ଖୋର୍ଦ୍ଧା: ଜିଲ୍ଲାର ନଅଟି ପଞ୍ଚାୟତବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ଶେଷରେ ସାନପଦରରେ ରେଳ ପାସେଞ୍ଜର ହଲଟ କାର୍ଯ୍ୟ ଆରମ୍ଭ ହୋଇଛି । ଗତ ୬ ତାରିଖରେ ରେଳମନ୍ତ୍ରୀ ଦଶପଲ୍ଲା ଷ୍ଟେସନ ଉଦଘାଟନ ପାଇଁ ଯିବା ସମୟରେ ସାନପଦର ଗ୍ରାମବାସୀ ପକ୍ଷରୁ ମନ୍ତ୍ରୀଙ୍କୁ ଅଟକାଇ ରେଳଷ୍ଟେସନ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିବେଦନ କରାଯାଇଥିଲା । ତେବେ ଗତକାଲି ନଡିଆ ଭାଙ୍ଗି ଶୁଭାରମ୍ଭ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା । ଏହି ଅବସରରେ ରାଜ୍ୟ ସରାକରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସାଂସଦ ।
ତେବେ ୨୦ ଦିନ ଭିତରରେ ରେଳଷ୍ଟେସନ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ରେଳମନ୍ତ୍ରୀ । ରେଳମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରଖି ଗତକାଲି(୧୯ ଦିନରେ) ସାନପଦର ଠାରେ ରେଳ ଷ୍ଟେସନ କାର୍ଯ୍ୟ ଆରମ୍ଭ କରିଛି ରେଳବିଭାଗ । ସାଂସଦ ଅପରାଜିତା କହିଛନ୍ତି ," କେନ୍ଦ୍ର ସରକାର ଲୋକମାନଙ୍କ ଦାବିକୁ ପ୍ରାଥମିକତା ଦେଉଛନ୍ତି । ସାନପଦର ଠାରେ ଏହି ଷ୍ଟେସନ ହେବା ଦ୍ବାରା ଏଠାକାର ୯ ପଞ୍ଚାୟତବାସୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ଯାହା ଦ୍ବାରା ଅଞ୍ଚଳ ଆଗକୁ ଯିବାରେ ଷ୍ଟେସନ ସହାୟକ ହେବ । "
ସେହିପରି ମଞ୍ଚ ଉପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଅପରାଜିତା କହିଥିଲେ ପାଞ୍ଚ ବର୍ଷରେ ଯାହା ହୋଇଛି ତାହା ୨୩ ବର୍ଷରେ ସରକାର ତାହା କରିବାରେ ଅସମର୍ଥ ହୋଇଛନ୍ତି । ଏହିପରି କହି ରାଜ୍ୟ ସରକାରଙ୍କୁ ପୁଣି ସମାଲୋଚନା କରିଥିଲେ । ଏହି ଅବସରରେ ରେଳବିଭାଗ ପକ୍ଷରୁ ପ୍ରାୟ ଏକ କୋଟି ଟଙ୍କାରେ ଏହି ଷ୍ଟେସନ ନିର୍ମାଣ ହେବ ଏବଂ ଖୁବଶୀଘ୍ର ଏହାର କାମ ଶେଷ ହେବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।
ଏହା ମଧ୍ୟ ପଢନ୍ତୁ .....ଟ୍ରେନ ଅଟକାଇ ଷ୍ଟେସନ ନିର୍ମାଣ ପାଇଁ ଦାବି, ସମସ୍ୟା ଶୁଣିଲେ ରେଳମନ୍ତ୍ରୀ
ଏହା ମଧ୍ୟ ପଢନ୍ତୁ ...ସାନପଦରରେ ନିର୍ମାଣ ହେବ ରେଳ ଷ୍ଟେସନ, ସୂଚନା ଦେଲା ରେଳ ବୋର୍ଡ
ସେହିପରି କେବଳ ସାନପଦର ପାସେଞ୍ଜର ହଲଟ ନୁଁହ ବରଂ ଖୋର୍ଦ୍ଧା ଜିଲ୍ଲାର ତରାବୋଇ ଏବଂ ଅଟ୍ରି ଷ୍ଟେସନ କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି । ରେଳ ବିଭାଗ ଦ୍ଵାରା ଆୟୋଜନ କରାଯାଇଥିବା ଆଜିର କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ଡିଭିଜନର ସିନିୟର ଇଜିନିୟର ଚନ୍ଦ୍ରଭାନୁ ନାୟକ ଯୋଗ ଦେଇଥିଲେ । ଏହି ଷ୍ଟେସନ କାର୍ଯ୍ୟ ଖୁବଶୀଘ୍ର ଶେଷ କରାଯିବ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଖୁବଶୀଘ୍ର ପୂରଣ ହେବ ବୋଲି ସୂଚନା ଦେଇଛନ୍ତି ।
ଇଟିଭି ଭାରତ,ଖୋର୍ଦ୍ଧା