କଟକ: ନିର୍ବାଚିତ ଜନ ପ୍ରତିନିଧିଙ୍କ ରାଲିରେ ଦିଆଯାଇଥିବା ସ୍ଲୋଗାନକୁ ନେଇ ତେଜୁଛି ବିବାଦ । ପାକିସ୍ତାନ ଜିନ୍ଦାବାଦ...ସୋଫିଆ ଦିଦି ଜିନ୍ଦାବାଦ... ମୋକିମ ଭାଇ ଜିନ୍ଦାବାଦ... ଏଭଳି ନାରାକୁ ନେଇ ଏବେ କଟକ କାହିଁକି ବରଂ ସାରା ରାଜ୍ୟରେ ଏବେ ଜୋରରେ ଚର୍ଚ୍ଚା ଧରିଛି । କଟକରେ ପୁଣି ପାକିସ୍ତାନ ନାରା କାହିଁକି ଦିଆଗଲା ! କେଉଁ ପରିସ୍ଥିତିରେ ଏଭଳି ନାରା ଦିଆଗଲା । ତାହା ପୁଣି ଜଣେ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟିକାଙ୍କ ରାଲିରେ, ଯାହାକୁ ନେଇ ଏହି ମାମଲା ଏବେ ଥାନାରେ ପହଁଞ୍ଚିଛି । କଟକ ଲାଲବାଗ ଥାନାରେ ଏହି ଘଟଣାର ତଦନ୍ତ ପାଇଁ ୪ଟି ଏତଲା ଦିଆଯାଇଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଘଟଣାର ତଦନ୍ତ ପାଇଁ ମାମଲା ଦାୟର କରାଯାଇଛି । ଯେଉଁମାନେ ଏହି ଘଟଣାର ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ଅନ୍ୟପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓକୁ ନେଇ ଆଜି ସାଇବର ଥାନାରେ ଏତଲା ଦେଇଛି କଂଗ୍ରେସ । କଂଗ୍ରେସ କର୍ମୀ ମାନେ କହିଛନ୍ତି, ନିର୍ବାଚନ ଜିତିବା ପରେ ସ୍ଥାନୀୟ ଯୁବ ଗୋଷ୍ଠୀ ସୋଫିଆ ଜିନ୍ଦାବାଦ, ମୋକିମ ଭାଇ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ । ସେହି ସମୟ ରେ ସମସ୍ତ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ । କିନ୍ତୁ ପରେ ଭିଡିଓକୁ ଏଡିଟ କରାଯାଇ କଂଗ୍ରେସ ଦଳକୁ ବଦନାମ କରିବା ସହ କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ସମ୍ମାନ ହାନି କରିବାକୁ ଷଡ଼ଯନ୍ତ୍ର କରାଯାଉଛି । ଆଜି କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏକାଧିକ କଂଗ୍ରେସ କର୍ମୀ ।
ଏହା ମଧ୍ୟ ପଢନ୍ତୁ ... ରାଜ୍ୟର ପ୍ରଥମ ମୁସଲିମ୍ ମହିଳା ବିଧାୟକ ସୋଫିଆ, ଭାଙ୍ଗିଲେ ୫୨ ବର୍ଷର ରେକର୍ଡ - 1st Muslim Women MLA Sofia
ଉଦ୍ଦେଶ୍ୟମୂଳକ ଭାବରେ ଦେଶ ବିରୋଧୀ ସ୍ଲୋଗାନ ଶୁଣିବାକୁ ମିଳୁଥିବା ଏକ ଫେକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଏହାର ପ୍ରଚାର ପ୍ରସାର କରାଯାଉଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ କର୍ମୀ । ଗତ ଚାରି ତାରିଖ ସନ୍ଧ୍ୟାରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥିନୀ ସୋଫିଆ ଫିର୍ଦ୍ଦୋସଙ୍କୁ ବିଜୟ ଘୋଷିତ କରାଯିବା ପରେ, ଲାଲବାଗ ଥାନା ଅଞ୍ଚଳରେ ଏକ ବିଜୟ ଶୋଭାଯାତ୍ରା ସମୟର ଭିଡ଼ିଓକୁ ଏଡିଟ କରି ଏଭଳି ଦେଶ ବିରୋଧୀ ଫେକ ସ୍ଲୋଗାନ ପ୍ରସ୍ତୁତ କରାଯାଇଥିବା ଏତଲାରେ ଦର୍ଶାଯାଇଛି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ ପତ୍ରରେ ନିବେଦନ କରିଛନ୍ତି କଂଗ୍ରେସ କର୍ମୀ ।
ଇଟିଭି ଭାରତ, କଟକ