ଭୁବନେଶ୍ବର: ପରିବର୍ତ୍ତିତ ଜନମତରେ ବଦଳିଯାଇଛି ୨୪ ବର୍ଷର ବିଜେଡି ସରକାର । ଆସନ୍ତା କିଛିଦିନ ମଧ୍ୟରେ ନୂତନ ବିଜେପି ସରକାର ଶାସନ ଭାର ଗ୍ରହଣ କରିବାକୁ ଯାଉଛି । କିନ୍ତୁ ଏହାରି ମଧ୍ୟରେ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଦେଖାଦେଇଛି ଦ୍ବନ୍ଦ୍ବ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଆରମ୍ଭ ହୋଇଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏହା ପରେ ମୋଦି ସରକାର ସାରା ଦେଶରେ ଲାଗୁ କରିଥିଲେ ଆୟୁଷ୍ମାନ ଭାରତ ଯୋଜନା । କିନ୍ତୁ ଏହାକୁ ଓଡ଼ିଶାରେ ଲାଗୁ କରିନଥିଲେ ବିଜେଡ଼ି ସରକାର । ଏନେଇ ବିଭିନ୍ନ ସମୟରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ସରକାରରେ ଆସିଲେ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ ହେବ ବୋଲି ବିଜେପି କହିଥିଲା । ଏବେ ରାଜ୍ୟରେ ସତ୍ତା ପରିବର୍ତ୍ତନ ହୋଇଛି । ସରକାର ଗଢିବା ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପିର ଚିନ୍ତା ବଢିଯାଇଛି । ଆୟୁଷ୍ମାନ ଭାରତରେ ଯୋଡିବାକୁ ପଡିବ BSKYର ସୁବିଧା, ନହେଲେ ନୂଆ ସରକାରଙ୍କୁ ଜନ ଆକ୍ରୋଶର ସାମ୍ନା କରିବାକୁ ପଡିବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି ।
ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର କହିଛନ୍ତି, ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବେଶ କିଛିଦିନ ହେବ ସରଗରମ ଚର୍ଚ୍ଚା ଚାଲିଛି । ରାଜ୍ୟର ବିଭିନ୍ନ ବଡ଼ ସହରରେ ଥିବା ଘରୋଇ ଡାକ୍ତରଖାନାରେ BSKY କାର୍ଡ ବହୁଳ ଭାବେ ପ୍ରଚଳନ ହେଉଥିଲା । ରୋଗୀ ଏହି କାର୍ଡ ଦେଖାଇ ଉପକୃତ ହେଉଥିଲେ । BSKY କାର୍ଡରେ ଚିକିତ୍ସା ବନ୍ଦ ହୋଇଥିବା ଖବର ସାମନାକୁ ଆସିଛି । ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ବିଜେପି ସଭାପତିଙ୍କ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଆସିଛି । ଯୋଜନା ବନ୍ଦ ହୋଇନାହିଁ ବୋଲି କୁହାଯାଉଛି । ଗୋଟିଏ ସରକାର ଯାଉଛି ଓ ଆଉ ଏକ ସରକାର ଆସୁଛି । ତେଣୁ ଏହି ଯୋଜନାକୁ ନେଇ ସେମାନଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି ।’
ଏହା ମଧ୍ୟ ପଢନ୍ତୁ ...BSKY ନେଇ ସ୍ବାସ୍ଥ୍ୟ ବିଭାଗ ଲିଖିତ ପ୍ରତିଶୃତି ଦେଉ: ଘରୋଇ ମେଡିକାଲ ସଂଘ - BSKY Card Issue
BSKY ବଦଳରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ବିଶାଳ ବର୍ଗର ଲୋକ BSKY ଦ୍ବାରା ଉପକୃତ ହେଉଥିବା ବିଜେଡି ପକ୍ଷରୁ କୁହାଯାଉଥିଲା । ଆୟୁଷ୍ମାନ ଭାରତ ଯୋଜନା ଠାରୁ BSKYରେ ଅଧିକ ଲୋକ ଲାଭବାନ ହେଉଥିଲେ । ଆୟୁଷ୍ମାନ ଭାରତ ଯୋଜନାରେ ସବୁ ରୋଗୀଙ୍କୁ ସୁବିଧା ମିଳିପାରୁନଥିଲା । ନୂଆ ସରକାର ଚାହିଁଲେ ଆୟୁଷ୍ମାନ ଭାରତ ଯୋଜନାକୁ ସଂଶୋଧନ କରି ରାଜ୍ୟରେ ଲାଗୁ କରିପାରିବେ । ଓଡିଶା ଲୋକଙ୍କ ଆର୍ଥିକ ସ୍ଥିତିକୁ ଲକ୍ଷ୍ୟ କରି ଏହା କରିବା କଥା । ରାଜ୍ୟ ସରକାରଙ୍କର ଏହା କ୍ଷମତା ଭୁକ୍ତ । ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ଡାକ୍ତରଖାନାରେ ଯେଉଁ ଆଶଙ୍କା ଉପୁଜିଛି ତାହାକୁ ଉପଶମ କରିବା ଦରକାର ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ।
କାରଣ ନୂଆ ସରକାରଙ୍କର ଏହି ଯୋଜନାକୁ ନେଇ ଆଭିମୁଖ୍ୟ କଣ ତାହା ସ୍ପଷ୍ଟ ହୋଇନାହିଁ । ଲୋକେ ପାଉଥିବା ପ୍ରଚଳିତ ସୁବିଧା ବନ୍ଦ କରିବା ସହଜ ନୁହେଁ । ଯଦି ଏପରି କରିବେ ତାହାର କୁପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ । BSKYରେ ମିଳୁଥିବା ସୁବିଧାକୁ ନୂଆ ସରକାରଙ୍କୁ ଆୟୁଷ୍ମାନ ଭାରତରେ ଯୋଡିବାକୁ ପଡିବ । ନହେଲେ ସେମାନେ ଲୋକଙ୍କ ଆକ୍ରୋଶର ଶିକାର ହେବେ । ସରକାର ଗଠନ ହେଲା ପରେ ଏହା ଆଉ ଜଟିଳ ସମସ୍ୟା ହୋଇ ରହିବ ନାହିଁ । ସେହିପରି ମିଶନ ଶକ୍ତି, ଗ୍ରାମାଞ୍ଚଳରେ ବସ ସେବା ଯୋଗାଇବା ଲାଗି ଲକ୍ଷ୍ମୀ ଯୋଜନା ସହ ବିଜେଡ଼ି ସରକାରଙ୍କ ସମୟରେ ହୋଇଥିବା ଅନେକ ଯୋଜନାର ମଧ୍ୟ ରୂପରେଖ ବଦଳିବାର ସମ୍ଭାବନା ରହିଛି । ମହିଳାଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ଅଧେ । ତେଣୁ ମହିଳାଙ୍କୁ କଦାପି ଅସନ୍ତୁଷ୍ଟ କରିବା ଲାଗି କୌଣସି ସରକାର ଚାହିଁବେ ନାହିଁ । ତେଣୁ ବିଭିନ୍ନ ଯୋଜନା ଯାହା ଲୋକମତକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ସେହି ଯୋଜନାକୁ ସଂଶୋଧନ କିମ୍ବା ନାଁ ପରିବର୍ତ୍ତନ ନୂଆ ସରକାର କରିବେ ବୋଲି ଆଶା ପ୍ରକଟ କରିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ।
ଇଟିଭି ଭାରତ, ଭୁବନେଶ୍ବର