ବ୍ରହ୍ମପୁର: ପତ୍ନୀ ନାହାନ୍ତି, ହେଲେ ସତେ ଯେମିତି ସେ ଜୀବିତ ଥିବା ଭଳି ମନେ ହେଉଛି । କିରଣବାଳାଙ୍କ ସ୍ମୃତିରେ ତିଆରି ହୋଇଛି ଅବିକଳ ସିଲିକନ ପ୍ରତିମୂର୍ତ୍ତି । ଯାହା ତାଙ୍କର ଉପସ୍ଥିତି ଜାହିର କରୁଛି । ଗଞ୍ଜାମ ଜିଲ୍ଲାରେ ଭଲ ପାଇବାର ଏଭଳି ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଛି ।
କେମିତି ହେଲା କିରଣବାଳାଙ୍କ ବିୟୋଗ?
ବ୍ରହ୍ମପୁର ସହରର ଜଗବନ୍ଧୁ ସାହିରେ ରହି ଆସୁଥିବା ପ୍ରଶାନ୍ତ ନାୟକଙ୍କ ପରିବାରରେ ଏଭଳି ଦେଖିବାକୁ ମିଳିଛି । ଗତ ୨୦୨୧ ମସିହା ଏପ୍ରିଲ ମାସରେ କୋଭିଡ ସମୟରେ ପତ୍ନୀ କିରଣବାଳା ପରିବାର ବର୍ଗଙ୍କୁ ଛାଡି ସବୁ ଦିନ ପାଇଁ ଚାଲିଯାଇଥିଲେ । ଏହାକୁ ନେଇ ସ୍ୱାମୀ ପ୍ରଶାନ୍ତଙ୍କ ସମେତ ତାଙ୍କ ତିନି ସନ୍ତାନ ଏବଂ ପରିବାର ବର୍ଗ ସ୍ୱର୍ଗତା କିରଣବାଳାଙ୍କୁ ଝୁରି ଝୁରି ଭାଙ୍ଗି ପଡିଥିଲେ । ଏଭଳି ସମୟରେ ପ୍ରଶାନ୍ତଙ୍କ ଦୁଇ ଝିଅ ସୋସିଆଲ ମିଡିଆରୁ ସିଲିକନ ପ୍ରତିମୂର୍ତ୍ତି ନିର୍ମାଣ ହୋଇପାରୁଥିବା ଜାଣିବାକୁ ପାଇଥିଲେ। ଏହି ବିଷୟକୁ ବାପାଙ୍କୁ କହିବା ପରେ ସମସ୍ତେ ଏହାକୁ ନେଇ ସ୍ୱର୍ଗତ କିରଣବାଳାଙ୍କ ସ୍ମୃତିରେ ତାଙ୍କ ଘରେ ରହିଥିବା ଫଟୋ ମଧ୍ୟରୁ ଗୋଟିଏ ଫଟୋ ବାଛି ତାହାକୁ ସେ ଜୀବନ୍ତ ରୂପ ଦେଇପାରିଛନ୍ତି ।
ବେଙ୍ଗାଲୁରୁ କଳାକାର ଗଢିଲେ ମୂର୍ତ୍ତି:
ସିଲିକନ ପ୍ରତିମୂର୍ତ୍ତିରେ ଅବିକଳ କିରଣବାଳାଙ୍କ ଶରୀର ପ୍ରସ୍ତୁତ କରିବାକୁ ବେଙ୍ଗାଲୁରୁର ଏକ କଳାକାରଙ୍କ ସହିତ ଆଲୋଚନା କରିଥିଲେ ପରିବାରବର୍ଗ। କଳାକାର ଜଣଙ୍କ ମୂର୍ତ୍ତି ତିଆରି କରି ସ୍ବତନ୍ତ୍ର ଗାଡ଼ିରେ ବ୍ରହ୍ମପୁର ଘରେ ପହଞ୍ଚାଇଥିଲେ । ସେପଟେ ଦୀର୍ଘ ଦିନ ଧରି ଘରେ ନଥିବା କିରଣବାଳାଙ୍କ ଅନୁପସ୍ଥିତିକୁ ଏହି ଅବିକଳ ପ୍ରତିମୂର୍ତ୍ତି ଦୂରେଇ ପାରିଛି । ସମ୍ପୂର୍ଣ୍ଣ ଭାବେ ନହେଲେ ବି ସାମାନ୍ୟ ଦୁଃଖ ଦୂରେଇ ପାରିଥିବା କହିଛନ୍ତି ପ୍ରଶାନ୍ତ ଓ ତାଙ୍କ ପରିବାର ବର୍ଗ ।
8 ମାସ ସମୟ ଲାଗିଛି,8ଲକ୍ଷ ଖର୍ଚ୍ଚ ହୋଇଛି :
ମୂର୍ତ୍ତି ନିର୍ମାଣ କରିଥିବା ବେଙ୍ଗାଲୁରୁର କାରିଗରଙ୍କୁ 8 ମାସ ସମୟ ଲାଗିଥିବାବେଳେ ଖର୍ଚ୍ଚ ହୋଇଛି 8 ଲକ୍ଷ ଟଙ୍କା। ଏହାକୁ ନେଇ ପ୍ରଶାନ୍ତଙ୍କ ଝିଅ କହିଛନ୍ତି, "ଅର୍ଥ ବଡ଼ ନୁହେଁ। ଏତିକି ଖର୍ଚ୍ଚ କରାଯାଇ ମା'ଙ୍କ ସ୍ମୃତି ଫେରିପାଇଛୁ। ସେଥିପାଇଁ ଖୁସି ଲାଗୁଛି।"
ଏହା ବି ପଢନ୍ତୁ...ରାମୋଜୀ ରାଓଙ୍କ ୭.୫ ଫୁଟର ପ୍ରତିମୂର୍ତ୍ତି, ୪ଦିନରେ ନେଇଛି ଜୀବନ୍ତ ରୂପ ! - Ramoji Rao Statue ଏହା ବି ପଢନ୍ତୁ...ଚକ୍ ଆର୍ଟରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବଶିଳ୍ପୀ - Chalk Art of Ramoji Rao |
ପ୍ରତିମୂର୍ତ୍ତିର ଯତ୍ନ ନେଉଛନ୍ତି ପରିବାର:
ବର୍ତ୍ତମାନ ପ୍ରତ୍ୟେକ ଦିନ କିରଣବାଳାଙ୍କ ପରିବାର ଏହି ଅବିକଳ ପ୍ରତିମୂର୍ତ୍ତିକୁ ସଜାଇବା, ମୁଣ୍ଡର ଚୁଟିକୁ କୁଣ୍ଡାଇଦେବା,ଶାଢ଼ି, ସୁନା ଅଳଙ୍କାର ପିନ୍ଧାଇ ସଜାଇଦେଉଛନ୍ତି । ଜଗବନ୍ଧୁ ସାହିରେ ରହି ଆସୁଥିବା ବ୍ୟବସାୟୀ ପ୍ରଶାନ୍ତ ନାୟକ ଗତ ୧୯୯୭ ମସିହାରେ କିରଣବାଳାଙ୍କୁ ବିବାହ କରିଥିଲେ । ବେଶ ହସଖୁସିରେ ଚାଲିଥିବା ଏହି ପରିବାର ଉପରେ ୨୦୨୧ ମସିହାର ଏପ୍ରିଲ ମାସରେ ଘୋଟି ଆସିଥିଲା ଦୁଃଖର କଳାବାଦଲ । ପ୍ରଶାନ୍ତଙ୍କ ଦୁଇ ଦୁଇ ଝିଅ ମେଘନା,ମେହେକ ଓ ପୁଅ ଆୟାନ ମାଆଙ୍କୁ ହରାଇ ବେଶ ଦୁଃଖିତ ଥିବାବେଳେ ବର୍ତ୍ତମାନ ଏହି ପ୍ରତିମୂର୍ତ୍ତି ସେମାନଙ୍କ ମୁହଁରେ ଆଣିଦେଇଛି ହସ । ମା'ଙ୍କ ସ୍ଥାନ ସିନା ପୂରଣ କରିପାରିବନି ପ୍ରତିମୂର୍ତ୍ତି ହେଲେ କିଛି ମାତ୍ରାର ଅନୁପସ୍ଥିତି ଦୂର କରିପାରିଛି ।
ଇଟିଭି ଭାରତ, ବ୍ରହ୍ମପୁର