କେନ୍ଦୁଝର: ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଗୃହଜିଲ୍ଲା କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗସ୍ତର ଦ୍ୱିତୀୟ ଦିନରେ ସ୍ଥାନୀୟ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ‘ଜନସେବା ଦିବସ’ ଅବସରରେ କେନ୍ଦୁଝରଠାରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଲୋକଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ‘ମଧୁବାବୁ ଭତ୍ତା ଯୋଜନା’ ଓ ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବାବଦରେ ୩୫୦୦ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
- ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଲୋକଙ୍କ ସରକାର: ମୁଖ୍ୟମନ୍ତ୍ରୀ
ଆଜି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ ଆଜି ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ଆଜି ତାହା ଲୋକଙ୍କ ସରକାର ପୂରଣ କରିଛନ୍ତି । ରାଜ୍ୟରେ ୮୦ ବର୍ଷରୁ ଅଧିକ ବୟସର ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ଵ ଭିନ୍ନକ୍ଷମଙ୍କୁ ମାସିକ ୧୨୦୦ ଟଙ୍କା ବଦଳରେ ୩୫୦୦ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯିବ । ଏହାଦ୍ୱାରା ରାଜ୍ୟର ମୋଟ ୪ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଉପକୃତ ହେବେ ଏବଂ ସେମାନଙ୍କ ସଶକ୍ତିକରଣ ସହ ଜୀବନଧାରଣ ମାନରେ ନିଶ୍ଚୟ ଉନ୍ନତି ଆସିବ ।’’
- ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସବୁବର୍ଗର ବିକାଶକୁ ଗୁରୁତ୍ବ ଦିଆଯାଉଛି: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ ରାଜ୍ଯରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷାକୁ ଗୁରୁତ୍ଵ ଦେଇ ଅନେକ ଜନକଲ୍ଯାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ସିଏମ କିଷାନ, ୩୧୦୦ ଟଙ୍କାରେ ଧାନ କିଣା, ସୁଭଦ୍ରା ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସବୁ ବର୍ଗର ବିକାଶକୁ ଗୁରୁତ୍ଵ ଦିଆଯାଉଛି । ସମସ୍ତଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ, ଭିତ୍ତିଭୂମି ସୁଦୃଢ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ୨୦୩୬ ମସିହା ସୁଦ୍ଧା 'ବିକଶିତ ଓଡ଼ିଶା' ନିର୍ମାଣ ହେବ, ସେଥିପାଇଁ ଆମ ସରକାର ପ୍ରତିବଦ୍ଧ ।’’


ଏହା ମଧ୍ୟ ପଢନ୍ତୁ:- କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, 'ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ MoU' ଏହା ବି ପଢନ୍ତୁ...ତିନିଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇଲେ ମକର ବୁଡ |
- କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏମାନେ:-
ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଆର୍ଥିକ ଅନୁଦାନ, ୮୦ ବର୍ଷରୁ ଊର୍ଦ୍ଧ ବୃଦ୍ଧ ବୃଦ୍ଧା ଏବଂ ଭିନ୍ନକ୍ଷମଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତେଲକୋଇ ବିଧାୟକ ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ନାୟକ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଜିଲ୍ଲା ପରିଷଦ ଅଧକ୍ଷା ସାଗରିକା ସାହୁଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବଡବିଲ ମହୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
