ଭୁବନେଶ୍ବର: ବିଜେପିରେ ମିଶିଲେ ମୋହନାର ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଚକ୍ରଧର ପାଇକ ପଦ୍ମ କ୍ୟାମ୍ପରେ ଯୋଗ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ସଂଗଠନ ସଜାଡୁଛି ଦଳ । ଆଜି ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଜେଡ଼ି ଏବଂ କଂଗ୍ରେସର ନେତା ଏବଂ କର୍ମୀମାନେ ଯୋଗ ଦେଇଛନ୍ତି । ଏହାସହ ଚଳଚ୍ଚିତ୍ର ତଥା ଟେଲି ଅଭିନେତ୍ରୀ ଶ୍ଵେତା ଆଚାର୍ଯ୍ୟ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ବଲାଙ୍ଗୀର, ଭଦ୍ରକ କେନ୍ଦ୍ରାପଡ଼ା, କୋରାପୁଟ, ଗଞ୍ଜାମ ଏବଂ ଭୁବନେଶ୍ବର ମଧ୍ୟ ନିର୍ବାଚନ ଶତାଧିକ ବିଜେଡି ଏବଂ କଂଗ୍ରେସ ନେତା ବିଜେପିରେ ମିଶିଛନ୍ତି । ବିଜେପି ନେତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ।
ସେହିପରି ଆହୁରୀ ମଧ୍ୟ କହିଛନ୍ତି ,"ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ମୋଦିଜୀଙ୍କ ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିକୁ ଆପଣାଉଛନ୍ତି । ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା । "
ଏହା ମଧ୍ୟ ପଢନ୍ତୁ ......ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ବହୁ ନେତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ଯୋଗଦେଇଥିବା କହିଛନ୍ତି କିଛି କର୍ମୀ । ସେପଟେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ କେ.ନାରାୟଣ ରାଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର