କେନ୍ଦ୍ରାପଡ଼ା: ଏନଏସି ଘୋଷଣା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ତାତି । ଆଳିକୁ ଏନଏସି ଘୋଷଣା କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଗତକାଲି ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯିବା ସହ କଟକ-ଚାନ୍ଦବାଲି ଅବରୋଧ କରାଯାଇଥିଲା ।ସରକାର ସବୁବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ନିର୍ବାଚନୀ ମଣ୍ଡଳୀକୁ ଅବହେଳା କରୁଥିବା ଅଭିଯୋଗ କରିଛି ବିଜେପି ।
ଦୀର୍ଘ ବର୍ଷ ହେବ ଆଳି ଏବଂ ରାଜକନିକାକୁ ଏନଏସି ଘୋଷଣା କିରବା ପାଇଁ ଦାବି ହେଉଥିଲେ ମଧ୍ୟ ସକକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ରାଜ୍ୟର 35ଟି ସ୍ଥାନକୁ ଏନଏସି ଘୋଷଣା କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ତଥା ଆଳି ନିର୍ବାଚନୀ ମଣ୍ଡଳୀର ଦୁଇଟି ବ୍ଲକକୁ ଏନଏସି ଘୋଷଣା ନ କରିବାରୁ ଅସନ୍ତୋଷ ବୃଦ୍ଧି ପାଉଛି ।
ସେପଟେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି," ଇଂରେଜ ଶାସନ ସମୟରେ ରାଜ୍ୟର ସର୍ବ ପୁରାତନ ପୌରପାଳିକା ଭାବେ ଜଣାଶୁଣା କେନ୍ଦ୍ରାପଡ଼ା ୧୮୬୯ ମସିହା ମାର୍ଚ୍ଚ ୧୦ ତାରିଖରେ ଘୋଷଣା କରାଯାଇଥିଲା । ତେବେ ସ୍ୱାଧୀନତା ପରେ ୧୯୭୪ ମସିହାରେ ଆଳି ବ୍ଲକର ୧୪ଟି ପଞ୍ଚାୟତକୁ ଅର୍ବାନ ଏରିଆ ଘୋଷଣା କରାଯାଇଥିଲା । ୧୪ ଗୋଟି ପଞ୍ଚାୟତରେ ଗୋଚର ଜମି ନଥିବା କାରଣରୁ ଏହାକୁ ଅର୍ବାନ ଏରିଆ ଘୋଷଣା କରାଯାଇଥିବା ବେଳେ ତତ୍କାଳୀନ ବିଧାୟକ ତଥା ରାଜା ସାହେବ ଶରତ ଦେବ ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେଲେ ଜନସାଧାରଣଙ୍କୁ ଅଯଥା ଟ୍ୟାକ୍ସ ଦେବାକୁ ପଡିବ କହିଥିଲେ । ଯାହା ଫଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣାରୁ ବାଦ ପଡ଼ିଥିଲା ।"
ସେହିପରି ସ୍ବର୍ଗତ ଶରତ ଦେବଙ୍କ ପୁତ୍ର ତଥା ବର୍ତ୍ତମାନ ବିଧାୟକ ପ୍ରତାପ କେଶରୀ ଦେବ ମଧ୍ୟ ସମାନ କଥା କହି ଲୋକମାନଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଓ ଆଳିର ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକାକୁ ଜୋତା ମାଡ଼ କରିବା ସହିତ ଦାହ କରାଯାଇ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ .....NAC ଘୋଷଣା ଦାବିରେ ୧୦ ଘଣ୍ଟିଆ ଖଇରା ବନ୍ଦ ଡାକରା
ସେହିପରି ମାର୍ଶାଘାଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଭୌଗୋଳିକ ଦୃଷ୍ଟିକୋଣ ଓ ଆର୍ଥିକ କାରବାର ଦୃଷ୍ଟିରୁ ମାର୍ଶାଘାଇକୁ ଦୀର୍ଘଦିନ ଧରି ଏନଏସି ଘୋଷଣା ପାଇଁ ଦାବି ହୋଇଆସୁଛି । ହେଲେ ରାଜ୍ୟ ସରକାରଙ୍କ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଏବଂ ମାର୍ଶାଘାଇ ଜନସାଧାରଣଙ୍କ ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଏହାକୁ ଏନଏସି ଘୋଷଣା ନ କରିବା ବିରୋଧ କରିଛି ବିଜେପି ।
ଇଟିଭି ଭାରତ, କେନ୍ଦ୍ରାପଡା