ନିଆଳି: ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଉଷ୍ଣ ହେବାରେ ଲାଗିଛି ରାଜନୈତିକ ପାଣିପାଗ । ରାଜଧାନୀ ଉପକଣ୍ଠକୁ ଲାଗିଥିବା ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ନିର୍ବାଚନୀ ତାତି ବଢିଲାଣି । ବିଜେଡି ଗଡ ଭାବେ ପରିଚିତ ଜୟଦେବ ଆସନରେ ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିଛି ବିଜେପି । ଏନେଇ ଶୁକ୍ରବାର ବିଜେପି ପକ୍ଷରୁ ବାଲିପାଟଣା ନିକଟରେ ଏକ ସଭାର ଆୟୋଜନ କରାଯାଇ ଶକ୍ତି ପ୍ରଦର୍ଶନ କରିଛି । ଏଥିରେ ସାମିଲ ହୋଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ସନ୍ଧ୍ୟାରେ ଶହ ଶହ ବିଜେପି ନେତା ଓ କର୍ମୀ ବାଳକାଟି ଠାରୁ ବାଲିପାଟଣା ବ୍ଲକ ହାଇସ୍କୁଲ ଖେଳ ପଡିଆ ପର୍ଯ୍ୟନ୍ତ ବାଇକ ରାଲିରେ ବାହାରିଥିଲେ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଭାରେ ଉପସ୍ଥିତ ଜୟଦେବ ଭୋଟର ଏବଂ ବିଜେପି କର୍ମୀମାନଙ୍କ ଠାରୁ ସ୍ଥାନୀୟ ଅଞ୍ଚଳର ସମସ୍ୟା ଏବଂ ଅସୁବିଧା ସମ୍ପର୍କରେ ଗୋଟି ଗୋଟି ହିସାବ ରଖିଥିଲେ ଏବଂ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଜୟଦେବ ଏକ କୃଷି ପ୍ରଧାନ୍ୟ ଅଞ୍ଚଳ ହୋଇଥିବାରୁ ଏଠାରେ ଶୀତଳକରଣ ଭଣ୍ଡାର ନାହିଁ । ପ୍ରକୃତ ଗରୀବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ପହଞ୍ଚି ପାରିନାହିଁ । ଗାଁଗାଁରେ ଜଳାଶୟ ବା ପୋଖରୀ ଆବଶ୍ୟକ ଥିବା ସାଂସଦ କହିଥିବା ବେଳେ ତାଙ୍କର ଦ୍ବିତୀୟ ଇଂନିସରେ ଏହିସବୁ ସମସ୍ୟାର ସମାଧାନ କରିବେ ବୋଲି କଥା ଦେଇଛନ୍ତି ।
ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ଦିନରେ ସଚିବ ଥିବା ସମୟରେ ସେ ସରକାରୀ ବିଦ୍ୟାଳୟରେ ୧୮ ପ୍ରକାରର ବ୍ୟବସ୍ଥା କରିଥିଲେ । କିନ୍ତୁ ଏବେ ଶିକ୍ଷା ସଂସ୍କାର ପୁରାପୁରି ଭୁଶୁଡି ପଡିଛି । ଓଡ଼ିଶାରେ ମହିଳା, ମହିଳା ଚାଷୀ ଓ ଯୁବକ ଉଦ୍ୟୋଗୀକରଣ ନହେବା ଯୋଗୁଁ ଆମ ପିଲା ରାଜ୍ୟ ବାହାରକୁ ଯାଉଛନ୍ତି । ଏଥିସହ କଲେଜ ଗୁଡିକରେ ହେଉଥିବା ନୂଆ-ଓ କାର୍ଯ୍ୟକ୍ରମକୁ ସେ କଟାକ୍ଷ କରି ପରୀକ୍ଷା ସମୟରେ ନାଚଗୀତ କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାଘାତ ହେବ ବୋଲି କହିଛନ୍ତି ସାଂସଦ । କେନ୍ଦ୍ର ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାର ସହିତ ଜୟଦେବରେ ପଦ୍ମ ଫୁଟାଇବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ଏବଂ ବିଜେପି ନେତା ସତ୍ୟପ୍ରିୟ ବେହେରା ମଧ୍ୟ ଜୟଦେବରେ ବିଜେପିର ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ନିଆଳି