ଝାରସୁଗୁଡା/ ସମ୍ବଲପୁର: ମୋହନ ସରକାରରେ ଆରମ୍ଭ ହେଲା ବୁଲଡୋଜର ଆକ୍ସନ । ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟାର ୨୪ ଘଣ୍ଟା ମଧ୍ୟରେ ବୁଲିଲା ବୁଲଜୋଡର । ଗୁରୁବାର ଝାରସୁଗୁଡା ଜିଲ୍ଲାର ବନ୍ଧବାହାଲରେ ପ୍ରଥମ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅପରାଧିକ ମାମଲାରେ ଜଡିତ ଥିବା ଏମଡି ସୋନୁ ଜବର ଦଖଲ କରିଥିବା ବନ୍ଧବାହଲ ସ୍ଥିତ ଥିବା ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକାନ ଆଦିରେ ବୋଲଡୋଜର ଚଢାଇ ଜବର ଦଖଲ ଉଚ୍ଛେଦ କରାଯାଇଛି । ତେବେ ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବର ଦଖଲ ଉଚ୍ଛେଦ କରାଯିବା ନେଇ ଚେତାବନୀ ଦିଆଯାଇଛି l ଏମଡି ସୋନୁ ଓ ତା ପରିବାର ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସରକାରୀ ଜମି ଜବରଦଖଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୁଧବାର ରାଜସ୍ୱ ମନ୍ତ୍ରୀ ସରକାରୀ ଜମି ଉପରେ ଥିବା ବଡ଼ବଡ଼ିଆଙ୍କ ଅଟ୍ଟାଳିକା ଆଗରେ ବୋଲଡ୍ରୋଜର ଲାଗିବ ବୋଲି ଗଣମାଧ୍ୟମ ଆଗରେ ସିଧାସଳଖ ଚେତାବନୀ ଦେଇଥିଲେ । ପ୍ରତିକ୍ରିୟାର ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗୁରୁବାର ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବନହରପାଲି ଥାନା ଅଂଚଳ ବନ୍ଧବାହଲ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଅପରାଧିକ ମାମଲାରେ ଜଡିତ ଥିବା ଏମଡି ସୋନୁ ଜବର ଦଖଲ କରିଥିବା ବନ୍ଧବାହଲ ସ୍ଥିତ ଥିବା ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକାନ ଆଦିରେ ବୋଲଡୋଜର ଚଢାଇ ଜବର ଦଖଲ ଉଚ୍ଛେଦ କରାଯାଇଛି ।
ଏମଡି ସୋନୁ କିଏ ?: ଝାରସୁଗୁଡାର କୁଖ୍ୟାତ ଅପରାଧି ମହମ୍ମଦ ସୋନୁ । ଏମଡି ସୋନୁ ନାଁରେ ଚାରୋଟି ଅପରାଧିକ ମାମଲା ରହିଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କ ନାମରେ 30ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି l ନିକଟରେ ଝାରସୁଗୁଡାରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଏମଡି ସୋନୁର ଲିଙ୍କ ରହିଛି । ବର୍ତ୍ତମାନ ଜେଲରେ ଅଛି ଏମଡି ସୋନୁ ।ବନ୍ଧବାହଲ ଅଞ୍ଚଳରେ ଥିବା ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକାନ ଆଦି ବେଆଇନ ଭାବେ ଅକ୍ତିଆର କରି ଏଠାରୁ ମୋଟା ଅଙ୍କର ଟଙ୍କା କମାଉଥିଲା ଏମଡି ସୋନୁ ଓ ଏହାର ପରିବାର । ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟ ଗ୍ରହଣ କରି ବନହରପାଲି ଥାନା ଅଂଚଳ ବନ୍ଧବାହାଲରେ ଏହି ଜବର ଦଖଲ ଉଛେଦ କରାଯାଇଛି l
ଜବର ଦଖଲ ଉଚ୍ଛେଦ ନେଇ ଝାରସୁଗୁଡ଼ା ଏସପି ସ୍ମିତ ପରମାର କହିଛନ୍ତି, "ଯେଉଁ ମାନଙ୍କ ନାଁରେ ଅପରାଧିକ ମାମଲା ରହିଛି ସେମାନଙ୍କ ସମ୍ପତ୍ତିକୁ ଉଚ୍ଛେଦ କରାଯାଇଛି । ବନ୍ଧବାହଲ ଅଞ୍ଚଳରେ ୭ଟି ବାଣିଜ୍ୟଭିତ୍ତିକ ସମ୍ପତ୍ତି ଓ ଗୋଟିଏ ଆବାସିକ ଘରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସେହି ସମ୍ପତ୍ତିରେ ବନ୍ଧବାହଲ ଅଞ୍ଚଳରେ ରହୁଥିବା ଅପରାଧୀ ଏମ୍.ଡ଼ି. ସୋନୁଙ୍କ ସମ୍ପତ୍ତି ମଧ୍ୟ ରହିଥିଲା। କିଛି ଦିନ ତଳେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମଧ୍ୟ ସୋନୁର ଲିଙ୍କ ଥିଲା ।"
ସେହିପରି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, "ଯିଏ ବି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବ ତାଙ୍କୁ ଛଡା ଯିବ ନାହିଁ। ବିଗତ ଦିନରେ ଏକ ଗୁଳିକାଣ୍ଡ ମାମଲା ଥିଲା । ଏଥିରେ ଜଣେ ବଡ଼ ଅପରାଧୀର ସମ୍ପୃକ୍ତି ଥିଲା । ସେ ଜମି ଜବରଦଖଲ କରି ରହିଥିଲା । ଏହି ଜବରଦଖଲକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଆଇନଗତ ପ୍ରକ୍ରିୟା ଅନୁସାରେ ଉଚ୍ଛେଦ କରିଛନ୍ତି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ । ଆଗକୁ ସମ୍ବଲପୁର ଜିଲ୍ଲାରେ ମଧ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।"
ଇଟିଭି ଭାରତ, ଝାରସୁଗୁଡା/ ସମ୍ବଲପୁର