ଢେଙ୍କାନାଳ: ରହିଛି ରକ୍ତ ଭଣ୍ଡାର ମାତ୍ର ନାହିଁ ରକ୍ତ । ଖୋଦ ନିଜେ ରକ୍ତ ଭଣ୍ଡାର ଏବେ ରକ୍ତହୀନତାର ଶିକାର । ଢେଙ୍କାନାଳ ଜିଲ୍ଲାର ରକ୍ତହୀନତା ବା ଥାଲାସେମିଆ ଓ ସିକିଲସେଲ ରୋଗୀଙ୍କ ଜୀବନ ସୁରକ୍ଷା ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଦିନେ ବା ଦୁଇଦିନ ନୁହେଁ ବିଗତ କିଛି ମାସ ହେଲା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରରେ ଏପରି ରକ୍ତ ଅଭାବ ଦେଖିବାକୁ ମିଳୁଛି । ଗୋଟିଏ ପଟରେ ଜିଲ୍ଲାରେ ଥାଲାସେମିଆ ଓ ସିକିଲ ସେଲ୍ ବା ରକ୍ତ ହୀନତା ରୋଗୀଙ୍କ ସଂଖ୍ୟା ବଢୁଥିବା ଶିଶୁ ରୋଗ ବିଶେଷଜ୍ଞମାନେ ପ୍ରକାଶ କରୁଥିବା ବେଳେ ଏପଟେ ଖୋଦ ବ୍ଲଡ ବ୍ୟାଙ୍କରେ ରକ୍ତର ଅଭାବ ବୁଦ୍ଧିଜୀବୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି ।
ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲା ରକ୍ତ ଭଣ୍ଡାରରୁ ପ୍ରତେକ ମାସରେ ପ୍ରାୟ ୮ଶହରୁ ୯ଶହ ରକ୍ତର ଆବଶ୍ୟକତା ପଡିଥାଏ । ତେବେ ଗତ ବର୍ଷ ଅର୍ଥାତ ୨୦୨୩ ମସିହାରେ ଜିଲ୍ଲାରେ ୯୭ଟି ରକ୍ତଦାନ ଶିବିରରୁ ମୋଟ ୯ହଜାର ୯ଶହ ୩ଟି ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା । ସେଥି ମଧ୍ୟରୁ ରକ୍ତ ସଂକ୍ରମିତ ଜନିତ ବିଭିନ୍ନ କାରଣରୁ ୧୯୩ ୟୁନିଟ ବା ପକେଟ ରକ୍ତ ବ୍ୟବହାର ପାଇଁ ଅନୁପଯୋଗୀ ଥିଲା । ମାତ୍ର ୮ହଜାର ୭୯୪ ୟୁନିଟ ବା ପକେଟ ରକ୍ତ ବ୍ୟବହୃତ ହୋଇଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ... ଦୂର ହେବ ଏସସିବିରେ ରକ୍ତ ଅଭାବ, ସ୍ବେଚ୍ଛାକୃତ ରକ୍ତଦାନ କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ - SCB Medical
ଗୋଟିଏ ରକ୍ତ ସଂଗୃହୀତ ହେବାର ୩୫ଦିନ ପରେ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ବଳକା ୧୪୧ ୟୁନିଟ ବା ପକେଟ ଉପଯୋଗ ହୋଇନପାରି ନଥିବା ଜଣାପଡିଛି । ଏ ସମ୍ପର୍କରେ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ କିଛି କହିବା ତ ଦୂରେ ଥାଉ ମାତ୍ର ଦିନ ଦିନ ଧରି ତାଙ୍କର ରକ୍ତ ଭଣ୍ଡାରରେ ଅନୁପସ୍ଥିତି ଚଳିତ ବର୍ଷ ରକ୍ତ ଭଣ୍ଡାରରେ ରକ୍ତ ସଂକଟ ଜନିତ ସମସ୍ୟା ସୃଷ୍ଟି କରିଛି । ଫଳରେ ରକ୍ତ ପାଇଁ ରକ୍ତ ଭଣ୍ଡାରକୁ ରୋଗୀଙ୍କ ସମ୍ପର୍କୀୟ ମାନେ ବାରମ୍ବାର ଦୌଡ଼ି କିପରି ନିରାଶ ହୋଇ ଫେରୁଥିବାର ଅଭିଯୋଗ ଆସିଛି । ଗୋଟିଏ ପଟରେ ଢେଙ୍କାନାଳ ଜିଲ୍ଲାରେ ସ୍ବେଚ୍ଛାକୃତ ରକ୍ତ ଦାତା ସଂଘ ସକ୍ରିୟ ଥିବା ବେଳେ ସେମାନଙ୍କ ପରାମର୍ଶକ୍ରମେ ବିଭିନ୍ନ ସଂଗଠନମାନେ ଅନେକ ବାର ରକ୍ତଦାନ କ୍ଷେତ୍ରରେ ଜିଲ୍ଲାକୁ ରକ୍ତର ଆବଶ୍ୟକତା ଠାରୁ ବଳକା କରାଇ ଅନ୍ୟ ଜିଲ୍ଲାକୁ ହସ୍ତାନ୍ତର କରିବାର ଅନେକ ନଜିର ରହିଛି ।
ମାତ୍ର ଚଳିତ ବର୍ଷ ଢେଙ୍କାନାଳ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ଯାହାକି ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀଙ୍କ ଅବହେଳା ଓ ସମନ୍ବୟ ଅଭାବ ହିଁ ଏ ପରିସ୍ଥିତିର ପ୍ରମୁଖ କାରଣ ବୋଲି ସ୍ପଷ୍ଟ କରିଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକୃତ ଘଟଣାକୁ ଏଡାଇବାକୁ ସଫେଇ ଦେଇଛନ୍ତି । ଢେଙ୍କାନାଳ ରକ୍ତ ଭଣ୍ଡାରରେ କେତେବେଳେ ରକ୍ତ ବଳକା ହୋଇପଡି ଅଦରକାରୀ ହୋଇପଡୁଛି ତ ଆଉ କେତେବେଳେ ରକ୍ତର ଅଭାବ ନେଇ ରୋଗୀ ମାନେ ଜୀବନ ମରଣର ସଂଗ୍ରାମ କରୁଛନ୍ତି । ଏପରିସ୍ଥଳେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ରକ୍ତ ଭଣ୍ଡାର ଅଧିକାରୀ ବିଭିନ୍ନ ସଂଗଠନ ମାନଙ୍କ ସହିତ ସଠିକ ସମନ୍ବୟ ରଖି ରକ୍ତ ଭଣ୍ଡାରରେ ରକ୍ତ ସଂରକ୍ଷଣ ଦିଗରେ ଯତ୍ନବାନ ହେବାପାଇଁ ସାଧାରଣରେ ଦାବି ଉଠିଛି ।
ଇଟିଭି ଭାରତ, ଢେଙ୍କାନାଳ