ପୁରୀ: ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସଂସଦୀୟ କ୍ଷେତ୍ରର ବିଜେଡି ନେତା ମାନଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲା ବିଜେଡିର ଏକ ଗୁପ୍ତ ବୈଠକ ପୁରୀର ଏକ ଘରୋଇ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଛି । କିଛିଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦେଖିବାକୁ ମିଳିଥିଲା ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ନିର୍ବାଚନ ଲଢିବାକୁ କହୁଥିବା ବେଳେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବ୍ରହ୍ମଗିରି ଆସନରୁ ନିର୍ବାଚନ ଲଢିବେ ବୋଲି କହିଥଲେ । ଯାହାପରେ ସତ୍ୟବାଦୀ ବିଧାୟକ ଇସାରା ଇସାରାରେ ସଞ୍ଜୟଙ୍କୁ କଟାକ୍ଷ କରିବା ସହ ସେ ସତ୍ୟବାଦୀରେ ଲଢିବେ ବୋଲି କହିଥିଲେ । ଫଳରେ ଉଭୟ ନେତାଙ୍କ ମଧ୍ୟରେ ମନମାଳିନ୍ୟ ଦେଖିବାକୁ ମିଳିଥିଲା । ତେବେ ଆଜି ଦୁଇ ବିଧାନସଭା ଯଥା ସତ୍ୟବାଦୀ ଏବଂ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ଓ ପ୍ରମୁଖ ସଦସ୍ୟ ମାନଙ୍କୁ ନେଇ ଏହି ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ।
![ପୁରୀରେ ବିଜେଡିର ଗୁପ୍ତ ବୈଠକ](https://etvbharatimages.akamaized.net/etvbharat/prod-images/20-03-2024/od-pur-04-bjdmeeting-avo-7205521_20032024160235_2003f_1710930755_899.jpg)
ଏହି ଗୁପ୍ତ ବୈଠକରେ ଉଭୟ ନେତା ଉପସ୍ଥିତ ଥିବାରୁ ଦୁଇ ନେତାଙ୍କ ମଧ୍ୟରେ ଥିବା ତିକ୍ତତା ଦୂର ହୋଇଛି ବୋଲି ଅନୁମାନ କରାଯାଉଛି । ଭାଇରାଲ ହୋଇଥିବା ଗୁପ୍ତ ବୈଠକର ଭିଡିଓ ଓ ଫଟୋରେ ଗୋଟିଏ ମଞ୍ଚରେ ସଞ୍ଜୟ ଦାସ ବର୍ମା, ଉମା ସମାନ୍ତରାୟ , ଅରୂପ ପଟ୍ଟନାୟକ ଏବଂ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଜିଲ୍ଲା ସଭାପତି ଦିବାକର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମୁଖ୍ୟମନ୍ତ୍ରୀ ନେତାମାନଙ୍କ ସହ ଆଲୋଚନା କରିବା ପରେ ଏପରି ଗୁପ୍ତ ବୈଠକ ରାଜନୀତି ମହଲକୁ ଅନେକ କିଛି ସଙ୍କେତ ପ୍ରଦାନ କରିଛି । ପ୍ରଥମତଃ ଦଳ ଦେଖାଇବାକୁ ଚାହୁଁଛି, ଦୁଇ ନେତାଙ୍କ ମଧ୍ୟରେ ମନମାଳିନ୍ୟ ନାହିଁ । ସେହିପରି ପୂର୍ବରୁ ଆଲୋଚନା ହେଉଥିବା ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ବ୍ରହ୍ମଗିରି ଆସନରୁ ଲଢିବେ ଓ ବ୍ରହ୍ମଗିରିର ପୂର୍ବତନ ବିଧୟକ ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡୁଛି ।
![ପୁରୀରେ ବିଜେଡିର ଗୁପ୍ତ ବୈଠକ](https://etvbharatimages.akamaized.net/etvbharat/prod-images/20-03-2024/od-pur-04-bjdmeeting-avo-7205521_20032024160235_2003f_1710930755_153.jpg)
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀକ୍ଷେତ୍ର ପରେ ତୁଳସୀ କ୍ଷେତ୍ର; ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ବିଜେଡିର ଲକ୍ଷ୍ୟ
![ପୁରୀରେ ବିଜେଡିର ଗୁପ୍ତ ବୈଠକ](https://etvbharatimages.akamaized.net/etvbharat/prod-images/20-03-2024/od-pur-04-bjdmeeting-avo-7205521_20032024160235_2003f_1710930755_909.jpg)
ସେହିପରି ଚିଳିତ ଥର ପୁରୀ ସାଂସଦ ପିନାକୀ ମିଶ୍ର ନିର୍ବାଚନ ଲଢିବେନି ବୋଲି ସୂଚନା ଦେବା ପରେ ପୁରୀରୁ ବିଜେଡିର ସାଂସଦ ପ୍ରାର୍ଥୀ କିଏ ହେବ, ସେନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ କିଛିଦିନ ହେବ ଅରୂପ ପଟ୍ଟନାୟକ ପୁରୀରେ ଡେରା ପକାଇଥିବା ବେଳେ ଦଳ ତାଙ୍କୁ ପୁରୀରୁ ସାଂସଦ ପ୍ରାର୍ଥୀ କରିବା ନେଇ ଆଲୋଚନା ହେଉଛି । ଉକ୍ତ ବୈଠକରେ ଅରୂପ ପଟ୍ଟନାୟକଙ୍କ ଉପସ୍ଥିତି ପୁରୀ ଲୋକସଭା ଆସନରୁ ସେ ପ୍ରାର୍ଥୀ ହେଉଥିବା ନେଇ ଏକ ପ୍ରକାର ସଙ୍କେତ ଦେଇଛି । ତେବେ ବୈଠକ ସମ୍ପର୍କରେ ବିଜେଡିର କୌଣସି ନେତା ମୁହଁ ଖୋଲିନଥିବା ବେଳେ ବ୍ରହ୍ମଗିରି, ସତ୍ୟବାଦୀ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଡାକି ଏକ ବନ୍ଧୁ ମିଳନ ଦଳ କରିବା ସହ ଆଗାମୀ ନିର୍ବାଚନରେ ଉଭୟ ନେତାଙ୍କ ଆସନ ପରିବର୍ତ୍ତନ କରିବ ବୋଲି କୁହାଯାଉଛି । ସେହିପରି ଅରୂପ ପଟ୍ଟନାୟକ ଆଗାମୀ ନିର୍ବାଚନରେ ପୁରୀରୁ ବିଜେଡିର ସାଂସଦ ପ୍ରାର୍ଥୀ ହେଉଥିବା ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି ।
![ପୁରୀରେ ବିଜେଡିର ଗୁପ୍ତ ବୈଠକ](https://etvbharatimages.akamaized.net/etvbharat/prod-images/20-03-2024/od-pur-04-bjdmeeting-avo-7205521_20032024160235_2003f_1710930755_71.jpg)
ଇଟିଭି ଭାରତ, ପୁରୀ