ଖୋର୍ଦ୍ଧା/ଜଗତସିଂହପୁର : ରାଜ୍ୟରେ ସିକିମ ସ୍ୱତ୍ବ ଭାବେ ରେକର୍ଡ ହୋଇଥିବା ଜମିର ଦଖଲକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ବର୍ଷ ବର୍ଷ ଧରି ସେହି ଜମିରେ ରହିଆସୁଥିବାବେଳେ ସେମାନଙ୍କର ଅଧିକାର ସେ ଜମିରେ ନ ଥିଲା। ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତିକ୍ରମେ ଜମିର ମାଲିକ ହୋଇପାରିଛନ୍ତି ଦଖଲକାରୀ। ଖୋର୍ଦ୍ଧା ଜିଲ୍ଲା ସ୍ଥିତ ହାବେଳି ପଡ଼ିଆରେ ପଟ୍ଟା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଲୋକଙ୍କ ଆବଶ୍ୟକତା ପୂରଣ ଓ ଅସୁବିଧାକୁ ଦୂର ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ ।" ୫T ତଥା ନବୀନ ଓଡି଼ଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଏହି ଯୁଗାନ୍ତକାରୀ ପଦକ୍ଷେପ ମୁଖ୍ୟମନ୍ତ୍ରୀଙ୍କ ଦୃଢ ଇଛା ଶକ୍ତି ଦ୍ଵାରା ସମ୍ଭବ ହୋଇପାରିଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ । ଜିଲ୍ଲାର 13 ହଜାରରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ 1ହଜାର 53 ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ଚଞ୍ଚଲ ରାଣା । ଏହି ସମାରୋହରେ ୫ଜଣଙ୍କୁ ପ୍ରତିକାତ୍ମକ ଭାବେ ଜମି ପଟ୍ଟା ବଣ୍ଟନ କରାଯାଇଥିବାବେଳେ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି।
ସେହିପରି ଜଗତସିଂହପୁରରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସିକିମ ସ୍ୱତ୍ବାଧିକାରୀ ଚାଷୀମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନର ଶୁଭାରମ୍ଭ କରିଛନ୍ତି । ସୂଚନା ଅନୁସାରେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ 6 ଜାନୁଆରୀରେ ଭୂସଂସ୍କାର ଆଇନ 1960ରେ ଆବଶ୍ୟକୀୟ ସଂଶୋଧନ ହୋଇଥିଲା । ଜନସାଧାରଣଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପଟ୍ଟା ଦ୍ଵାରା ସିକିମ ଚାଷୀମାନେ ତାଙ୍କ ଦଖଲରେ ଥିବା ଜମି ଉପରେ ସ୍ଥାୟୀ, ବଂଶାନୁକ୍ରମିକ ଓ ହସ୍ତାନ୍ତର ଯୋଗ୍ଯ ଅଧିକାର ପାଇପାରିବେ । ଏହି ଅବସରରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସମସ୍ତ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଜିଲ୍ଲା ସ୍ତରୀୟ ଏହି ପଟ୍ଟା ବିତରଣ ଅବସରରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏହି ନୂତନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ଜଗତସିଂହପୁର ଜିଲ୍ଲାର 4ହଜାର 844 ଜଣ ସିକିମ ଚାଷୀମାନଙ୍କୁ ମାଲିକାନା ସତ୍ତ୍ଵ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର 8 ଟି ତହସିଲର 1ହଜାର 21 ଜଣ ହିତାଧିକାରୀଙ୍କୁ ଆଜି ଏହି ପଟ୍ଟା ପ୍ରଦାନ କରାଯାଇଛି। ଏଥିମଧ୍ୟରେ ବାଲିକୁଦାର 133, ବିରିଡ଼ିର 56,ଏରସମାର 156, ଜଗତସିଂହପୁରର 109, କୁଜଙ୍ଗର 133, ନାଉଗାଁର 205, ରଘୁନାଥପୁରର 118, ତିର୍ତ୍ତୋଲର 111 ଜଣ ଚାଷୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।
ଇଟିଭି ଭାରତ,ଖୋର୍ଦ୍ଧା/ଜଗତସିଂହପୁର