ଖୋର୍ଦ୍ଧା: ରାସ୍ତାକଡକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ବେଗୁନିଆ ବାଘମାରୀ ମଝିରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଫୁଲବାଣୀରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଏହି ବସ୍ଟି ଆଜିି ପ୍ରାୟ ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ବସଟି ରାସ୍ତାକଡକୁ ଓଲଟି ପଡିଛି । ଏଥିରେ 4ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଭାବେ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ଆଜି (ଶନିବାର) ଭୋର 4ଟା ସମୟରେ ‘ରାଜା’ ନାମକ ଘରୋଇ ବସ୍ (ଓଆର-୦୫ ଏପି ୦୬୯୯) ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖ ଆସୁଥିବା ବେଳେ ବେଗୁନିଆ ବାଘମାରି ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟେ ଥିବା ଖାଲକୁ ଓଲଟି ପଡିଥିଲା ବସଟି । ପେଟ୍ରୋଲ ପମ୍ପ କର୍ମଚାରୀ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବସର କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିବା ସହ ପ୍ରଶାସନକୁ ଅହଗତ କରିଥିଲେ ।
ଏହି ଦୁର୍ଘଟଣାରେ ଡ୍ରାଇଭର, ହେଲପର, ଛୋଟ ପିଲାଙ୍କ ସହ ୪ଜଣ ଆହତ ହୋଇଥିବା ଜଣାପଡିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହାତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ସେପଟେ ଖବର ପାଇଁ ୨ ଘଣ୍ଟା ବିଳମ୍ବରେ ବେଗୁନିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗୋଟିଏ ଟିମ୍ ମେଡିକାଲ ଯାଇ ଆହାତଙ୍କ ସୂଚନା ସଂଗ୍ରହ କରିଥିଲା ଜଣାପଡିଛି । ତେବେ ଡ୍ରାଇଭରର ଆଖି ଲାଗିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ ସନ୍ଦେହ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା