ଭୁବନେଶ୍ବର: ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ବାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ । ରାୟଗଡା କାଶୀପୁରରେ କାଲିଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟୀକା । ରାୟଗଡ଼ା ସମେତ ଏହାର ଆଖପାଖ ଜିଲ୍ଲାକୁ ବ୍ୟାପିଥିବା ଡିପଥେରିଆ ସଂକ୍ରମଣକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ବଢ଼ୁଥିବାବେଳେ ଏହି ସଂକ୍ରମଣକୁ ଅଟକାଇବା ପାଇଁ ବଡ଼ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ । ରାୟଗଡା କାଶୀପୁରରେ କାଲିଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟୀକା । ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ମଧ୍ୟ ବୁଷ୍ଟର ଡୋଜ ଦିଆଯିବ ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ରୋଗ ବାୟୁ ଦ୍ବାରା ସଂକ୍ରମିତ ହେଉଥିବାରୁ ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଅନୁସାରେ ୧ ବର୍ଷ ବୟସ ଭିତରେ ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ । ୫ରୁ ୧୫ ବର୍ଷ ବୟସ୍କଙ୍କୁ TD ଡୋଜ୍ ଦିଆଯିବ । ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ । ଏବେ ଗାଡଲାଇନ ଅନୁସାରେ ସଂକ୍ରମଣ ଅଞ୍ଚଳରେ ସର୍ଭେଲେନ୍ସ ଚାଲିଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ ଦିଆଯାଇଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭେଲାନ୍ସ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ । ସେହିଭଳି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁସାରେ, ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପ୍ଥେରିଆ । ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଡିପଥେରିଆ ରୋଗୀ ଚିହ୍ନଟ ହେଲେଣି । ୫ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡାରୁ ୧୫ଜଣ ଚିହ୍ନଟ ହୋଇଥିବାବେଳେ କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡିରୁ ୪-୫ ଜଣ ସନ୍ଦିଗ୍ଧ ଡିପ୍ଥେରିଆ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ RMRCକୁ ପଠାଯାଇଛି ।
ସେହିଭଳି କୋରାପୁଟ ବନ୍ଧୁଗାଁରୁ ଚିହ୍ନଟ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି, ତାଙ୍କୁ MKCGକୁ ପଠାଯାଇଛି । ଏକ ସ୍ବତନ୍ତ୍ର ଟିମ ମନିଟର କରୁଛି । କଳାହାଣ୍ଡି ରୋଗୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାୟଗଡ଼ାରେ ମାମଲା ସ୍ଥିର ରହିଛି । ଆଗ୍ରା, ହାଇଦରାବାଦରୁ ଆଣ୍ଟି ଡିପଥେରିଆଲ ସିରମ୍ ଅଣାଯାଇ ଆକ୍ରାନ୍ତଙ୍କୁ ଦିଆଯାଉଛି । ସଂକ୍ରମଣର ମୁକାବିଲା ପାଇଁ ୩ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ WHO ଟିମ୍ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଣ୍ଟିବାୟୋଟିକ ଦ୍ଵାରା ଏ ସଂକ୍ରମଣ ମୂଳପୋଛ କରାଯାଇପାରିବ । ତେବେ ଯେହେତୁ ଏହା ବାୟୁ ଦ୍ବାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର