ଭୁବନେଶ୍ବର: ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବଜେଟ ଅଧିବେଶନ । ଏହା ପୂର୍ବରୁ ସଂସଦୀୟ ପରମ୍ପରା ଅନୁସାରେ ଆସନ୍ତାକାଲି ପୂର୍ବାହ୍ନରେ ସର୍ବଦଳୀୟ ବୈଠକ ବସିବ । ଏଥିରେ ସାମିଲ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ନବୀନ ନିବାସରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଉଭୟ ଆଜି ପୂର୍ବାହ୍ନରେ ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ଓ ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରି ଫେରିଛନ୍ତି ।
#WATCH | Odisha CM Mohan Charan Majhi and Deputy CM KV Singh Deo visited state LoP & former CM Naveen Patnaik's residence to invite him to attend the all-party meeting today and the Budget Session of the Odisha Assembly.
— ANI (@ANI) July 21, 2024
(Source - CMO) pic.twitter.com/mG50zay91y
ସମାନ ଘଟଣାକ୍ରମ ବିଜେପି ସରକାର ଗଠନ କରିବା ସମୟରେ ଦେଖିବାକୁ ମିଳିଥିଲା । ଶପଥଗ୍ରହଣ ସମାରୋହରେ ସାମିଲ ହେବାକୁ ସେତେବେଳେର ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନିମନ୍ତ୍ରଣ କରିବା ପାଇଁ ନବୀନ ନିବାସ ଯାଇଥିଲେ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ମଧ୍ୟ ଶପଥଗ୍ରହଣ ସମାରୋହରେ ଅଂଶଗ୍ରହଣ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ଶପଥଗ୍ରହଣ ମଞ୍ଚରେ ନବୀନଙ୍କୁ ତମାମ କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦି, ଶାହ, ନଡ୍ଡା, ଗଡକରୀ ପ୍ରମୁଖ ନବୀନଙ୍କୁ ସ୍ବାଗତ କରିଥିଲେ । ସେତେବେଳେ ଦୀର୍ଘ 24ବର୍ଷ ପରେ କ୍ଷମତାରୁ ହଟିବା ପରେ ପ୍ରତିଦ୍ବନ୍ଦ୍ବୀ ଦଳର ଶପଥ ଗ୍ରହଣ ସମାରୋହରେ ନବୀନଙ୍କ ଉପସ୍ଥିତି ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ଆସନ୍ତାକାଲିଠାରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ମୋହନ ସରକାରର ଏହା ପ୍ରଥମ ବଜେଟ ଥିବାରୁ ବ୍ୟବବରାଦ ଉପରେ ମସସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଅର୍ଥ ବିଭାଗ ନିଜ ଅଧୀନରେ ରଖିଛନ୍ତି । ସେ ହିଁ ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ । ନବୀନ ଓ ତାଙ୍କ ଟିମକୁ ବିରୋଧୀ ପାର୍ଶ୍ବରେ ଦେଖିବାକୁ ମିଳିବ । 1997 ମସିହାରେ ପ୍ରତିଷ୍ଠା ହେବା ପରଠାରୁ ବିଜେଡି ସର୍ବଦା କ୍ଷମତାରେ ରହିଆସିଥିଲା । ମାତ୍ର ଚଳିତ ବିଧାନସଭା ନିର୍ବାଚନରେ ଦଳକୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ପ୍ରଥମଥର ଦଳ ଲୋକସଭାରେ ପ୍ରତିନିଧିତ୍ବ ହରାଇଛି । ଏହା ସହ ରାଜ୍ୟରେ ମଧ୍ୟ ବିରୋଧୀ ଆସନକୁ ଆସିଛି । ଦୀର୍ଘକାଳ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତା ଉପଭୋଗ କରିଥିବା ନବୀନ ପଟ୍ଟନାୟକ ଏଥର ବିରୋଧୀ ଦଳ ନେତା ଭାବେ ନୂଆ ଭୂମିକାକୁ ଆସିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର