କଟକ: କଟକରେ ତାଣ୍ଡବ ରଚିଲା କାଳବୈଶାଖୀ ବର୍ଷା । ଆଖି ପିଛୁଳାକେ ଜଳବନ୍ଦୀ ହୋଇଗଲା କଟକ ସହର । ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା କାରଣରୁ କଟକରେ ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୃଷ୍ଟି ଗୋଚର ହେଉଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ରହିଥିଲା ବେଳେ ଘରେ ଡ୍ରେନ ପାଣି ପଶି ଜନଜୀବନକୁ ପ୍ରଭାବିତ କରିଛି । ଫଳରେ ସହରବାସୀଙ୍କ ଖାଇବା ପିଇବା ଓ ଶୋଇବା ହୋଇପଡିଛି ସ୍ବପ୍ନ ।
ଏହା ମଧ୍ୟ ପଢନ୍ତୁ... କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଜାଣନ୍ତୁ କେମିତି ରହିବ ପାଗ ? - Weather UPDATE
କଟକରେ ବକ୍ସ ଡ୍ରେନ ନିର୍ମାଣ ପରେ ଜଳବନ୍ଦୀ ସମସ୍ୟା ଉପରେ ରୋକ ଲାଗିବା ନେଇ ଯେଉଁ ସ୍ବପ୍ନ ଦେଖିଥିଲେ ସହରବାସୀ ତାହାର ବାସ୍ତବ ଚିତ୍ରକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି କଟକ ବାସିନ୍ଦା । ସହରର ରାଉଶାପାଟଣା, ଝୋଲା ସାହି, ସେମିନାର ଛକ ,ମେରିଆ ବଜାର, ମକରବାଗ ସାହି ଓ ଫ୍ରେଣ୍ଡସ କଲୋନୀ ଆଦି ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ସଙ୍ଗୀନ ହୋଇଛି । କଟକ ମହାନଗର ନିଗମ ଏଭଳି ବର୍ଷାକୁ ଆଖିରେ ରଖି ପୂର୍ବରୁ ଯଦି ଯୋଜନା କରି ଥାଆନ୍ତା ତେବେ ନିଶ୍ଚିତ ଭାବରେ ଏମିତି ଦୁର୍ଦ୍ଦଶା ଦେଖିବାକୁ ମିଳି ନ ଥାନ୍ତା ବୋଲି ଅଭିଯୋଗ କରିଛନ୍ତି କଟକ ବାସିନ୍ଦା । ତେବେ ବର୍ଷା ପୂର୍ବରୁ ସିଏମସି ଏହି ଦିଗରେ ଚିନ୍ତା କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି କଟକ ବାସୀ ।
ଅନ୍ୟପଟେ କାଳବୈଶାଖୀର ଦୋଷ ଦେଇ ନିଜ ଦୋଷ ମୁଣ୍ଡରୁ ଖସାଇ ଦେଇଛି କଟକ ମହାନଗର ନିଗମ । ମେ ମାସରେ ସମସ୍ତ ଡ୍ରେନକୁ ବ୍ଲକ କରାଯାଇ ନାଳ ସଫା କରାଯାଉଛି । କାହିଁକି ନା ଜୁନ ମାସରେ ମୌସୁମୀ ଜନିତ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଅଦିନିଆ କାଳ ବୈଶାଖୀ ଦ୍ବାରା ୪୦ -୫୦ ମିଲିମିଟର ବର୍ଷା ହୋଇଥିଲା । ତେଣୁ ନାଳ ବ୍ଲକ ପାଇଁ ଏହି ଅବସ୍ଥା ସୃଷ୍ଟି ହୋଇଛି ବୋଲି କହିଛନ୍ତି ମେୟର ସୁବାସ ସିଂ । କିନ୍ତୁ ସକାଳୁ ସିଏମସି ର ଟିମ ଜଳବନ୍ଦୀ ଅଞ୍ଚଳ ବୁଲି କିପରି ଜଳ ନିଷ୍କାସନ ହେବ ତାହା ଉପରେ କାର୍ଯ୍ୟ ଜାରି ରଖିଛନ୍ତି । କାଜିବଜାର ଭଳି ଜଳାର୍ଣ୍ଣବ ହେଉଥିବା ଅଞ୍ଚଳରେ ଏଥର କୌଣସି ସମସ୍ୟା ହୋଇ ନଥିବା କଥା କହିଛନ୍ତି ମେୟର । ପ୍ରାୟତଃ ଅପରାହ୍ନ ସୁଦ୍ଧା ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମେୟର ସୁବାସ ସିଂ ।
ଇଟିଭି ଭାରତ, କଟକ