ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ୨୯ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ଜୁନ ଅର୍ଥାତ୍ ଆସନ୍ତା କାଲିଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଗଞ୍ଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ୨୮ରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ନେଇ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡା ଏବଂ ବରଗଡ଼ ଜିଲ୍ଲା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୯ ତାରିଖରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସମ୍ବଲପୁର ଓ ବରଗଡ଼ ଏବଂ ପ୍ରବଳ ବର୍ଷା ପାଇଁ ଅନୁଗୁଳ ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୋନପୁର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।


ଅନ୍ୟପଟେ ମୌସୁମୀ ସାରା ରାଜ୍ୟକୁ ଛୁଇଁଥିଲେ ମଧ୍ୟ ଏବେବି ୨୫ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି। ଜୁନ ୧ରୁ ଆଜିଯାଏଁ ରାଜ୍ୟରେ ୧୬୩.୮ ମିମି ସ୍ୱାଭାବିକ ବର୍ଷା ହେବାକୁ ଥିବା ବେଳେ ବର୍ତ୍ତମାନ ଯାଏ ୯୪.୬ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ଠାରୁ ୪୨ .୦୦ ପ୍ରତିଶତ କମ ରହିଛି ବୋଲି ବିଭାଗ ସୂଚନା ଦେଇଛି । ପୁରୀ, ମୟୁରଭଞ୍ଜ, ବାଲେଶ୍ୱର ଏବଂ ବଲାଙ୍ଗୀର ଏହି ୪ ଜିଲ୍ଲାରେ ଅଧିକ ନିଅଁଟିଆ ବର୍ଷା ହୋଇଥିବା ବେଳେ ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, ନବରଙ୍ଗପୁର ଏବଂ ମାଲକାନଗିରିରେ ସ୍ୱାଭାବିକ ବର୍ଷା ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ବରଗଡର ପାଇକମାଳରେ ସର୍ବାଧିକ ୫୬.୦୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରାଜ୍ୟରେ ଭବାନୀପାଟଣା ସର୍ବାଧିକ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର