କେନ୍ଦ୍ରାପଡା: ଘରୋଇ ଫାଇନାନ୍ସ ସଂସ୍ଥାରେ ବନ୍ଧକ ରଖିଥିଲେ ସୁନା । ବିନା ନୋଟିସରେ ସୁନା ନିଲାମ କରିଦେଲେ ଫାଇନାନ୍ସ ସଂସ୍ଥା । ଏକ ଘରୋଇ ଫାଇନାନ୍ସ ସଂସ୍ଥାରେ ସୁନା ପକାଇ ଋଣ ନେଲେ,ସୁଧ ଟଙ୍କା ବି ଦେଲେ । ମାତ୍ର ଗ୍ରାହକଙ୍କୁ ବିନା ନୋଟିସ ଦେଇ ଏବଂ ଗ୍ରାହକଙ୍କ ଅଜାଣତରେ ସୁନା ନିଲାମ କରିଦେଲେ ଘରୋଇ ଫାଇନାନ୍ସ ବିଭାଗ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ ।
ଜିଲ୍ଲାର ରାଜନଗର ସ୍ଥିତ "ଆଶୀର୍ବାଦ" ମାଇକ୍ରୋ ଫାଇନାନ୍ସ ନାମକ ସୁନା ଋଣ ସଂସ୍ଥା ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ଆଉ ଏଭଳି ଏକ ବଡ଼ ଘୋଟାଲାର ପୋଲ ନିଜେ ଶାଖା ପରିଚାଳକ ଖୋଲି ଦେଇଛନ୍ତି । ଫାଇନାନ୍ସ ସଂସ୍ଥାର ଶାଖା ପରିଚାଳକ ଏ ଅନିୟମିତତା କରିଥିବା ମାନିଛନ୍ତି । ରିଜିଓନାଲ ମ୍ୟାନେଜର ଜୋର ଜବରଦସ୍ତ ଡରାଇ ଧମକାଇ ଏହି ସୁନା ନିଲାମ କରିବାକୁ ବାଧ୍ୟ କରିଥିଲେ ବୋଲି କହିଛନ୍ତି ଫାଇନାନ୍ସ ଶାଖା ପରିଚାଳକ ।
ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବାରହାପୁର ଗାଁର ଦିଲ୍ଲୀପ କୁମାର ବେହେରାଙ୍କ ପତ୍ନୀ ମୌସୁମୀ ପ୍ରିୟଦର୍ଶନୀ ରାଜନଗର ସ୍ଥିତ ଆଶୀର୍ବାଦ ସୁନା ଋଣ ସଂସ୍ଥାରୁ ୧୦ ଫେବୃଆରୀ ୨୦୨୩ରେ ୨୧୦ ଗ୍ରାମ ସୁନା ଦେଇ ୮ ଲକ୍ଷ ୧୦ ହଜାର ଟଙ୍କା ଋଣ ନେଇଥିଲେ । ନଭେମ୍ବର ୨୦୨୩ରେ ସୁଧ ବାବଦକୁ ୧ ଲକ୍ଷ ଟଙ୍କା ଡିପୋଜିଟ କରିଛନ୍ତି । ତେବେ ଗତକାଲି(ରବିବାର) ଋଣ ସୁଝି ସୁନା ନେବାକୁ ରାଜନଗର ସ୍ଥିତ ସଂସ୍ଥା କାର୍ଯ୍ୟାଳୟରେ ଆସି ପହଞ୍ଚିଥିଲେ ମୌସୁମୀ । ହେଲେ ସେଠାରେ ପହଞ୍ଚିବା ପରେ ସଂସ୍ଥାର ଶାଖା ପରିଚାଳକ "ତୁମ ସୁନା ନିଲାମ ହୋଇ ସାରିଛି" ବୋଲି କହିଥିଲେ।
ଏହା ମଧ୍ୟ ପଢନ୍ତୁ-ଟେଲିଗ୍ରାମରେ ବିଛାଇଥିଲା ଠକେଇ ଜାଲ, ମୟୂରଭଞ୍ଜରୁ ବନ୍ଧା ହେଲା ଠକ
ଏହା ମଧ୍ୟ ପଢନ୍ତୁ- ପିପିଲି IDBI ବ୍ୟାଙ୍କରେ ୩ କୋଟି ୭୦ ଲକ୍ଷ ଠକେଇ, ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ
ତେବେ ଗ୍ରାହକ ଜଣଙ୍କ ମୋତେ ନଜଣାଇ କୌଣସି ନୋଟିସ ନଦେଇ କିପରି ସୁନା ନିଲାମ କଲ ବୋଲି ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ସମ୍ପୃକ୍ତ ସଂସ୍ଥା ପରିଚାଳକ । ଏନେଇ ସୁନା ବନ୍ଧକ ରଖିଥିବା ମହିଳା ମୌସୁମୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସଂସ୍ଥାର ଫିଲ୍ଡ ମ୍ୟାନେଜର, ସଂସ୍ଥାର ଏରିୟା ମ୍ୟାନେଜର ଓ ରିଜିଓନାଲ ମ୍ୟାନେଜରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା