କଟକ: ବାତ୍ୟାର ରୂପ ନେଇସାରିଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ଆସନ୍ତାକାଲି (୨୪ ତାରିଖ) ରାତି ଓ ୨୫ ତାରିଖ ଭୋର ମଧ୍ୟରେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି । ତେବେ ସିଲିଭର ସିଟି କଟକରେ ବାତ୍ୟା ସମୟରେ ବିପଦ ସୃଷ୍ଟି କରିଛି ଦୁର୍ଗା ପୂଜାରେ ପ୍ରସ୍ତୁତ ହୋଇଥିବା ସୁଉଚ୍ଚ ତୋରଣ । ସାମାନ୍ୟ ପବନରେ ଏହା ଭାଙ୍ଗି ପଡିବା ଓ ଧନଜୀବନ କ୍ଷୟକ୍ଷତି କରିବାର ଆଶଙ୍କା ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଜି ଅପରାହ୍ନ ୨ଟା ସୁଦ୍ଧା ସହରରେ ଲାଗିିଥିବା ସମସ୍ତ ତୋରଣକୁ ଖୋଲିବା ପାଇଁ ପୂଜା ମଣ୍ଡପଗୁଡିକୁ କୋର୍ଟ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପୂଜା କମିଟି ଏହା ଅନୂପାଳନ କରିବାରେ ଅବହେଳା ପ୍ରଦର୍ଶନ କଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ଚେତାଇ ଦେଇଛନ୍ତି ।
- ଅପରାହ୍ନ ୨ଟା ସୁଦ୍ଧା ଖୋଲାଯିବ ତୋରଣ
ବିଶେଷକରି ଦଶହରା ସମୟରେ କଟକ ସହରର ବିଭିନ୍ନ ମଣ୍ଡପରେ କରାଯାଇଥିବା ସୁଉଚ୍ଚ ଅସ୍ଥାୟୀ ତୋରଣ, ବାଉଁଶ ଗେଟ୍ ଓ ଲାଇଟ ଗେଟ୍ ତୁରନ୍ତ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଜି (୨୩ ତାରିଖ) ଅପରାହ୍ନ ୨ଟା ସୁଦ୍ଧା ଏସବୁ ହଟାଯିବାକୁ ନିର୍ଦ୍ଦେଶ ରହିଛି । ଯଦି ମଣ୍ଡପ ପକ୍ଷରୁ ଏଗୁଡିକୁ ହଟା ନଯାଏ ତେବେ ପୌର ପ୍ରଶାସନ (ସିଏମସି)ର ଏନଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ଗେଟଗୁଡିକ ବାତ୍ୟା ପୂର୍ବରୁ ଉଚ୍ଛେଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କମିଟିଗୁଡିକ ଏହି ନିର୍ଦ୍ଦେଶନାମାନକୁ ଅଣଦେଖା କରିବେ, ସେମାନଙ୍କୁ ଆସନ୍ତାବର୍ଷ ପୂଜା ଅନୁମତି ମିଳିବନାହିଁ କଟକ ଜିଲ୍ଲାପାଳ କୋର୍ଟଙ୍କୁ ଅବଗତ କରିଛନ୍ତି ।
- ୧୮ ମଣ୍ଡପରେ ରହିଛି ତୋରଣ
ଏହି ପ୍ରସଙ୍ଗରେ କଟକ ଡିସିପି କୋର୍ଟଙ୍କୁ ଅବଗତ କରିଛନ୍ତି ଯେ, ଦଶହରା ପରେ ସହରର ମୋଟ ୧୬୦ଟି ପୂଜା କମିଟି ମଧ୍ୟରୁ ୧୮ଟି ପୂଜା ମଣ୍ଡପରେ ଅସ୍ଥାୟୀ ତୋରଣ ଏବେ ମଧ୍ୟ ରହିଛି । ଅନ୍ୟ ପୂଜା କମିଟିଗୁଡିକ ପୂଜା ପରବର୍ତ୍ତୀ ସମୟରେ ତୋରଣ ହଟାଇ ଦେଇଛନ୍ତି । ୧୭ଟି ପୂଜା କମିଟି ତୋରଣ ହଟାଇବା ପ୍ରକ୍ରିୟା ଜାରି ରଖିଛନ୍ତି । ମାତ୍ର ରାଣୀହାଟ ପୂଜା କମିଟିରେ ଏକାଧିକ ଗେଟ ହଟାଯାଇନାହିଁ । ସେମାନେ ଏହି ପ୍ରକ୍ରିୟାରେ ସହଯୋଗ କରିନଥିଲେ ବୋଲି ଡିସିପି କହିଛନ୍ତି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଗେଟ ଗୁଡିକ ହଟାଇବାକୁ ପୋଲିସ ସମସ୍ତ ବ୍ୟବସ୍ଥା କରୁଛି ବୋଲି ଡିସିପି କୋର୍ଟଙ୍କୁ ଅବଗତ କରିଛନ୍ତି ।
- ସମ୍ଭାବ୍ୟ ଜଳମଗ୍ନ ସ୍ଥିତି ମୁକାବିଲା ପାଇଁ କ’ଣ ନିଆଯାଇଛି ପଦକ୍ଷେପ !
ହାଇକୋର୍ଟରେ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ସମୟରେ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗ ଉଠିଥିଲା । ବିଶେଷକରି ବାତ୍ୟା ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହୁଛି । ଏନେଇ କଟକକୁ ରେଡ଼ ଆର୍ଲଟ ମଧ୍ୟ ଜାରି କରାଯାଇଛି । ତେବେ ପ୍ରବଳ ବର୍ଷା ହେଲେ କଟକ ସହର ଜଳମଗ୍ନ ପରିସ୍ଥିତି ଉପୁଜିବା ଏକପ୍ରକାର ଥୟ । ଏହାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ । କଟକ ସହରରେ ୨୮୩ଟି ପାଣି ପମ୍ପ ବ୍ୟବସ୍ଥା କରାଯାଇଛି । ପମ୍ପ ଅପରେଟର ଓ ପମ୍ପ ଚଳିବା ପାଇଁ ତେଲ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ପମ୍ପ ବ୍ୟବହାର କରାଯାଇ ପାଣି ନିଷ୍କାସନ କରାଯିବ ବୋଲି ସିଏମସି କମିଶନର କୋର୍ଟଙ୍କୁ ଜଣାଇଥିଲେ । ବାତ୍ୟା ପାଇଁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ତୁରନ୍ତ ମରାମତି କାର୍ଯ୍ୟ କରିବାକୁ ‘ଓପିଟିସିଏଲ’କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
- ବାତ୍ୟା ଆଳରେ କଳାବଜାରୀ ସକ୍ରିୟ
କେବଳ ସେତିକି ନୁହେଁ ବାତ୍ୟା ଆଳରେ କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ବେଳେ କଳାବଜାରୀଙ୍କ ପ୍ରସଙ୍ଗ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । କଟକ ଜିଲ୍ଳାପାଳ ଏନେଇ କୋର୍ଟଙ୍କୁ ଜଣାଇଥିଲେ କି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି । କଳାବଜାରୀ ଅଭିଯୋଗ ଆସିବା ପରେ ଯୋଗାଣ ବିଭାଗ ଛତ୍ରବଜାର ଏବଂ ମାଲଗୋଦାମରେ ଚଢ଼ାଉ କରିଥିଲା । ଏହାପରେ ଦର ହ୍ରାସ ପାଇଛି ।
ଇଟିଭି ଭାରତ, କଟକ