ଭୁବନେଶ୍ବର: ପୂର୍ବତନ ସୂଚନା ପ୍ରସାରଣ ବିଭାଗର ମନ୍ତ୍ରୀଙ୍କର ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କ ଉପରକୁ ବିଜେଡି ନେତା କୁକୁର ଛାଡ଼ିଦେଇଥିବା ଅଭିଯୋଗ ହୋଇଛି । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ଆଜି ଏଭଳି ସାଂଘାତିକ ଅଭିଯୋଗ ଆଣିଛି ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ । ଏନେଇ ସମ୍ପୃକ୍ତ ଘରୋଇ ଚ୍ୟାନେଲ ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏତଲା ଦିଆଯାଇଛି ।
ସାମ୍ବାଦିକ ଦୁର୍ଗାଶିଷଙ୍କ ସୂଚନା ଅନୁସାରେ, ରାଜ୍ୟର ପ୍ରମୁଖ ଚର୍ଚ୍ଚିତ ଖବର ବବି ଦାସଙ୍କ ବଙ୍ଗଳା ସମ୍ପର୍କିତ ଖବର ପ୍ରସାରଣ ସମୟରେ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା ଚିନ୍ମୟୀ ସାହୁ । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନଙ୍କ କ୍ବାଟର ସୁରକ୍ଷା ଅନୁମତିକ୍ରମେ କ୍ବାଟର ଭିତରକୁ ଯାଇ ପାଖ କ୍ବାଟରରୁ ଭିଜୁଆଲ ନେବାବେଳେ ରଘୁନନ୍ଦନ ଦାସ ଧମକ ଦେଇଥିଲେ । କ୍ବାଟର ଭିତରକୁ କାହିଁକି ପ୍ରବେଶ କରିଛ କହି ବାହାରି ଯିବାକୁ କହିଥିଲେ । ଏପରିକି ତୁରନ୍ତ ବାହାର କହି ଦୁଇଟି କୁକୁରକୁ ଛାଡି ଦେଇ ସେଠାରୁ ତୁରନ୍ତ ଯିବାକୁ କ୍ବାଟର ଭିତରୁ ଧମକ ଦେଇଥିଲେ । ହେଲେ ସୁରକ୍ଷା କର୍ମୀଙ୍କ ଅନୁମତିରେ ପଶିଥିବା ସାମ୍ବାଦିକା କୁକୁରଙ୍କ ଭୟରେ ତଳେ ପଡିଯିବା ସହ ଭୟଭୀତ ହୋଇ ସେଠାରୁ ଆସିଥିଲେ । ତେବେ ତାଙ୍କର କ୍ୟାମେରାମ୍ୟାନ ଏଭଳି କାହିଁକି ଆଚରଣ କରୁଛନ୍ତି ପଚାରିବାରୁ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା ।
ତେବେ ବବି ଦାସ ସମ୍ପର୍କିତ ଖବର ପ୍ରସାରଣ କରାଯାଉଥିବାରୁ ଆକ୍ରୋଶମୂଳକ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ କରାଯାଇଛି । ତେବେ କାର୍ଯ୍ୟରତ ସାମ୍ବାଦିକାଙ୍କ ପ୍ରତି ଜଣେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପୂର୍ବତନ ବିଧାୟକଙ୍କ ଏଭଳି ଆଚରଣ ନେଇ ସାମ୍ବାଦିକ ମହଲରେ କଡ଼ା ସମାଲୋଚନା କରାଯାଇଛି । ଆଜି ଚିନ୍ମୟୀଙ୍କ ସହ ହୋଇଥିବା ବ୍ୟବହାର କାଲି ଆଉ କାହା ସହ ହୋଇପାରେ। ତେଣୁ ଏଭଳି ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ ବୋଲି କହି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାରେ ଅଭିଯୋଗ କରଯାଇଛି । ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ଭେଟିଛନ୍ତି ସାମ୍ବାଦିକ । ଯେପରି ଖବର ପ୍ରସାରଣଙ୍କୁ ନେଇ ଏପରି ଜଣେ ପୁରୁଖା ତଥା ପୂର୍ବତନ ସରକାରର ମନ୍ତ୍ରୀଙ୍କ ଏଭଳି ଆଚରଣ କଡ଼ା ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକମାନେ । ଖବର ପ୍ରସାରଣ କରୁଥିବାବେଳେ ଏଭଳି ବ୍ୟବହାର କରି ଖବର ଦାତା ଓ ତାଙ୍କ ଉପରେ ଏଭଳି ଚାପ ପକାଇବା ଏବଂ କାମକୁ ହୀନ ଦୃଷ୍ଟିରେ ଦେଖିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର