ବଲାଙ୍ଗୀର: ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ବନ୍ଧକ ଥିବା ବଲାଙ୍ଗୀର ଜିଲ୍ଲାର ନାବାଳିକାକୁ ଉଦ୍ଧାର କଲା ପୋଲିସ୍ ପ୍ରଶାସନ । ଦୁଇ ଦିନ ତଳେ ମାଲିକର ନିର୍ଯାତନାରେ ଅସୁସ୍ଥ ହେବା ପରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଟଙ୍କା ପାଇଁ ସମ୍ପୃକ୍ତ ମାଲିକ ଶ୍ରମିକଙ୍କ ନାବାଳିକା ଝିଅକୁ ଅଟକ ରଖିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ପ୍ରଶାସନ ପକ୍ଷରୁ ଗୁରୁତର ସହ ନିଆଯାଇ ନାବାଳିକାକୁ ତେଲେଙ୍ଗାନାରୁ ଉଦ୍ଧାର କରାଯାଇଛି ଓ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହ ଅନ୍ୟାନ୍ୟ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି ।
ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ସୁଲେକେଲା ଗ୍ରାମର କାହୁଁ ମଲ୍ଲିକ ଓ ତାଙ୍କ ପରିବାର ପେଟପାଟଣା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ତେବେ ସେଠି ଇଟାଭାଟି ମାଲିକର ଅକଥନୀୟ ନିର୍ଯାତନାରେ ଦାଦନ ଶ୍ରମିକ କାହୁଁ ମଲ୍ଲିକ ଗୁରୁତର ହୋଇଥିଲେ । ଇଟାଭାଟି ମାଲିକ ସେଠୁ ତାଙ୍କୁ ତଡି ଦେବା ସହ ତାଙ୍କ ନାବାଳିକା ଝିଅକୁ ଟଙ୍କା ପାଇଁ ଅଟକ ରଖିଥିଲା । ସେପଟେ ଦାଦନ ଶ୍ରମିକ କାହୁଁ ରାଜ୍ୟକୁ ଆସି ଆହୁରି ଗୁରୁତର ହୋଇ ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବାପର ଏଠି ମୃତ୍ୟୁ ହୋଇଥିବା ବେଳେ ବାହାର ରାଜ୍ୟରେ ତାଙ୍କ ନାବାଳିକା ଝିଅ ଟଙ୍କା ପାଇଁ ବନ୍ଧକ ଥିବାର ଅଭିଯୋଗ ଆସିଥିଲା ।
ଝିଅକୁ ଉଦ୍ଧାର କରିବା ସହ ପରିବାରକୁ ସହାୟତା ଦାବିରେ ସ୍ଥାନୀୟ ଲୋକେ ଗୋଟିଏ ଦିନ ମୃତଦେହ ରଖି ଧାରଣା ଦେଇଥିଲେ । ପ୍ରଶାସନ ମଧ୍ୟ ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ପରିବାରକୁ ସହାୟତା ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲା । ଏହାପରେ ଧାରଣା ହଟିଥିଲା । ତେବେ ପୋଲିସ ପ୍ରଶାସନ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମଙ୍ଗଳବାର ଦିନ ଉକ୍ତ ନାବାଳିକାକୁ ତେଲେଙ୍ଗାନାରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।
ସେହିପରି ପରିବାର ଲୋକଙ୍କୁ ରେଡକ୍ରସ ପକ୍ଷରୁ 30 ହଜାର ଟଙ୍କାର ସାହାଯ୍ୟ ଦିଆଯାଇ ଥିବାର ବେଲପଡ଼ା ବିଡ଼ିଓ ରାଜେଶ୍ ମେହେର ଓ ବେଲାପଡା ତହସିଲଦାର ବି ହରପାଲ କହିଛନ୍ତି । ସେହିପରି ମୃତ ଦାଦନ ଶ୍ରମିକ କାହୁଁ ମଲ୍ଲିକଙ୍କ ପରିବାରରେ ଦୁଇ ଝିଅ ଓ ତାଙ୍କ ପତ୍ନୀ ଥିବାବେଳେ ଗୋଟିଏ ଝିଅ ଜନ୍ମରୁ ଦୃଷ୍ଟିବାଧିତ ଅଟେ । ତେବେ ଦୁଇ ଝିଅଙ୍କ ପାଠ ପଢା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି କହିଛନ୍ତି ବେଲପଡା ପ୍ରଶାସନ ଓ ତହସିଲଦାର । ଏଥିସହ ତାଙ୍କ ବିଧବା ପତ୍ନୀଙ୍କୁ ଖୁବଶୀଘ୍ର ବିଧବା ଭତ୍ତା ଯୋଗାଇ ଦିଆଯିବ ବୋଲି ବିଡ଼ିଓ ଓ ତହସିଲଦାର କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର