବାଧ, ନିରପେକ୍ଷ ଓ ନିର୍ଭୁଲ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶିକ୍ଷଣ ଆରମ୍ଭ ହୋଇଯାଛି । ବୁଥରେ ନିୟୋଜିତ ହେବାକୁ ଥିବା ପ୍ରିଯାଇଡ଼ିଂ ଅଫିସର, ପୋଲିଂ କର୍ମଚାରୀଙ୍କ ଟ୍ରେନିଂ ଆରମ୍ଭ ହୋଇଯାଇଛି । ପୁରୀର ଏସସିଏସ କଲେଜ, ବିଶ୍ବମ୍ବର ବିଦ୍ୟାପୀଠରେ ଏହି ଟ୍ରେନିଂ ଦିଆଯାଇଛି । ପର୍ଯ୍ୟାୟ କ୍ରମେ ପୁରୀ ଜିଲ୍ଲାର ମୋଟ 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ଟ୍ରେନିଂ ଦିଆଯିବ।
ପୁରୀ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, 15 ରୁ 18 ତାରିଖ ଯାଏଁ 4 ଦିନ ଧରି ପୁରୀ ଜିଲ୍ଲାରେ ଏହି ଟ୍ରେନିଂ ଦିଆଯିବ। ଭିଭିପ୍ୟାଟ, କଣ୍ଟ୍ରୋଲ ୟୁନିଟ, ବାଲାଟ ୟୁନିଟକୁ କିଭଳି ବ୍ୟବହାର କରାଯିବ, ବୁଥରେ କିଭଳି ଭୋଟ ଗ୍ରହଣ କରାଯାଏ, କୌଣସି ବୈଷୟିକ ତ୍ରୁଟି ହେଲେ କାହାକୁ ଅବଗତ କରାଇବେ, କୌଣସି ସମସ୍ୟା ହେଲେ କିଭଳି ପରିସ୍ଥିତର ମୁକାବିଲା କରିହେବ ସେ ନେଇ ଟ୍ରେନିଂ ଦିଆଯାଇଛି। ପ୍ରଶିକ୍ଷଣ ଦେବା ପାଇଁ ମାଷ୍ଟର ଟ୍ରେନରଙ୍କୁ ନିୟୋଜିତ କରଯାଇଛି। ପ୍ରଥମ ଥର ପାଇଁ ନିର୍ବାଚନରେ ନିୟୋଜିତ ହୋଇଥିବା ପ୍ରିଯାଇଡିଂ ଅଫିସର, ପୋଲିଂ ଅଧିକାରୀଙ୍କୁ ଟିକିନିଖି କରି ଭୋଟ ଗ୍ରହଣ ପ୍ରକ୍ରିୟା, ନିୟମାବଳୀ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଏହା ମଧ୍ୟ ପଢ଼ନ୍ତୁ.... ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ଶିବିର, ସ୍ବଚ୍ଛ ହେବ ନିର୍ବାଚନ ପରିଚାଳନା
ତେବେ ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାରେ 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। କାକଟପୁର, ନିମାପଡା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି । 2024 ଜାନୁଆରୀ 5 ତାରିଖ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ ମୋଟ 6 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 1598 ଟି ବୁଥ ରହିଛି। ପୁରୀ ଜିଲ୍ଲାରେ ମୋଟ ପୁରୁଷ ଭୋଟର୍ 7ଲକ୍ଷ15 ହଜାର 7ଶହ 33 ରହିଛନ୍ତି। ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ମୋଟ 6 ଲକ୍ଷ 74ହଜାର 4ଶହ 69 ରହିଛି । ଅନ୍ୟ ଭୋଟର 80 ଜଣ ରହିଛନ୍ତି । ପୁରୀ ଜିଲ୍ଲାର ମୋଟ ଭୋଟରଙ୍କ ସଂଖ୍ୟା 13 ଲକ୍ଷ 90 ହଜାର 282 ରହିଛି । ଅନ୍ୟପଟେ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଧିକାରୀମାନଙ୍କ ଦାୟିତ୍ଵ, କର୍ତ୍ତବ୍ୟ ଓ ମତଦାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଏଠାରେ ପ୍ରଶିକ୍ଷଣ ଦିଆଯାଇଛି ।
ଇଟିଭି ଭାରତ, ପୁରୀ