କେନ୍ଦ୍ରାପଡ଼ା: ଜିଲ୍ଲାରେ ମଣିଷ ଖିଆ କୁମ୍ଭୀର ଆତଙ୍କ । ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଟାଣି ନେଲା କୁମ୍ଭୀର । ବ୍ରହ୍ମଣୀ ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ଘଟିଲା ଏପରି ଅଘଟଣ । ଚାନ୍ଦୀ ବାଉଁଶମୂଳ ପଞ୍ଚାୟତ ଦକ୍ଷିଣଭେଡ଼ା ଗାଁରେ ଏହି ଘଟଣା ଘଟିଛି । ଆଜି ସକାଳ ସମୟରେ ସ୍ୱାମୀ ବାଇଧର ମଳିକ ଓ ତାଙ୍କ ସ୍ତ୍ରୀ ଲଙ୍କା ଫସଲରେ ପାଣି ମଡ଼ାଉଥିଲେ । ଏହାପରେ ବାଇଧର ଶୌଚ ହେବା ପାଇଁ ବ୍ରହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି । ଖୋଜା ଖୋଜି ଜାରି ରହିଛି ।
ଆଜି ସକାଳରେ ବାଇଧର ଶୌଚ ହେବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇ ନିଖୋଜ ହୋଇଯିବା ପରେ ତାଙ୍କ ପତ୍ନୀ ଡାକ ପକାଇବାରୁ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ସୁଦ୍ଧା ବାଇଧରଙ୍କ ସନ୍ଧାନ ମିଳିନାହିଁ । ବନବିଭାଗ ମଧ୍ୟ ଖୋଜାଖୋଜି ଜାରି ରଖିଛି । ଗତବର୍ଷ କୁମ୍ଭୀର ଆକ୍ରମଣରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚଳିତବର୍ଷର ଏହା ପ୍ରଥମ କୁମ୍ଭୀର ଆକ୍ରମଣ ଘଟଣା ।
ଏହା ମଧ୍ୟ ପଢନ୍ତୁ-ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ, ମଇଁଷି ଚରାଳିଙ୍କୁ ଟାଣି ନେଲା କୁମ୍ଭୀର
ପୂର୍ବରୁ ଅନେକ ଥର କେନ୍ଦ୍ରାପଡାରୁ କୁମ୍ଭୀର ଆକ୍ରମଣର ଖବର ସାମ୍ନାକୁ ଆସିଛି । କେତେବେଳେ କାହାର ଜୀବନ ଯାଇଛି ତ ଆଉ କିଏ ଅଳ୍ପକେ ବର୍ତ୍ତି ଯାଇଛି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି । ଗତବର୍ଷ ଜୁନ ମାସ 21 ତାରିଖରେ ଏହି ପଞ୍ଚାୟତ ଅନ୍ତର୍ଗତ ହାତିଆଗଡ଼ି ଗାଁର ଜଣେ ମହିଳା ବାରି ପଛପାଖରେ ଥିବା ପୋଖରୀରେ ବାସନ ମାଜୁଥିବା ବେଳେ ମହିଳାଙ୍କୁ କୁମ୍ଭୀର ଝାମ୍ପି ନେଇଥିଲା । ସେହିବର୍ଷ ଜୁନ 28 ତାରିଖରେ ଏକ କୁମ୍ଭୀରକୁ ଜାଲ ପକାଇ ମାଡି ବସିଥିଲା ବନବିଭାଗ । ଜୁନ 29 ତାରିଖରେ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ମୁହଁରେ ପଡିଥିଲେ ଜଣେ ବୃଦ୍ଧ । ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର । ଦୀର୍ଘ ସମୟ ଖୋଜାଖୋଜି ପରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଗତମାସ ଜୁନ 14ରେ ଜଣେ ଛାତ୍ରଙ୍କ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିଲା । ଜୁଲାଇ 28 ତାରିଖରେ ପଟ୍ଟାମୁଣ୍ଡାଇରେ ଜଣେ ବାବାଙ୍କୁ ଟାଣି ନେଇଥିଲା କୁମ୍ଭୀର । ଅମୂଲ୍ୟ ଦାସ ଓରଫ ଟିକିଲି ବାବା କୂଳସାହିରେ ଥିବା ବ୍ରାହ୍ମଣୀ ନଦୀ ତୁଠକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ହାବୁଡରେ ପଡିଥିଲେ । କୁମ୍ଭୀର ତାଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା । ଖୋଜା ଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।
ସେପ୍ଟେମ୍ବର ମାସରେ କେନ୍ଦ୍ରାପଡ଼ାର କଶୋଟିବାଲି ଗ୍ରାମର ଲୁଣାନଦୀରେ ଗାଧୋଉଥିବା ବେଳେ ପ୍ରାୟ 8 ଫୁଟ ଲମ୍ବର ଏକ କୁମ୍ଭୀର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । କିନ୍ତୁ କୁମ୍ଭୀର ମୁହଁରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେହିପରି ଅଗଷ୍ଟ 31 ତାରିଖରେ ଶୌଚ ପାଇଁ ଯାଇଥିବା ବେଳେ ଜଣେ ମଇଁଷି ଚରାଳିଙ୍କୁ କୁମ୍ଭୀର ଟାଣି ନେଇଥିଲା । ରାଜନଗର ବ୍ଲକର ରାଜପୁର ପଞ୍ଚାୟତରୁପ ସାମ୍ନାକୁ ଆସିଥିଲା ଏପରି ଖବର । କୁମ୍ଭୀର ମୁହଁକୁ ଯାଇଥିବା ବ୍ୟକ୍ତି ହେଉଛନ୍ତି ରାଜପୁର ଗାଁର ଭାସ୍କର । ତେବେ କେନ୍ଦ୍ରାପଡ଼ାରେ କୁମ୍ଭୀର ଆକ୍ରମଣ ବୃଦ୍ଧି ପାଇବାକୁ ନେଇ ନଦୀକୂଳିଆବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା