ଭୁବନେଶ୍ୱର: ବିଜେପି ପ୍ରାର୍ଥୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲା ବିଜେଡି । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏକ ସଭା ଡକାଇ ମହିଳାଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି ପ୍ରତିନିଧି ଦଳ । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦଳ ଦାବି କରିଛି ।
ବିଜେଡି ମୁଖପାତ୍ର ତୁମ୍ବାନାଥ ପଣ୍ଡା କହିଛନ୍ତି, ''ବିଜେପି ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଓ ଦଳର ନେତାମାନେ ପ୍ରତ୍ୟେକ ଦିନ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି । ପୂର୍ବରୁ ପୁରୀ ସଂସଦୀୟ ପ୍ରାର୍ଥୀ ଘଣ୍ଟାରେ ନିଜ ଫଟୋ ସହ ଦଳୀୟ ଚିହ୍ନ ଲଗାଇ ବ୍ୟବସାୟୀମାନଙ୍କୁ ବାଣ୍ଟୁଥିଲେ । ଏବେ ପୁଣି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ସେହିପରି କିଛି କରିଛନ୍ତି । ଗତ 23 ତାରିଖରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ବଡ଼ବରଗାଁରେ ଗ୍ରାମବାସୀଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଛନ୍ତି । ଏକ ଅଭିନବ ତରିକାରେ ପ୍ରଲୋଭିତ କରିଛନ୍ତି । ଯାହା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ।''
ଏହା ମଧ୍ୟ ପଢନ୍ତୁ-ଧର୍ମେନ୍ଦ୍ରଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି IFS ବିନୟ ପ୍ରଧାନ; ECIଙ୍କ ନିକଟରେ ବିଜେଡି ଫେରାଦ - BJD ON IFS BINAYA
ସେ ଆହୁରି ମଧ୍ୟ କହିଛନ୍ତି, ''ପୂର୍ଣ୍ଣଚନ୍ଦ୍ର ବଡ଼ବରଗାଁର ଗରିବ ମହିଳା ଲୋକଙ୍କୁ ଡାକି ରାଜନୈତିକ ସଭା କଲେ । ସାଙ୍ଗରେ ଏକ ମାଲ ପରିବହନ ଗାଡି ଧରି ଯାଇଥିଲେ । ସେଥିରେ ଅଟା, ଲୁଣ ଓ ତେଲ ପ୍ୟାକେଟ ରହିଥିଲା । ସେଠାରେ ପ୍ରତ୍ୟେକ ଭୋଟରଙ୍କୁ ସେ ଏହା ବାଣ୍ଟିଛନ୍ତି । ଯାହାକି ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ । ପ୍ରମାଣ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଦନ୍ତ କରିବେ । '' ଏହି ପ୍ରତିନିଧି ଦଳରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ, ମଧୁସ୍ମିତା ନାୟକ, ଇପ୍ସିତା ସାହୁ, ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଚାରରେ ଆଇଏଫଏସ ବିନୟ ପ୍ରଧାନ ସହଯୋଗ କରୁଥିବା ଗତକାଲି ଅଭିଯୋଗ ଆଣିଥିଲା ବିଜେଡି । ଏନେଇ ମେଲ ଯୋଗେ ଜାତୀୟ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେଡି ।
ଇଟିଭି ଭାରତ, ଭୁବନେଶ୍ୱର