ଭଦ୍ରକ: ଭିଜିଲାନ୍ସ ତଦନ୍ତ ବେଳେ ସରପଞ୍ଚ ଏବଂ ଭିଜିଲାନ୍ସ ବିଭାଗ ଅଧିକାରୀ ମୁହାଁମୁହିଁ । ଭଦ୍ରକ ଗୁଜିଦରଡ଼ା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭିଜିଲାନ୍ସ ବିଭାଗ ଅଧିକାରୀ ଯାଞ୍ଚ ପାଇଁ ଆସିଥିିବା ବେଳେ ସ୍ଥାନୀୟ ସରପଞ୍ଚ ବିରୋଧ କରିଥିଲେ । ଏହାକୁ ନେଇ ସରପଞ୍ଚ ଏବଂ ଭିଜିଲାନ୍ସ ବିଭାଗ ଅଧିକାରୀ ମୁହାଁମୁହିଁ ହୋଇଥିଲେ ।
ସୂଚନା ଅନୁସାରେ, ଗୁଜିଦରଡ଼ା ପଞ୍ଚାୟତର 10ରୁ ଅଧିକ ରାସ୍ତା ଏବଂ ଡ୍ରେନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ସହିତ ଫଲ୍ସ ବିଲ୍ ହୋଇଥିବାର ଅଭିଯୋଗ ପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଏହି ଦୁର୍ନୀତିର ଏକ ବୈଷୟିକ ତଦନ୍ତ କରିବା ପାଇଁ ଗତ କିଛି ଦିନ ପୂର୍ବରୁ ଭିଜିଲାନ୍ସ ଅଧିକାରୀମାନେ ଗୁଜିଦରଡ଼ା ପଞ୍ଚାୟତକୁ ଯାଇଥିଲେ । କିନ୍ତୁ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ବରେ ଏଠାକାର ଲୋକେ ତାଙ୍କୁ ବିରୋଧ କରି ଫେରାଇ ଦେଇଥିଲେ । ତେବେ ଏହାକୁ ନେଇ ସ୍ଥାନୀୟ ପୋଲିସର ସାହାଯ୍ୟ ନେଇଥିଲେ ଭିଜିଲାନ୍ସ ଅଧିକାରୀ ।
ଭିଜିଲାନ୍ସ ବିଭାଗ ଏହି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହାୟତାରେ ସେଠାରେ ପହଞ୍ଚିଥିଲେ । ରାସ୍ତା ଏବଂ ଡ୍ରେନ ମାପିବା ସମୟରେ ସ୍ଥାନୀୟ ସରପଞ୍ଚ ବିରୋଧ କରିଥିଲେ । ଫଳରେ ଏହାକୁ ନେଇ ପୁଣି ସରପଞ୍ଚ ଏବଂ ଭିଜିଲାନ୍ସ ବିଭାଗ ଅଧିକାରୀ ମୁହାଁମୁହିଁ ହୋଇଥିଲେ । ସେଠାରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶେଷରେ ଉପରିସ୍ଥ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ପଞ୍ଝାରେ ହିନ୍ଦୋଳ BEO, ଭଦ୍ରକ ବାସଭବନରେ ଚଢାଉ
ଭଦ୍ରକ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ବାଲେଶ୍ୱର, ଯାଜପୁର ଏବଂ ଟିଟିଲାଗଡ଼ରୁ ଆସିଥିବା ବୈଷୟିକ ଟିମ ଏହି ପଞ୍ଚାୟତର ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟର ମାନ ପରିଖିଥିଲେ । ତେବେ ଏହି ପଞ୍ଚାୟତ ଅର୍ନ୍ତଗତ 18 ଗୋଟି ପ୍ରକଳ୍ପର ରାସ୍ତା ଘାଟ ଏବଂ ଡ୍ରେନ ଆଦି ନିର୍ମାଣରେ ପ୍ରାୟ 1 କୋଟି ଟଙ୍କାରୁ ଉର୍ଦ୍ଧ ପରିମାଣର ମିଥ୍ୟା ବିଲ କରାଯାଇ ଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା ବୋଲି ସୂଚନା ମିଳିଛିି । ତେଣୁ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ ଏବଂ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏହା ଆହୁରି 2ରୁ 3 ଦିନ ଲାଗିବା ନେଇ ସୂଚନା ମିଳିଛି । ତେବେ ବର୍ତ୍ତମାନ ତଦନ୍ତ ଜାରି ରହିଛି ଏସମ୍ପର୍କରେ ବର୍ତ୍ତମାନ କୌମସି ପ୍ରତିକ୍ରିୟା ଦିଆଯାଇ ପାରିବ ନାହିଁ ବୋଲି ଭିଜିଲାନ୍ସ ଡିଏସପି ଇନଚାର୍ଜ କହିଛନ୍ତି ।
ଇଟିଭି ଭାରତ, ଭଦ୍ରକ