ଭୁବନେଶ୍ୱର: ଇଲେକ୍ଟୋରାଲ ବଣ୍ଡକୁ ନେଇ ବିଜେଡି ଓ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ । ସାରା ଦେଶରେ ଆଞ୍ଚଳିକ ଦଳ ଭାବରେ ସର୍ବାଧିକ ଚାନ୍ଦା ନେଇଥିବା ଦଳ ବିଜେଡି ହୋଇଥିବା ବେଳେ କେଉଁଭଳି ଭାବେ ଏହା ଏକ ସ୍ୱଚ୍ଛ ଦଳ ହେଲା ପ୍ରଶ୍ନ କରିଛି କଂଗ୍ରେସ । ବଡ ବଡ କମ୍ପାନୀ କେଉଁ କାରଣ ପାଇଁ ବିଜେଡିକୁ ଏତେ ଅର୍ଥ ଚାନ୍ଦା ଦେଇଛନ୍ତି ତାର ଉତ୍ତର ବିଜେଡି ଦେଉ ବୋଲି ଦାବି କରିଛି କଂଗ୍ରେସ ।
ରାଜନୈତିକ ଦଳଗୁଡିକୁ ଆସିଥିବା ଚାନ୍ଦା ଗୁଡିକ ବିଷୟରେ ନିର୍ବାଚନ ଅଧିକାରୀ ସାର୍ବଜନୀନ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ଇନଚାର୍ଜ ବବିତା ଶର୍ମା ଓ ରାଜ୍ୟ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।
କଂଗ୍ରେସ କହିଛି ଯେ, ବିଜେଡିକୁ ସବୁଠୁ ଅଧିକ ଚାନ୍ଦା ଆଦିତ୍ୟ ବିର୍ଲା ଗ୍ରୁପ ଦେଇଛି । ପ୍ରାୟ 200 କୋଟିରୁ ଅଧିକ ଚାନ୍ଦା ଦେଇଛି ଆଦିତ୍ୟ ଗ୍ରୁପ । ସେହିପରି ଜିନ୍ଦଲ କଂପାନୀ ଦେଇଛି 300 କୋଟି । ପଶ୍ଚିମବଙ୍ଗର ଦୁଇଟି ମଦ କମ୍ପାନୀ ଠାରୁ ବିଜେଡି ଚାନ୍ଦା ଆଦାୟ କରିଛି । ବିଭିନ୍ନ କମ୍ପାନୀଙ୍କ ପାଖରୁ ନିର୍ବାଚନୀ ଚାନ୍ଦା ଆସିଛି 944 କୋଟିରୁ ଅଧିକ । ଆଉ ମଧ୍ୟ ବିଜେଡିକୁ ଏସସେଲ ମାଇନିଙ୍ଗ ଗ୍ରୁପରୁ 174 କୋଟି, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ କମ୍ପାନୀରୁ 70 କୋଟି, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରରୁ 100 କୋଟି, ଜିନ୍ଦଲ ଷ୍ଟେନଲେସରୁ 30 କୋଟି ସେହିଭଳି ରଶ୍ମି ସିମେଣ୍ଟ ଏବଂ ରଶ୍ମି ମେଟାଲିକରୁ 72 କୋଟି ଏବଂ ଓଡିଶା ମେଟାଲିକରୁ 18 କୋଟି ଟଙ୍କା ଚାନ୍ଦା ନେଇଛି ବିଜେଡି । ସାରା ଦେଶରେ ଆଞ୍ଚଳିକ ଦଳ ଭାବରେ ସର୍ବାଧିକ ଚାନ୍ଦା ନେଇଥିବା ଦଳ ହେଉଛି ବିଜେଡି । ଏଭଳି ସ୍ଥିତିରେ ବିଜେଡି କେଉଁଭଳି ଭାବରେ ଏକ ସ୍ୱଚ୍ଛ ଦଳ ହେଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ଏହାମଧ୍ୟ ପଢନ୍ତୁ.. ମେଣ୍ଟ ଚର୍ଚ୍ଚାରେ ବିରାମ ପରେ ପଦ୍ମ ଶିବିର ଉତ୍ସାହିତ, ମନାଇଲେ ଉତ୍ସବ - BJP CELEBRATION
ଏତେ ବଡ ବଡ କମ୍ପାନୀ କେଉଁ କାରଣ ପାଇଁ ବିଜେଡି ଦଳକୁ ଏତେ ଅର୍ଥ ଚାନ୍ଦା ଦେଇଛନ୍ତି ତାର ଉତ୍ତର ବିଜେଡି ଦେଉ ବୋଲି ଦାବି କରିଛି କଂଗ୍ରେସ । ସେପଟେ କୋଭିଡ ସମୟରେ ମଧ୍ୟ କେନ୍ଦ୍ର ସରକାର ବହୁ ମେଡ଼ିସିନ କମ୍ପାନୀ ଗୁଡ଼ିକରୁ ପାଖାପାଖି 8 ସହ କୋଟି ଟଙ୍କା ଚାନ୍ଦା ଆଦାୟ କରିଛି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା । ବିଜେଡି ୧୦୧୯.୫ କୋଟି ଟଙ୍କା ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି । ବର୍ଷ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କୁ ଭୂଆଁ ବୁଲାଉଥିବା ଓ ନବୀନ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ କହିଛି କଂଗ୍ରେସ ।
ଅନ୍ୟପଟେ ବବିତା ଶର୍ମା କହିଛନ୍ତି ଯେ, ବିଜେପି ଜୁଲମ କରି ରାଜନୈତିକ ପାଣ୍ଠି ଆଦାୟ କରୁଥିବା ଦଳ । ଏଥିପାଇଁ ଇଡି, ସିବିଆଇ ଏବଂ ଆଇଟିକୁ ବିଭିନ୍ନ ଶିଳ୍ପପତି ଓ ବ୍ୟବସାୟୀମାନଙ୍କ ବିରୁଦ୍ଧରେ ବ୍ୟବହାର କରି ତାଙ୍କୁ ଭୟଭୀତ କରି ବିଜେପି ୬ ବର୍ଷ ଭିତରେ ୮ ହଜାର ୨୫୨ କୋଟି ଟଙ୍କା ରାଜନୈତିକ ପାଣ୍ଠି ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ବିଜୁ ଜନତା ଦଳ ଏକ ଆଂଚଳିକ ଦଳ ହୋଇ ମଧ୍ୟ ଭାରତ ବର୍ଷର ରାଜନୈତି ଚାନ୍ଦା ପାଇଥିବା ୫ମ ବୃହତମ ଦଳ । ଏହି ଚାନ୍ଦା ୨୦୧୮ ଜୁଲାଇ ମାସରୁ ୨୦୨୪ ଫେବୃଆରୀ ମଧ୍ୟରେ ବିଜୁ ଜନତା ଦଳ ବିଭିନ୍ନ ଖଣି କମ୍ପାନୀ ଏବଂ ଷ୍ଟିଲ କମ୍ପାନୀ ମାନଙ୍କ ଠାରୁ ପାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର