ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ବିଦ୍ୟୁତ ଚାହିଦା । ଆସନ୍ତା ୫ ବର୍ଷରେ ରାଜ୍ୟର ବିଦ୍ୟୁତ ଚାହିଦାର ପିକ ଡିମାଣ୍ଡ ପ୍ରାୟ ୧୦ ହଜାର ମେଗାୱାଟରେ ପହଞ୍ଚିବା ନେଇ ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ରୋଡମ୍ୟାପ ପ୍ରସ୍ତୁତ କରିବାକୁ ପଡିବ । ରାଜ୍ୟର ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା ବେଳେ ଏଥିପାଇଁ ପ୍ରସ୍ତୁତ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
- 2029-30 ବିଦ୍ୟୁତ ଚାହିଦାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ରୋଡମ୍ୟାପ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି (ଶୁକ୍ରବାର) ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ରାଜ୍ୟରେ ପ୍ରାୟ 1 କୋଟି ବିଦ୍ୟୁତ ଉପଭୋକ୍ତା ଅଛନ୍ତି । ସେମାନଙ୍କ ପାଇଁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୃତ ଶିଳ୍ପାୟନ, ଆର୍ଥିକ ଅଭିବୃଦ୍ଧି ଯୋଗୁଁ ରାଜ୍ୟରେ ବିଦ୍ୟୁତ ଚାହିଦା ଦ୍ରୁତ ଗତିରେ ବଢୁଛି । ଆସନ୍ତା ୫ ବର୍ଷ ଅର୍ଥାତ 2029-30 ବେଳକୁ ବିଦ୍ୟୁତ ଚାହିଦାକୁ ଆଖି ଆଗରେ ରଖି ବିଦ୍ୟୁତ ଉତ୍ପାଦନ, ସରବରାହ ଏବଂ ବିତରଣ ବ୍ୟବସ୍ଥାର ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
- 10 ହଜାର ମେଗାୱାଟ ଉତ୍ପାଦନ ଲକ୍ଷ୍ୟ :-
ମୁଖ୍ୟମନ୍ତ୍ରୀ କହିଛନ୍ତି, "2019-30 ବେଳକୁ ରାଜ୍ୟରେ ପିକ୍ ଡିମାଣ୍ଡ ପ୍ରାୟ 10 ହଜାର ମେଗାୱାଟରେ ପହଞ୍ଚିବ । ଏହି ଚାହିଦା ପୂରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ଆବଶ୍ୟକ । ଏଥିପାଇଁ ନୂଆ ପ୍ରାଇମେରୀ ସବ ଷ୍ଟେସନ, ନୂଆ 33 କେଭି ଏବଂ 11 କେଭି ଲାଇନ ଆଦି ଭିତ୍ତିଭୂମିର ବିକାଶ ଆବଶ୍ୟକ । ଏଥି ସହିତ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା 33/11 କେଭି ଫିଡରଗୁଡିକୁ ସୁଦୃଢ ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ବସାଇବା ଉପରେ ବୈଠକରେ ଆଲୋଚନା ହୋଇଛି । ବଜେଟରେ ବିଦ୍ୟୁତ କ୍ଷେତ୍ର ପାଇଁ ଆବଶ୍ୟକୀୟ ବ୍ୟୟ ବରାଦ କରି ରାଜ୍ୟକୁ ସଦାସର୍ବଦା ଶକ୍ତି କ୍ଷେତ୍ରରେ ବଳକା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଚାଲିଛି ପ୍ରସ୍ତୁତି, ଖୁବଶୀଘ୍ର ଲାଗୁ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା 'ଭୁବନେଶ୍ୱର NSDରେ ଓଡ଼ିଆଙ୍କୁ ମିଳୁ ୫୦ ପ୍ରତିଶତ ସିଟ୍': ଥିଏଟର କଳାକାର |
- ଭିତ୍ତିଭୂମି ଓ ମାନବ ସମ୍ବଳଙ୍କୁ ଗୁରୁତ୍ବ:-
ବିଦ୍ୟୁତ ବିତରଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଷୟ ଶକ୍ତିର ବିକାଶ ଏବଂ ବ୍ୟବହାର ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ, ବିଦ୍ୟୁତ କ୍ଷେତ୍ର ପାଇଁ ଦକ୍ଷ ଏବଂ ଆବଶ୍ୟକୀୟ ମାନବ ସମ୍ବଳ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାତ୍ୟା ପରବର୍ତ୍ତୀ ସମୟରେ ତୁରନ୍ତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିଥିବାରୁ ଶକ୍ତି ବିଭାଗ ତଥା ସମସ୍ତ ବିତରକ କମ୍ପାନୀଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ବୈଠକରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଓପିଟିସିଏଲ ଓ ଓଏଚପିସିର ନିର୍ଦ୍ଦେଶକ, ସମସ୍ତ ବିତରଣ କମ୍ପାନୀର ‘ସିଇଓ’ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର