କୋରାପୁଟ: ସାରା ଦେଶରେ ଚାଲିଛି ନିର୍ବାଚନୀ ତାତି । ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଏବେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହିକ୍ରମରେ କୋରାପୁଟରେ ଏକ ଅଭିନବ ଉପାୟରେ ଲୋକଙ୍କୁ ନିର୍ବାଚନ ପାଇଁ ସଚେତନ କରାଯାଉଛି। ଆଜି ବିଶ୍ବ ଛେନାପୋଡ଼ ଦିବସ । ସେହି ଅବସରରେ କୋରାପୁଟ ଜିଲ୍ଲା ସଂସ୍କୃତି ପରିଷଦ ପ୍ରାଙ୍ଗଣରେ ଛେନାପୋଡ଼ ଦିବସ ପାଳନ ସାଙ୍ଗକୁ ଭୋଟରଙ୍କୁ ସଚେତନ କରାଯାଇଛି। ଏକ ରଙ୍ଗୋଲି ପ୍ରତିଯୋଗିତା ସାଙ୍ଗକୁ ଛେନାପୋଡ଼ ଖୁଆଇ କୋରାପୁଟ ଜିଲ୍ଳାପାଳ ଭି .କେ.ଭାସନ ଯୁବ ଭୋଟରଙ୍କ ମଧ୍ୟରେ ଭୋଟ ଦାନ ପାଇଁ ସଚେତନତା ସୃଷ୍ଟି କରିଛନ୍ତି।
କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୁବ ଭୋଟରଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଇଭିଏମ ଓ ଭିଭିପାଟ ମେସିନର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନର ପ୍ରସାର ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କର୍ମଶାଳାର ଆୟୋଜନ ମଧ୍ୟ ହୋଇଯାଇଛି । ପ୍ରଥମ ଥର ପାଇଁ ଭୋଟ ଦେବା ପାଇଁ ବିବେଚିତ ହୋଇଥିବା କିଶୋର କିଶୋରୀ ଭୋଟର ମତ ରଖିଥିବା ବେଳେ ପ୍ରଥମ ଥର ଭୋଟ ଦେଉଥିବା ଯୁବ ଭୋଟର ଭାରତ ବର୍ଷରେ ଏକ ଉନ୍ନତ ମାନର ରାଜନୈତିକ ପରିବେଶ ସୃଷ୍ଟି ହେବା ନେଇ ଆଶା ବାନ୍ଧିଛନ୍ତି ।ତେବେ ଚଳିତବର୍ଷ ଜିଲ୍ଲାରେ ଅନେକ ନୂଆ ଭୋଟର ଯୋଡି ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ... ଭୋଟ ଦେବ କୋଟିଆ, ସଚେତନ କଲେ କୋରାପୁଟ ଜିଲ୍ଲାପାଳ
କୋରାପୁଟ ଜିଲ୍ଲାରେ ନିର୍ବାଚନ ସମୟରେ ଯୁବ ପିଢ଼ିଙ୍କ ମତଦାନର ପରିମାଣ ଭଲ ଥିଲେ ହେଁ ଏଥିରେ ଆହୁରି ଅଧିକ ସଂଖ୍ୟକ ଯୁବକ ଯୁବତୀ ଯେପରି ଅଂଶଗ୍ରହଣ କରିବେ ସେଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ ଭି .କେ. ଭାସନ ମତ ରଖିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ନୂତନ ଭୋଟର, ମହିଳା ଓ ବୟସ୍କ ଭୋଟର ମାନଙ୍କୁ ଉଦବୋଧନ ଦେଇ ସେ ଶତ ପ୍ରତିଶତ ମତଦାନ କରିବାକୁ ପରାମର୍ଶ ଦେବା ସହ ମତଦାନ ସମୟରେ କାହା ଦ୍ୱାରା ପ୍ରଭାବିତ ନହୋଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତ୍ୟେକ ନିର୍ବାଚନରେ ମତଦାନ କରିବା ଆବଶ୍ୟକ ବୋଲି ଜଣାଇଥିଲେ। ଏହି ଅବସରରେ ଭୋଟର ସଚେତନତା ପାଇଁ କରାଯାଇଥିବା ରଙ୍ଗୋଲି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।
ଇଟିଭି ଭାରତ, କୋରାପୁଟ