ସମ୍ବଲପୁର: ଶାନ୍ତିପୂର୍ଣ୍ଣ ସମ୍ବଲପୁର ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ କାର୍ଯ୍ୟକଳାପ । କେତେବେଳେ ଲୁଟ୍ ତ କେତେବେଳେ ଡକାୟତି ଆଉ କେତେବେଳେ ହତ୍ୟାକାଣ୍ଡ ଆଉ ଛିନତାଇ । ଏମିତି ଦିନ ଦିପହରେ ଘଟୁଛି ଅପରାଧ । ଅନ୍ୟପଟେ ପୋଲିସର ହାତ ଖାଲି । ଏଭଳି ପରିସ୍ଥିତିରେ ସାଧାରଣ ଜନତା ଭୟଭୀତ ହୋଇପଡ଼ିଥିବା ବେଳେ ଜିଲ୍ଲା ପୋଲିସର ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ । ଜିଲ୍ଲାରେ ଏଭଳି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ କରିଛନ୍ତି ସଚେତନ ଲୋକ ।
ଫେବୃଆରୀ 16 ତାରିଖରେ ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳାର ଏକ ସୁନା ବ୍ୟବସାୟୀଙ୍କ ଉପରକୁ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ କରିଥିଲେ ଅପରାଧୀ । ଏହି ଗୁଳିମାଡ଼ରେ ବ୍ୟବସାୟୀ ସୁଜିତ ସ୍ବର୍ଣ୍ଣକାରଙ୍କ ପେଟରେ ଗୁଳି ବାଜିଥିବା ବେଳେ ବର୍ତ୍ତମାନ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗତ ଶୁକ୍ରବାର ଅପରାହ୍ନ ପ୍ରାୟ, 2ଟା 45 ମିନିଟରେ ଜନଗହଳିପୂର୍ଣ୍ଣ ରାସ୍ତାରେ 2ଟି ବାଇକରେ 6 ଜଣ ଦୁର୍ବୃତ୍ତ ଆସି ସୁନା ଦୋକାନ ପଶିଥିଲେ । ସୁନା ଚେନ ଦେଖିବା ବାହାନାରେ ଆସି ବ୍ୟବସାୟୀ ସୁଜିତ ସ୍ବର୍ଣ୍ଣକାରଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ତେବେ ଏହି ଗୁଳିମାଡ଼ ଲୁଟ ଉଦ୍ଦେଶ୍ୟରେ ହୋଇଥିଲା ନା ବ୍ୟବସାୟିକ ଶତୃତା ରହିଛି, ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ ପୋଲିସର ହାତ ଏବେ ବି ଖାଲି ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...ସୁନା ଦୋକାନ ଲୁଟ୍ ଉଦ୍ୟମ, ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳିମାଡ଼
ଏହା ପୂର୍ବରୁ ଗତ ସେପ୍ଟେମ୍ବର 24 ତାରିଖରେ ଦିନ ଦ୍ବିପ୍ରହରରେ ସମ୍ବଲପୁର ସହର ନିକଟ ମାନେଶ୍ଵର ଗାଁର ମାନ୍ଧାତା ବାବା ସୁନା ଦୋକାନରୁ ଡକାୟତ ମାନେ ସଶସ୍ତ୍ର ଆସି ଡକାୟତି କରିଥିଲେ । ଏହି ଘଟଣାରେ ଆଜି ବି ପୋଲିସର ହାତ ଖାଲି ରହିଛି । ଏହା ପୂର୍ବରୁ ଗତ ଜାନୁଆରୀ 19 ତାରିଖରେ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଦଳଦଳିପଦାର ନାନାଗ୍ରାମ ସ୍କୁଲ ନିକଟରେ ଗୁଡ୍ଡୁ ରାଉତ (19) ନାମକ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ଛୁରୀରେ ବାରମ୍ବାର ଭୁସି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସକାଳ 8ଟାରେ ଘଟିଥିଲା । ଗୁଡ୍ଡୁ ସକାଳେ କାମ କରିବାକୁ ଯାଉଥିବା ବେଳେ ପୂର୍ବ ଶତ୍ରୁତା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ ଓ କ୍ଷେତରାଜପୁର ଥାନା ଘେରାଉ କରିଥିଲେ । ନିକଟରେ ଗତ ଫେବୃଆରୀ 10 ତାରିଖରେ ସମ୍ବଲପୁର ସହର ନିକଟ ଶାସନ ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାରର ବଲବସପୁର ନିକଟରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା । ମହିଳାଙ୍କୁ ହତ୍ୟା କରାଯାଇ ପୋଡି ଦିଆଯାଇଥିଲା । ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ଥିଲେ ହୀରାକୁଦ ସହରର ଶଶି ପାଗଡା । ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଲୋକେ ହୀରାକୁଦ ଥାନା ଘେରାଉ କରିଥିଲେ ।
ଏହା ପରେ ଆଜି ଦିନ ପ୍ରାୟ 11ଟା ସମୟରେ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି କୁସୁମପଡାଠାରେ ରିଙ୍କୁ ନନ୍ଦ ନାମକ ଜଣେ ଯୁବକଙ୍କୁ ଜଣେ ଦୁର୍ବୃର୍ତ୍ତ ଧାରୁଆ ଅସ୍ତ୍ର ଆଉ କାଠ ଫାଳିଆରେ ଆକ୍ରମଣ କରିଥିଲା । ଆହତ ଯୁବକଙ୍କୁ ଭୀମସାର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ସମ୍ବଲପୁରରେ ବର୍ତ୍ତମାନ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା କହିଛନ୍ତି ସଚେତନ ନାଗରିକ । ସମ୍ବଲପୁର ସହରରେ ପ୍ରତ୍ୟେକ ଦିନ କିଛି ନା କିଛି ଅପରାଧ ହେଉଛି । ସମ୍ବଲପୁରର ବରିଷ୍ଠ ଆଇନଜୀବୀ ଡଃ ପ୍ରମୋଦ ରଥ କହିଛନ୍ତି, "ପୋଲିସର ଅପରାଧ ନିୟନ୍ତ୍ରଣ ପାଇଁ ଦକ୍ଷତା ରହିଛି । ତେବେ ପୋଲିସକୁ ଶାସକ ଦଳର କାର୍ଯ୍ୟରେ ଲଗାଯାଉଛି । ଏଭଳି ସ୍ଥିତିରେ ଅପରାଧ ନିୟନ୍ତ୍ରଣ ହୋଇପାରୁନି ।" ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ କହିଛନ୍ତି, "ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପଦକ୍ଷେପ ନେଉଛି । ତେବେ ଯେଉଁ ଭଳିଆ ପଦକ୍ଷେପ ପୋଲିସ ନେବା କଥା, ତାହା ହୋଇ ପାରୁନି ।"
ଇଟିଭି ଭାରତ, ସମ୍ବଲପୁର