ଗଜପତି: ବିଜେଡ଼ିକୁ ତାତ୍ସଲ୍ୟ କଲା ବିଜେପି ଏବଂ କଂଗ୍ରେସ । ରଥଯାତ୍ରା ପୂର୍ବରୁ ପାରଳାଖେମୁଣ୍ଡି ବଡଦାଣ୍ଡ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି । ହେଲେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିବା କାରଣରୁ ଏହି କାମ ହୋଇପାରିନଥିଲା । ଗତ ୨୧ ତାରିଖ ବର୍ଷା ରାତିରେ ଏହି କାମ ଆରମ୍ଭ ହୋଇଥିଲା । ହେଲେ ଏହାକୁ କେତେକ କାଉନ୍ସିଲର ଏବଂ ବୁଦ୍ଧିଜୀବୀ ବିରୋଧ କରିଥିଲେ । ପରେ ବର୍ଷାରେ କାମ ନକରିବା ପାଇଁ ଦାବି କରିବାରୁ କାମ ବନ୍ଦ ହୋଇଥିଲା । ହେଲେ ଏହି କାମ ତୁରନ୍ତ ସାରିବାକୁ ଦାବି କରି ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯାହା ପାଇଁ ବିଜେଡ଼ିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ଏବଂ କଂଗ୍ରେସ । ବିଜେଡିର ଏଭଳି ଦାବିକୁ, ଗତ ୨୪ବର୍ଷରେ ଏଭଳି କାମ କରି ମାଲାମାଲ ହୋଇଥିବା ବିଜେଡି ନେତାମାନେ ଏବେବି ଏହା କରିବାକୁ ପ୍ରୟାସ କରୁଥିବା କହିଛନ୍ତି ବିଜେପି ଏବଂ କଂଗ୍ରେସର ନେତା ।
ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଆଉ 6 ଦିନ ବାକି ରହିଛି । ଯାହା ପାଇଁ ପାରଳାଖେମୁଣ୍ଡିରେ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ବଡଦାଣ୍ଡ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ଏହାର ମରାମତି ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା । ଏହି ରାସ୍ତା କାମ ପାଇଁ ଟେଣ୍ଡର ପ୍ରକ୍ରିୟା ସରିବା ପରେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ପୌର ପ୍ରଶାସନ ପକ୍ଷରୁ ଏହି ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ ଉଦ୍ୟମ କରାଯାଇଥିଲା । ହେଲେ ପ୍ରବଳ ବର୍ଷାରେ ବିଳମ୍ବିତ ରାତିରେ ପିଚୁ କାମ କରାଯାଉଥିବାରୁ ସ୍ଥାନୀୟ ଲୋକେ ଏପରିକି କେତେକ କାଉନ୍ସିଲର ସେଠାରେ ପହଞ୍ଚି ତୁରନ୍ତ କାମ ବନ୍ଦ କରିବାକୁ ଦାବି କରିଥିଲେ । ଫଳରେ ଏହାକୁ ପୌର ପ୍ରଶାସନ ବନ୍ଦ କରିଥିଲା । ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ବିଜେଡି ନେତାମାନେ ଜିଲ୍ଲାପାଳଙ୍କୁ ଭେଟି ରଥଯାତ୍ରା ପୂର୍ବରୁ ଏହି କାମ କରିବାକୁ ଦାବି କରିଛନ୍ତି । କେତେକ ମୁଷ୍ଟିମେୟ ଲୋକ ଏହି କାମକୁ ଜାଣିଶୁଣି ବନ୍ଦ କରିଥିବା ବିଜେଡି ନଗର ସଭାପତି ସୁଧୀର ରଞ୍ଜନ ମହାପାତ୍ର କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.... ‘ସୁଭଦ୍ରା ଯୋଜନାରେ ଟଙ୍କା ନୁହେଁ ରୋଜଗାର ଦରକାର’ - Subhadra Yojana
ବିଜେଡିର ଏଭଳି କାର୍ଯ୍ୟକୁ ତାତ୍ସଲ୍ୟ କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ଗତ ୨୪ବର୍ଷ ହେଲା ସରକାରରେ ରହି ଏଭଳି ମନମୁଖୀ କାର୍ଯ୍ୟ କରି ଟଙ୍କା ହଡପ କରୁବା ସହିତ ବିଜେଡି ନେତାମାନେ ଏବେ ବି ଏହି କାମ କରିବାକୁ ପ୍ରୟାସ କରୁଥିବା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବାଳକକୃଷ୍ଣ ପାତ୍ର କହିଛନ୍ତି । ଏହି କାମକୁ ପୌରପ୍ରଶାସନ କରୁଥିବା ବେଳେ ଏହାକୁ କରାଇବାରେ ବିଫଳ ହୋଇଥିବା ପୌରାଧ୍ୟକ୍ଷା ବିଜେଡି ନେତାଙ୍କ ସହ ଆସି ଏଭଳି ଦାବି କରିବା ନିଶ୍ଚିତ ଭାବେ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।
ସେହିପରି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି "ପୌରାଧ୍ୟକ୍ଷା ନିଜେ କାମ କରୁଥିବା ସଂସ୍ଥାର ଅଧ୍ୟକ୍ଷା । ସେ ନିଜେ ମାନୁଛନ୍ତି ଯେ, ବର୍ଷା ଯୋଗୁଁ କାମ ବନ୍ଦ ରହିଥିଲା । ଏବେ କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବିଜେଡି ଏଭଳି ନାଟକ କରୁଛି ।"
ଇଟିଭି ଭାରତ, ଗଜପତି