ବ୍ରହ୍ମପୁର: ମହାନଗର କମିଶନର ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ବିଜେଡି କର୍ପୋରେଟର । ପ୍ରାୟ ୬୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନକୁ ନେଇ ଉଠାଇଲେ ପ୍ରଶ୍ନ । ସହରର ସୈନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ ଚୁକ୍ତି ହୋଇଥିବା ରାମଲିଙ୍ଗେଶ୍ବର ପୋଖରୀର ଟ୍ରଷ୍ଟିକୁ ପ୍ରାୟ ୬୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି କର୍ପୋରେଟର । ଯାହାକୁ ନେଇ ୨୦ରୁ ଉର୍ଦ୍ଧ୍ବ ବିଜେଡି କର୍ପୋରେଟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ।
କାଉନସିଲ୍ ଅନୁମୋଦନ ନଥାଇ ଅର୍ଥ ପ୍ରଦାନକୁ ନେଇ ପ୍ରଶ୍ନ:
ବ୍ରହ୍ମପୁର ସହରର ଯେଉଁ କାର୍ଯ୍ୟ ହେଉ ନା କାହିଁକି ସେଥିରେ ମହାନଗର ନିଗମର କାଉନସିଲର ବୈଠକରେ ଆଲୋଚନା କରାଯାଇ ଅନୁମତି ନିଆଯାଇଥାଏ । ହେଲେ ମହାନଗର ନିଗମର କମିଶନର ପକ୍ଷରୁ ପୂର୍ବରୁ ହୋଇଥିବା ଚୁକ୍ତିନାମା ଅନୁଯାୟୀ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନକୁ ଗତ କିଛି ବର୍ଷ ଧରି ରହିଯାଇଥିବା ଅର୍ଥରାଶିକୁ ହଠାତ୍ ୬୨,୯୬,୯୭୫ ଟଙ୍କାର ଚେକ୍ ଆକାରରେ ପ୍ରଦାନ କରାଯିବାକୁ ନେଇ ଉଠିଛି ପ୍ରଶ୍ନବାଚୀ । ନିକଟରେ ନିଗମର ବୈଠକ ହୋଇଥିଲେ ମଧ୍ୟ ଏହି ବିଷୟ ଉଠାଯାଇନଥିବା ବେଳେ ହଠାତ୍ କାହାରିକୁ ନଜଣାଇ ଏହି ଚେକ୍ ପ୍ରଦାନକୁ କାଉନସିଲ ତରଫରୁ ବିରୋଧ କରାଯାଇଛି । ଯାହାକି ଆର୍ଥିକ ପ୍ରଲୋଭନରେ ପ୍ରଲୋଭିତ ହୋଇ ବିନା କାଉନ୍ସିଲ୍ ଅନୁମୋଦନ ନଥାଇ କିମ୍ବା ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ନଥାଇ ଗୋଟିଏ ଟ୍ରଷ୍ଟି ସଦସ୍ୟଙ୍କୁ ଏଭଳି ବଡଧରଣର ଅର୍ଥ ଟ.୬୨,୯୬,୯୭୫ ଟଙ୍କା (ଚେକ୍ ନଂ- ୧୦୧୫୩୪, ତା.୧୪.୧୧.୨୦୨୪ ରିଖ) ଦେବାଟା ବିଧି ବ୍ୟବସ୍ଥାର ବିରୁଦ୍ଧାଚରଣ କରିଥିବା କୁହାଯାଇଛି ।
ମେୟରଙ୍କୁ ନଜଣାଇ କର୍ପୋରେଟର ସିଧା ପହଞ୍ଚିଲେ ଜିଲ୍ଲାପାଳଙ୍କ ନିକଟରେ:
ଏନେଇ ବିଜେଡି କର୍ପୋରେଟରମାନେ ମେୟରଙ୍କୁ ଜଣାଇନଥିବା ଜଣାପଡ଼ିଛି । କର୍ପୋରେଟର ମାନେ ସିଧାସଳଖ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଯଦି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହାଲେ ବିଜେଡି କର୍ପୋରେଟମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ନିଗମର ଅନ୍ୟ ପ୍ରମୁଖ ବିଷୟକୁ ଉଠାଇଲେ:
ବ୍ରହ୍ମପୁର ସହରର ରାମଲିଙ୍ଗମ ପୋଖରୀର ଟ୍ରଷ୍ଟିକୁ ଚେକ୍ ପ୍ରଦାନକୁ ବିରୋଧ କରାଯିବା ସହିତ ନିଗମର ଅନ୍ୟ ପ୍ରମୁଖ ବିଷୟକୁ ଉପସ୍ଥାପନା କରିଛନ୍ତି କର୍ପୋରେଟର । ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ପ୍ରଦାନ କରାଯାଉ ନଥିବା ଅଭିଯୋଗ କରିଛନ୍ତି । କାଉନସିଲର ପ୍ରସ୍ତାବରେ ସହର ମଧ୍ୟରେ ରହିଥିବା ପୋଖରୀର ପୁର୍ନରୁଦ୍ଧାର କାର୍ଯ୍ୟାଦେଶ ମିଳିଥିଲା କିନ୍ତୁ ଦୀର୍ଘଦିନ ହେଲା କାରଣ ନଥାଇ କାର୍ଯ୍ୟ ସବୁ ଅଧୁରା ରହି ବନ୍ଦ ରହିଛି,ଏହା ପଛର ରହସ୍ୟ କ'ଣ ବୋଲି ପ୍ରଶ୍ନ କରିଛନ୍ତି କର୍ପୋରେଟର । ସେହିପରି ଲୋଚାପଡା ନିକଟ ବ୍ରଜନଗର ଠାରୁ ସିଦ୍ଧାର୍ଥ ନଗର ପର୍ଯ୍ୟନ୍ତ ରାସ୍ତା କାମ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିଲେ ମଧ୍ୟ କାହିଁକି କାର୍ଯ୍ୟ ଆରମ୍ଭ ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ଏମିତି କହିଲେ ମେୟର:
ଏନେଇ ମେୟର ସଂଘମିତ୍ରା ଦଳେଇ କହିଛନ୍ତି,"ଟ୍ରଷ୍ଟକୁ ଦିଆଯାଇଥିବା ୬୨ଲକ୍ଷ ୯୬ହଜାର ଟଙ୍କା ପୂର୍ବରୁ କାଉନସିଲ ବୈଠକରେ ଅନୁମୋଦନ ଅନୁସାରେ ପ୍ରଦାନ କରାଯାଇଛି । ପୂର୍ବ ଚୁକ୍ତିନାମା ପ୍ରକାରେ ଟ୍ରଷ୍ଟକୁ ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟତଃ ରାମଲିଙ୍ଗମ୍ ଟ୍ରଷ୍ଟି,ବିଏମସି ଓ ବିଡିଏ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଭିତ୍ତି କରି ରାମଲିଙ୍ଗମ ଟ୍ରଷ୍ଟକୁ ଦିଆଯାଇଛି । ଦୀର୍ଘ ବର୍ଷ ଧରି ଟ୍ରଷ୍ଟକୁ ଭଡା ଟଙ୍କା ଦିଆଯାଇନଥିଲା । ବର୍ତ୍ତମାନ ସେହି ଟଙ୍କା ଟ୍ରଷ୍ଟକୁ ଦିଆଯାଇଛି । ଏପରିକି ପୂର୍ବର କର୍ପୋରେସନ୍ ଏହାକୁ ସ୍ଵୀକୃତି ଦେଇଥିବା ବେଳେ ପୂର୍ବରୁ ଗୃହ ଅନୁମୋଦିତ କରିଦେଇଥିବା ଯୋଗୁଁ ଆଉ ବୈଠକରେ ପ୍ରସ୍ତାବ ପ୍ରଦାନ କରିବାର ଆବଶ୍ୟକତା ନଥିଲା । "
ଇଟିଭି ଭାରତ, ବ୍ରହ୍ମପୁର