କଟକ/ଖୋର୍ଦ୍ଧା/ବୌଦ୍ଧ: ବର୍ଷା ଦିନ ଯୋଗୁଁ ରାଜ୍ୟରେ ଅଣାୟତ୍ତ ହେଉଛି ଡେଙ୍ଗୁ । କଟକ, ବୌଦ୍ଧ, ଖୋର୍ଦ୍ଧା ସମେତ ପ୍ରାୟ ସବୁ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କଟକ ସହରରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିବାବେଳେ ସିଏମସି ମଧ୍ୟ ଟିମ୍ ଗଠନ କରି ନାନା ପଦକ୍ଷେପ ନେଉଛି । ଏହାସହିତ ଏସସିବି ମେଡିକାଲରେ ଏକ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇଛି । ଏଥିରେ ୪୫ଟି ବେଡ୍ ରହିଛି ଏବଂ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ଉପଲବ୍ଧ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏସସିବିରେ ୯ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ମେଡିକାଲ କୁଳସଚିବ ଅବିନାଶ ରାଉତ ସୂଚନା ଦେଇଛନ୍ତି ।
ପିଜି ଡାକ୍ତର ଡେଙ୍ଗୁର ଶିକାର:
କିଛି ଦିନ ପୂର୍ବରୁ କଟକରେ ଅନେକ ପିଜି ଡାକ୍ତର ଡେଙ୍ଗୁର ଶିକାର ହୋଇଥିଲେ । ଜାନୁଆରୀରୁ ଆଜି ଯାଏ ଜିଲ୍ଲାରେ ମୋଟ 49ରୁ ଊର୍ଦ୍ଧ୍ବ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ କେବଳ ଜୁଲାଇ ମାସରେ 27 ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କଟକ ସହରରୁ 39 ଓ ଗ୍ରାମଞ୍ଚଳରୁ 10 ଜଣ ଆକ୍ରାନ୍ତ ଅଛନ୍ତି । ତେବେ କେବଳ ଏସସିବି ମେଡିକାଲ କ୍ୟାମ୍ପସରୁ 11 ଜଣ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଥିଲା । ସିଏମସି ସ୍ଵାସ୍ଥ୍ୟ ଅଧିକାରୀ, ଏଡିଏମଓ, VBD କଂସଲଟାଣ୍ଟ ଟିମ୍ ଏସସିବିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । କ୍ୟାମ୍ପସରୁ ଡେଙ୍ଗୁ ମଶା ଲାର୍ଭା ଠାବ ହେବା ପରେ ତୁରନ୍ତ ବୁସ୍ କଟିଂ କରିବା ସହ ଆଣ୍ଟି ଲାର୍ଭା ତେଲ ପକାଯାଇଥିଲା ।
କଣ କହିଲେ SCB କୁଳସଚିବ ?
ଏସସିବି କୁଳସଚିବ କହିଛନ୍ତି, ''ଡେଙ୍ଗୁ ପାଇଁ ୪୫ଟି ବେଡ୍ ବ୍ୟବସ୍ଥା କରାଯାଉଛି । ଆଇସିୟୁ ବ୍ୟବସ୍ଥା ମଧ୍ୟ ରହିଛି । ଏବେ ସୁଦ୍ଧା ହସ୍ପିଟାଲରେ ୯ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ମଝିରେ କିଛି ଛାତ୍ରଛାତ୍ରୀ ଏବଂ ଷ୍ଟାଫ୍ ଡେଙ୍ଗୁ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ଭଲ ଅଛି । କ୍ୟାମ୍ପେନ ମୋଡରେ ହସ୍ପିଟାଲ ପରିସରକୁ ପରିଷ୍କାର ରଖାଯାଉଛି । ଆବଶ୍ୟକୀୟ ମେଡିସନି, କର୍ମଚାରୀ ଓ ବ୍ଲଡ ମହଜୁତ ଅଛି ।''
![ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ; କଟକ SCBରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ](https://etvbharatimages.akamaized.net/etvbharat/prod-images/03-08-2024/od-boud-01-satya-dengu-spl-od10020_03082024115138_0308f_1722666098_1058.jpg)
ଖୋର୍ଦ୍ଧାରେ ଅଣାୟତ୍ତ ଡେଙ୍ଗୁ:
ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏଥିରେ ବ୍ରେକ ଲଗାଇବାରେ ପ୍ରଶାସନ ବିଫଳ ହୋଇଛି । ସୋମବାର ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 323ରେ ପହଞ୍ଚିଛି । ବର୍ଷା ଦିନ ପୂର୍ବରୁ ପ୍ରଶାସନ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଉଚ୍ଚସ୍ତରୀୟ ବୈଠକ କରି ବିଭିନ୍ନ ପଦକ୍ଷେପ କଥା କହୁଛନ୍ତି କିନ୍ତୁ ବର୍ତ୍ତମାନର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦେଖିଲେ ଏହା କିପରି କାର୍ଯ୍ୟକାରୀ ହେଉଛି ତାହା ସ୍ପଷ୍ଟ ଜଣାପଡୁଛି । ବାଲିଅନ୍ତା, ବାଲିପାଟଣାରେ ଜଣେ ଲେଖାଏଁ, ବାଣପୁରରେ 5, ବୋଲଗଡ଼ 7, ବେଗୁନିଆ 13, ଖୋର୍ଦ୍ଧା ଗ୍ରାମାଞ୍ଚଳରେ 28, ସହରାଞ୍ଚଳରେ 14, ଜଟଣୀ ଗ୍ରାମାଞ୍ଚଳରେ 8, ସହରାଞ୍ଚଳରେ 1, ମେଣ୍ଢାସାଳ 5, ଟାଙ୍ଗି 3 ଏବଂ ଭୁବନେଶ୍ବର ମହାନଗର ଅଞ୍ଚଳରେ 237 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।
![ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ; କଟକ SCBରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ](https://etvbharatimages.akamaized.net/etvbharat/prod-images/03-08-2024/od-boud-01-satya-dengu-spl-od10020_03082024115138_0308f_1722666098_760.jpg)
ପୌର ପ୍ରଶାସନକୁ ଦାୟୀ କଲେ ଲୋକେ:
ବିଶେଷ କରି ଖୋର୍ଦ୍ଧା ସହରାଞ୍ଚଳରେ ପୌର ପ୍ରଶାସନ ପକ୍ଷରୁ ଯେଉଁଭଳି ମଶା ତେଲ, ଡ୍ରେନ ସଫାଇ, ବ୍ଲିଚିଂ ପକାଇବା ସହ ଧୂଆଁ ଛାଡିବା ଭଳି ପ୍ରତିଷେଧକ ନେବା କଥା ତାହା ପୌର ପ୍ରଶାସନ ପ୍ରଶାସନ ନେଉନାହିଁ । ସେହିପରି ବର୍ଷା ପୂର୍ବରୁ ସହରରେ ଥିବା ନାଳ ଠିକ ଭାବେ ସଫେଇ ନହେବା କାରଣରୁ ଡେଙ୍ଗୁ ମଶା ବଂଶ ବିସ୍ତାର କରୁଥିବା କହିଛନ୍ତି ଖୋର୍ଦ୍ଧାବାସୀ । ସେପଟେ ଏନେଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଧିକାରୀ ବିଭିନ୍ନ ପଦକ୍ଷେପ ନେଉଥିବା ଓ କର୍ମଚାରୀ ଘର ଘର ବୁଲି ଜନସାଧାରଣଙ୍କୁ ସଚେତନ କରୁଥିବା କହିଛନ୍ତି ।
ବୌଦ୍ଧ ଜିଲ୍ଲାରେ ଡେଙ୍ଗୁ, ମ୍ୟାଲେରିଆ ଟେନସନ:
ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଝାଡାବାନ୍ତି ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ୩୦୦ ଶହରୁ ଊର୍ଦ୍ଧ୍ବ ମ୍ୟାଲେରିଆ ରୋଗୀ ଚିହ୍ନଟ ହେବା ପରେ ଆକ୍ସନ ମୁଡକୁ ଆସିଛି ସ୍ବାସ୍ଥ୍ୟ ବିଭାଗ । ବିଭିନ୍ନ ଉପାନ୍ତ ଅଞ୍ଚଳ ବିଶେଷକରି କନ୍ଧମାଳ ଜିଲ୍ଲାକୁ ସଂଲଗ୍ନ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ କର୍ମଚାରୀମାନେ ପହଞ୍ଚି ଲୋକଙ୍କ ରକ୍ତ ପରୀକ୍ଷା ସହିତ ଔଷଧ ବିତରଣ ତଥା ମଶାରୀ ବ୍ୟବହାର, ସ୍ବଛ ପାନୀୟଜଳ ବ୍ୟବହାର, ଅପରିଷ୍କାର ପାଣି ଜମିବାକୁ ନଦେବା, ଗୁଣିଗାରେଡିର ଆଶ୍ରୟ ନନେବା ଭଳି ବିଭିନ୍ନ ବିଷୟରେ ସଚେତନ କରିବା ଆରମ୍ଭ କରିଛନ୍ତି ।
![ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ; କଟକ SCBରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ](https://etvbharatimages.akamaized.net/etvbharat/prod-images/03-08-2024/od-boud-01-satya-dengu-spl-od10020_03082024115138_0308f_1722666098_370.jpg)
ଉପାନ୍ତ ଲୋକେ ପାଉନାହାନ୍ତି ମଶାରୀ:
ତେବେ ବୌଦ୍ଧ ଜିଲ୍ଲାରେ ମ୍ୟାଲେରିଆ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଔଷଧ ସିଞ୍ଚନ ଯୁକ୍ତ ମଶାରୀର ଅଭାବ ପରିଲକ୍ଷିତ ହୋଇଛି । ଜିଲ୍ଲାପାଳ ଜେ ସୋନାଲଙ୍କ ଉଦ୍ୟମ କ୍ରମେ ଦୁର୍ଗମ ଅଞ୍ଚଳରେ ଥିବା ପ୍ରାୟ ୪୦ଟି ଗ୍ରାମରେ ମଶାରୀ ଯୋଗାଇବାର ବ୍ୟବସ୍ଥା କରାଯାଉଛି । ସେହିପରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଡାଇରିଆ ରୋଗ ମାଡି ଚାଲିଛି । ତିନୋଟି ବ୍ଲକର ଅନେକ ଗ୍ରାମରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପରିସ୍ଥିତି ଏପରି ହୋଇଛି ଯେ ବୌଦ୍ଧ ଡାକ୍ତରଖାନାରେ ଡାଇରିଆ ରୋଗୀଙ୍କ ପାଇଁ ବେଡର ଅଭାବ ହେଉଛି । ଫଳେ ଅନେକ ଡାଇରିଆ ରୋଗୀ ଡାକ୍ତରଖାନାର ବରଣ୍ଡାରେ ପଡି ଚିକିତ୍ସିତ ହେଉଛନ୍ତି । ସେପଟେ ବିଗତ କିଛି ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାରୁ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡ ବ୍ୟଥା ବଢାଯାଇଛି । ଅଦ୍ୟାବଧି ୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି । ତେବେ ଏନେଇ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।
ଇଟିଭି ଭାରତ, କଟକ/ବୌଦ୍ଧ/ଖୋର୍ଦ୍ଧା