କେନ୍ଦ୍ରାପଡା: ପ୍ରକୃତିର ଅନବତ୍ୟ ଅବଦାନ ହେନ୍ତାଳ ବଣ ବା ଲୁଣା ଜଙ୍ଗଲ । ବାତ୍ୟା ଆସୁ କି ବନ୍ୟା, କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଏହା ବଡ଼ ସୁରକ୍ଷା କବଚ । ଜନବସତି ଓ ସମୁଦ୍ର ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି । ଲମ୍ବା ଲମ୍ବା ବୃକ୍ଷରାଶି ମଣିଷ ତଥା ଜନବସତିକୁ ସୁରକ୍ଷା ଦେବା ସହ ଭିତରକନିକା ଜାତୀୟ ଉଦ୍ୟାନର ଅସଂଖ୍ୟ ଜୀବଜନ୍ତୁଙ୍କୁ ସୁରକ୍ଷିତ ବାସସ୍ଥାନ ଯୋଗାଇଛି । 1999 ମସିହା ମହାବାତ୍ୟା ହେଉ କି 'ହୁଡହୁଡ', 'ଫାଇଲିନ' ଓ ନିକଟରେ ଭିତରକନିକା-ଧାମରା ମଝିରେ ମାଡ଼ ହୋଇଥିବା ବାତ୍ୟା 'ଦାନା' ହେଉ, ଏହାର କରାଳ ଗ୍ରାସରୁ କେନ୍ଦ୍ରାପଡାବାସୀ ଏବଂ ଜନସାଧାରଣଙ୍କୁ ରକ୍ଷା କରି ଆଜିବି ଅଣ୍ଟା ସଳଖି ଛିଡା ହୋଇଛି ହେନ୍ତାଳ ବଣ ।
ଉପକୂଳର ସୁରକ୍ଷା କବଚ:
ଉପକୂଳ ସୁରକ୍ଷାରେ ହେନ୍ତାଳ ବଣର ରହିଛି ବଡ଼ ଭୂମିକା । ଜୈବ ବିବିଧତା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଲୁଣା ଜଙ୍ଗଲ ଗୁରୁ ଦାୟିତ୍ବ ବହନ କରୁଛି । ପୂର୍ବତଟ ବଙ୍ଗୋପସାଗର କୂଳରେ ବିସ୍ତ୍ରୃତ ବେଳାଭୂମି ପ୍ରାୟତଃ ୪୦-୫୦ କିମି ବ୍ୟାପୀ, ତା ଭିତରେ ରହିଛି ୨୫ରୁ କିଲୋମିଟର ପରିବ୍ୟାପ୍ତ ହେନ୍ତାଳ ବଣ । ଭିତରକନିକାର ଅସଂଖ୍ୟ ଜୀବଜନ୍ତୁମାନଙ୍କ ବାସସ୍ଥାନ ପାଲଟିଛି ହେନ୍ତାଳ ବଣ । ମତ୍ସ୍ୟଜୀବୀ ଏବଂ ନାବିକମାନେ ନିଜର କୌଳିକ ବୃତ୍ତି ପାଇଁ ଭିତରକନିକା ଉପରେ ନିର୍ଭର କରନ୍ତି ।
ମନେ ପଡ଼େ ମହାବାତ୍ୟା:
୧୯୯୯ ମହାବାତ୍ୟାରୁ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ସୁରକ୍ଷା ଦେଇଥିଲା ହେନ୍ତାଳ ବଣ । ଭିତରକନିକା ଛାତି ଉପରେ ତାଣ୍ଡବ ରଚି ହେନ୍ତାଳ ବଣକୁ ଧରାଶାୟୀ କରି ଦେଇଥିଲା ମହାବାତ୍ୟା । ଏହାପରେ ମଧ୍ୟ ଅନେକ ବାତ୍ୟାର ମାଡ ସହି ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି ହେନ୍ତାଳ । ସମୁଦ୍ର ଓ ଭୂ-ଭାଗକୁ ଛୁଇଁଥିବା ଉପକୂଳ ଜୋନର ସୁରକ୍ଷା ଆବଶ୍ୟକ ଥିବା ବେଳେ ବନ୍ୟା, ସାମୁଦ୍ରିକ ଝଡ଼ ସହିତ ସୁନାମୀ ଭୟ ସବୁବେଳେ ଉପକୂଳ ଜିଲ୍ଲାରେ ଲାଗି ରହିଛି ।
ହେନ୍ତାଳ ବଣରେ ଔଷଧୀୟ ବୃକ୍ଷ:
ରାଜନଗର ବାସିନ୍ଦା ଅକ୍ଷୟ ନାୟକଙ୍କ କହିବା କଥା, "ହେନ୍ତାଳ ବଣରେ ବିଭିନ୍ନ ଔଷଧୀୟ ବୃକ୍ଷ ରହିଛି । ଏହାର ଔଷଧୀୟ ଗୁଣ ଉପରେ ମଧ୍ୟ ଗବେଷଣା ହୋଇଛି । ହେନ୍ତାଳ ଗଛରୁ ସଂଗୃହୀତ ପଦାର୍ଥ ବ୍ୟବହାର ଦ୍ବାରା ବିଭିନ୍ନ ରୋଗ ଭଲ ହୋଇଥାଏ । କେବଳ ସେତିକି ନୁହେଁ ୧୯୭୧ ମସିହା ବାତ୍ୟା ସମୟରେ ରାଜନଗର ସମେତ ବିଭିନ୍ନ ଅଞ୍ଚଳରୁ ରକ୍ଷା କରିଥିଲା ଏହି ହେନ୍ତାଳ ବଣ । "
ଲୁଣା ଜଙ୍ଗଲ ଜରୁରୀ:
ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କୈଳାସ ମହାନ୍ତି କହିଛନ୍ତି ''ଗୋପାଳପୁରରୁ-ଦୀଘା ମଧ୍ୟରେ ପ୍ରତିବର୍ଷ ବାତ୍ୟା ଆସିଥାଏ । ଧନ ଜୀବନ ହାନୀ ହେବାର ଆଶଙ୍କା ଥାଏ । ବଙ୍ଗୋପସାଗର ଉପକୂଳରେ ଯେଉଁ ସମୁଦ୍ର ରହିଛି, ସେଠାରୁ ଯେଉଁ ଲହରୀ ଆସୁଛି କେବଳ ଏହାକୁ ହେନ୍ତାଳ ବଣ ରୋକି ପାରିବ । ଭିତରକନିକାରେ ଯେଉଁ ହେନ୍ତାଳ ବଣ କରାଯାଇଛି ତାହା ପର୍ଯ୍ୟାପ୍ତ ହୋଇନି । ରାଜ୍ୟ ଓ କେନ୍ଦ୍ର ସରକାର ପାଣ୍ଠି ଦେଉଛନ୍ତି, ତାକୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନକୁ ଦିଆଯାଉଛି । ଯେଉଁମାନେ କେବଳ ହେନ୍ତାଳ ବଣ ସୃଷ୍ଟି କରିବା ନାମରେ ଅର୍ଥ ଲୁଟ କରୁଛନ୍ତି ଏବଂ ଯେଉଁ ଫରେଷ୍ଟ ଡିଭିଜନ ରହିଛି ତତ୍ବାବଧାନରେ ତାହା ଠିକ ହୋଇପାରୁନି । ବିଶେଷ କରି ଗୋପାଳପୁରରୁ ଗୁପ୍ତି, ହଂଶୁଆରୁ ଗୁପ୍ତି ଏବଂ ଗୋପାଳପୁର-ଇଶ୍ବରପୁର ରାସ୍ତାରେ ଲୁଣା ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହା ହୋଇପାରିଲେ ହିଁ ସମୁଦ୍ରକୁ ରୋକାଯାଇ ପାରିବ । ଉଭୟ ଲୁଣା ଏବଂ ମଧୁର ଜଳରେ ହେନ୍ତାଳ ବଣ ସୃଷ୍ଟି କରିବା ଉଚିତ । ''
ଲୋକସଭାରେ ହେନ୍ତାଳ ଜଙ୍ଗଲ ସୁରକ୍ଷା ପ୍ରସଙ୍ଗ :-
ଲୋକସଭାରେ ଉଠିଲା ଭିତରକନିକା ଜାତୀୟ ଉଦ୍ୟାନ ଓ ହେନ୍ତାଳ ଜଙ୍ଗଲ ବିକାଶ ପ୍ରସଙ୍ଗ । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏହି ପ୍ରସଙ୍ଗ ଉଠାଇଥିଲେ । ଏହାର ଉତ୍ତର ରଖି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, ୨୦୨୦-୨୧ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପାଖରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭିତରକନିକାରେ ଥିବା ବନ୍ୟଜନ୍ତୁ ବାସସ୍ଥଳୀ ପାଇଁ ୫୧୨.୧୩ କୋଟି, ହେନ୍ତାଳ ବନ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ୪୮୭.୮୭ କୋଟି ଓ ECRICC ଯୋଜନାରେ ୧୬୪୩.୬୩ କୋଟି ଟଙ୍କା ବ୍ୟୟ କରାଯାଇଛି । ସେହିପରି ମିଷ୍ଟି ଯୋଜନାରେ ୨୦୨୩ ମସିହାରେ ୭୦.୨୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା କହିଥିଲେ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ।
- ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ଭିତରକନିକାରେ ବନ୍ୟଜନ୍ତୁ ବାସସ୍ଥଳୀ ପାଇଁ ୫୧୨.୧୩ କୋଟି ବ୍ୟୟ ବରାଦ
- ହେନ୍ତାଳ ବନ ସୁରକ୍ଷା ଓ ନୂଆ ଜଙ୍ଗଲ ସୃଷ୍ଟି ପାଇଁ ୪୮୭.୮୭ କୋଟି ବ୍ୟୟ ବରାଦ
- ECRICC ଯୋଜନାରେ ୧୬୪୩.୬୩ କୋଟି ଟଙ୍କା ବ୍ୟୟ ବରାଦ
- ମିଷ୍ଟି ଯୋଜନାରେ ୨୦୨୩ରେ ୭୦.୨୭ ଲକ୍ଷ ଟଙ୍କା ବ୍ୟୟ ବରାଦ
ଏହା ମଧ୍ୟ ପଢନ୍ତୁ-କାମ ଦେଉଛି ସଚେତନତା, କେନ୍ଦ୍ରାପଡାରେ ବୃଦ୍ଧି ପାଉଛି ହେନ୍ତାଳ ବଣ - କେନ୍ଦ୍ରାପଡାର ଲୁଣା ଜଙ୍ଗଲ
କଣ କହିଛି ରିପୋର୍ଟ ଏବଂ କଣ ହେଉଛି ଉପକୂଳ ଅଞ୍ଚଳ ପାଇଁ ସମସ୍ୟା:-
କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଓ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଉପକୂଳ ସୁରକ୍ଷା ପାଇଁ ଅନୁଦାନ ଦିଆଯିବା ଓ ଏହାସହିତ ଉକ୍ତ ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ ୧୯୮୬ରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ ମଧ୍ୟ ହୋଇଛି । ୧୯୯୧, ୨୦୧୧ ଓ ୨୦୧୯ ମସିହାରେ ଉପକୂଳ ପରିଚାଳନା ଜୋନ (ସିଆରଜେଡ-CRZ) ଚିହ୍ନଟ ହୋଇ ନୋଟିଫିକେସନ ହୋଇଛି । ଏହା ସତ୍ତ୍ବେ ଓଡିଶା ରାଜ୍ୟର କେନ୍ଦ୍ରାପଡା ସମେତ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ତଟାଞ୍ଚଳ ସୁରକ୍ଷିତ ନୁହେଁ ବୋଲି ୨୦୧୯-୨୦ରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା ସିଏଜି (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ ଇଣ୍ଡିଆ) ନିର୍ଦ୍ଦେଶକ ସଂଜୟ କୁମାର ଝାଙ୍କ ୨୦୧୫ରୁ ୨୦୨୦ ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ରିପୋର୍ଟରେ ରାଜ୍ୟରେ ବୃଦ୍ଧି ପାଉଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ନଥିବା କ୍ଷୋଭ ପ୍ରକାଶ କରାଯାଇଛି । ଅନୁଦାନ ଅର୍ଥ ଖର୍ଚ୍ଚ ସତ୍ତ୍ବେ ଏହାର ସୁଫଳ ମିଳୁ ନଥିବା ଉଲ୍ଲେଖ ହୋଇଛି । ଅପରପକ୍ଷରେ ଏହି ସିଏଜି ରିପୋର୍ଟ ପ୍ରକାଶ ଓ ଗଣମାଧ୍ୟମ ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା ।
- ଉପକୂଳ ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ୧୯୮୬ରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ
- ୧୯୯୧, ୨୦୧୧ ଓ ୨୦୧୯ରେ ଉପକୂଳ ପରିଚାଳନା ଜୋନ (CRZ) ଚିହ୍ନଟ ହୋଇ ନୋଟିଫିକେସନ
- କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ତଟାଞ୍ଚଳ ସୁରକ୍ଷିତ ନୁହେଁ ବୋଲି ୨୦୧୯-୨୦ରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା ସିଏଜି ନିର୍ଦ୍ଦେଶକଙ୍କ ୨୦୧୫ରୁ ୨୦୨୦ ରିପୋର୍ଟରେ ଉଲ୍ଲେଖ
![Bhitarkanika and Mangrove Forest development issues](https://etvbharatimages.akamaized.net/etvbharat/prod-images/13-12-2024/od-kpr-01-bhitarakanika-planning-kdp-7204459_13122024080209_1312f_1734057129_39.jpg)
ଓଡିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ (ଏନଆଇଓଟି-NIOT) ମଧ୍ୟରେ ଏକ ଏମଓୟୁ(MOU) ସ୍ୱାକ୍ଷରିତ ହୋଇଛି । ତତ୍କାଳୀନ ରାଜ୍ୟ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ ବିଜୟ କୁମାର ମିଶ୍ର ଓ ଏନଆଇଓଟି ନିର୍ଦ୍ଦେଶକ ଡ. ଜି. ଏ. ରାମଦାସ ଏହି ଏମଓୟୁରେ ସ୍ୱାକ୍ଷର କରାଯାଇଥିଲା । ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ର ତଟ ଓ ଲୁଣାବନ୍ଧର ସୁରକ୍ଷା ଦେବା କୁହାଯାଇଥିଲା । ତେବେ ସିଏଜି ରିପୋର୍ଟ ଅନୁଯାୟୀ, ତଟାଞ୍ଚଳରେ ଶିଳ୍ପାଞ୍ଚଳ ବିକଶିତ ହୋଇଥିବା ବେଳେ ଚିଙ୍ଗୁଡ଼ି ଘେରି ମଧ୍ୟ ବଢିଛି ଏବଂ ଜନସାଧାରଣଙ୍କ ବସବାସ ବହୁମାତ୍ରାରେ ବୃଦ୍ଧି ପାଇଛି । ଏଥିପାଇଁ ତଟବନ୍ଧ ଓ ପରିବେଶ ଅସୁରକ୍ଷିତ ହୋଇଛି ।
![Bhitarkanika and Mangrove Forest development issues](https://etvbharatimages.akamaized.net/etvbharat/prod-images/13-12-2024/od-kpr-01-bhitarakanika-planning-kdp-7204459_13122024080209_1312f_1734057129_618.jpg)
ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ କହିବା ହେଲା " ବାତ୍ୟା ଏବଂ ବନ୍ୟା ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପ୍ରଦାନ କରୁଛି ହେନ୍ତାଳ ବଣ । ଏହା ସହ ହିଣ୍ଟରଲ୍ୟାଣ୍ଡରେ ବନ୍ୟା ପାଣିର ଗତିରୋଧରେ ମୁଖ୍ୟ ଭୂମିକା ନେଇଥାଏ ଏହି ହେନ୍ତାଳ ବଣ । "
ଜିଓ ସିନ୍ଥେଟିକ ୱାଲରେ ଲାଗିଥିଲା ନିଆଁ:
୨୦୧୬ ରୁ ୨୦୧୮ ମସିହା ମଧ୍ୟରେ ରାଜନଗର ମ୍ୟାନଗ୍ରୋଭ ଫରେଷ୍ଟ ଡିଭିଜନ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ୨୨୮ ହେକ୍ଟର ଜମିରେ ହେନ୍ତାଳ ବଣ ସୃଷ୍ଟି ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ତଦନ୍ତ ସମୟରେ ଶୂନରୁ ୩୫ ପ୍ରତିଶତ ଗଛ ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠଠାରେ ୩୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଜିଓ ସିନ୍ଥେଟିକ ବନ୍ଧ ନିର୍ମାଣ ହୋଇଥିଲା । ମାତ୍ର ଏହି ୱାଲର ଗାବିୟନ ବକ୍ସରୁ ପଥର ବାହାରି ସମୁଦ୍ର ମଧ୍ୟକୁ ଚାଲିଯାଉଥିବା ଅତୀତରେ ଦେଖାଯାଇଛି । ୨୦୧୮ ମସିହାରେ ଏହି ଟ୍ୟୁବୱାଲର ସୁରକ୍ଷା ପାଇଁ ରାଜ୍ୟ ପାଣ୍ଠିରୁ ୪ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହାର ତଦନ୍ତ ସମୟରେ ପେଣ୍ଠ ତଟାଞ୍ଚଳ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ୨୦୧୯ ମସିହା ଅଗଷ୍ଟରେ ଟ୍ୟୁବୱାଲରେ ନିଆଁ ଲାଗିଥିବାରୁ ଅଧିକ ୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହା ବ୍ୟତିତ ତଟବନ୍ଧ ସୁରକ୍ଷାକୁ ନେଇ ସିଏଜି ରିପୋର୍ଟ ବହୁ ପ୍ରଶ୍ନ ଉଠାଯାଇଛି । ସୂଚନାଯୋଗ୍ୟ, କେନ୍ଦ୍ରପଡା ଜିଲ୍ଲାରେ ମୋଟ "୭୪୪.୩୭" କି.ମିର ଲୁଣା ତଟବନ୍ଧ ଅଛି । ଏହି ବନ୍ଧ ଅସୁରକ୍ଷିତ ହୋଇପଡ଼ିଥିବାରୁ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାର ୪୫୫ ଗାଁରେ ସମୁଦ୍ର ଓ ନଦୀ ଜଳ ପଶି ଆସୁଛି । ଏଥିସହିତ ଏହି ଜିଲାରେ ଉଭୟ ରାଜନଗର ଓ ମହାକାଳପଡ଼ା ମୋଟ ୬୪ଟି ଗ୍ରାମକୁ ସୁନାମୀ ପ୍ରବଣ ବୋଲି ଚିହ୍ନଟ କରାଯାଇଥିଲା ।
![Bhitarkanika and Mangrove Forest development issues](https://etvbharatimages.akamaized.net/etvbharat/prod-images/13-12-2024/od-kpr-01-bhitarakanika-planning-kdp-7204459_13122024080209_1312f_1734057129_263.jpg)
- ରାଜନଗର ପେଣ୍ଠଠାରେ ୩୨ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ଜିଓ ସିନ୍ଥେଟିକ ବନ୍ଧ ନିର୍ମାଣ
- ୨୦୧୮ରେ ଟ୍ୟୁବ୍ ୱାଲ ସୁରକ୍ଷା ପାଇଁ ରାଜ୍ୟ ପାଣ୍ଠିରୁ ୪ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ
- ୨୦୧୯ ଅଗଷ୍ଟରେ ଟ୍ୟୁବ୍ ୱାଲରେ ନିଆଁ ଲାଗିଯିବାରୁ ଅଧିକ ୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ
- କେନ୍ଦ୍ରପଡ଼ା ଜିଲ୍ଲାରେ ମୋଟ ୭୪୪.୩୭ କିଲୋମିଟର ଲୁଣା ତଟ ବନ୍ଧ
- ଲୁଣା ବନ୍ଧ ଅସୁରକ୍ଷିତ ଯୋଗୁଁ ୪୫୫ ଗାଁରେ ସମୁଦ୍ର ଓ ନଦୀ ଜଳ ପ୍ରବେଶ କରୁଛି
- ରାଜନଗର ଓ ମହାକାଳପଡ଼ା ବ୍ଲକର ୬୪ ଗାଁ ସୁନାମୀ ପ୍ରବଣ ଚିହ୍ନଟ
ଭିତରକନିକା ପାଇଁ ପୂର୍ବ ସରକାରରେ କଣ ଥିଲା ମାଷ୍ଟର ପ୍ଲାନ ?:-
ବଦଳି ଥାଆନ୍ତା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ରୂପରେଖ । ଏଥିପାଇଁ ତତ୍କାଳୀନ ରାଜ୍ୟ ସରକାର ମାଷ୍ଟର ପ୍ଲାନ ପ୍ରସ୍ତୁତ ମଧ୍ୟ କରିଥିଲେ । ଭିତରକନିକା ଜାତୀୟ ଉଦ୍ୟାନର ବିକାଶ ପାଇଁ ସେତେବେଳର ସରକାର ପ୍ରାୟ ୫୮ କୋଟି ଟଙ୍କା ମଞ୍ଜୁର କରିଥିଲେ ଓ ଏଥିରେ ଆଧୁନିକ ଜେଟି ନିର୍ମାଣ ହେବା ସହ ସୂଚନା କେନ୍ଦ୍ର, ତୋରଣ, ୱାଚ ଟାୱାର, ପର୍ଯ୍ୟଟକ ମାନଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ମାଷ୍ଟର ପ୍ଲାନରେ ଦର୍ଶା ଯାଇଥିଲା । ଆଉ ପ୍ରସ୍ତାବିତ ପ୍ରକଳ୍ପର ଥ୍ରୀ-ଡ଼ି ଇମେଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ୨୦୨୩ ମସିହା ମେ ମାସ ୨୮ ତାରିଖରେ ଜାରି କରାଯାଇଥିଲା । ରାଜ୍ୟ ପର୍ଯ୍ୟଟନ ବିଭାଗ ୫୮ କୋଟି ୫୮ଲକ୍ଷ ୫୩ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏହି ମଞ୍ଜୁର ଅର୍ଥରେ 'ଡାଙ୍ଗମାଳ'ରେ ମୁଖ୍ୟ ତୋରଣ ନିର୍ମାଣ କରାଯିବ । ଏହି ପ୍ରବେଶ ପଥରେ ଏକ ୩ ମହଲା ବିଶିଷ୍ଟ ସୂଚନା କେନ୍ଦ୍ରର ପରିକଳ୍ପନା କରାଯାଇଥିଲା । ଏହି କେନ୍ଦ୍ରରେ ଥିଏଟର, ଆକ୍ୱାରିଅମ, ବିଶ୍ରାମ ଗୃହ ସମେତ ପର୍ଯ୍ୟଟକମାନଙ୍କ ପାଇଁ ପାର୍କ ବ୍ୟବସ୍ଥା ମଧ୍ୟ ରହିବା ପାଇଁ ଚିତ୍ରରେ ଗୋଲାପୀ ସ୍ୱପ୍ନ ଦେଖା ଯାଇଥିଲା । ସେହିପରି ଡାଙ୍ଗମାଳରେ ଏକ ୱାଚ୍ ଟାୱାର ନିର୍ମାଣ ହେବା ସହ ଗୁପ୍ତି, ଖୋଳା, ଜୟନଗର, ଡାଙ୍ଗମାଳ ଓ ଚାନ୍ଦବାଲିରେ ପର୍ଯ୍ୟଟକମାନଙ୍କ ପାଇଁ ଭାସମାନ ଜେଟି ରଖାଯିବାର ବ୍ୟବସ୍ଥା କରାଯାଇଥିଲା । ଜେଟି ନିର୍ମାଣରେ ୩୦ ଲକ୍ଷ, ପ୍ଲାଜା ଓ ପାର୍କ ନିର୍ମାଣ ପାଇଁ ୩ କୋଟି ୧୫ ଲକ୍ଷ ୪୩ ହଜାର, ଗୁପ୍ତି ଠାରେ ଜେଟି ନିର୍ମାଣ ପାଇଁ ୯ କୋଟି ୨୩ ଲକ୍ଷ ୭୪ ହଜାର, ଡାଙ୍ଗମାଳ ଠାରେ ଵ୍ୟାଖ୍ୟାନ କେନ୍ଦ୍ର ପାଇଁ ୧୪କୋଟି ୩୮ ଲକ୍ଷ ୪୪ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା, ଯାହାକି ଏବେ ସରକାରୀ ନାଲିଫିତା ତଳେ ରହିଥିବା ସନ୍ଦେହ ସୃଷ୍ଟି କରିଛି।
![Bhitarkanika and Mangrove Forest development issues](https://etvbharatimages.akamaized.net/etvbharat/prod-images/13-12-2024/od-kpr-01-bhitarakanika-planning-kdp-7204459_13122024080209_1312f_1734057129_1008.jpg)
ହେନ୍ତାଳ ବଣ ସୃଷ୍ଟି ପାଇଁ ଜମିଦାନ କରୁଥିବା ଲୋକଙ୍କ ମ୍ୟାନଗ୍ରୁଭ ମିତ୍ର ଯୋଜନାରେ ଅନ୍ତର୍ଭୁକ୍ତ:
ଉପକୂଳରେ ବସବାସ କରୁଥିବା ଲୋକମାନଙ୍କ ଚାଷ ଜମି ସମୁଦ୍ର ଗର୍ଭରେ ଲୀନ ହେଉଥିବା ଦେଖି ସ୍ଥାନୀୟ ଲୋକେ ସେଠାରେ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବା ପାଇଁ ବନବିଭାଗ ସହ ଯୋଗାଯୋଗ କରିଥିଲେ । ତେବେ ଅଦ୍ୟାବଧି ପ୍ରାୟ ୩୫ ଜଣ ବ୍ୟକ୍ତି ୪୫ ଏକର ଜମିକୁ ସରକାରଙ୍କୁ ଦାନ କରି ସେଠାରେ ହେନ୍ତାଳ ଜଙ୍ଗଲ ସୃଷ୍ଟି କରି ମ୍ୟାନଗ୍ରୁଭ ମିତ୍ର ଭାବେ ସମ୍ମାନିତ ହୋଇଛନ୍ତି ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।
![Bhitarkanika and Mangrove Forest development issues](https://etvbharatimages.akamaized.net/etvbharat/prod-images/13-12-2024/od-kpr-01-bhitarakanika-planning-kdp-7204459_13122024080209_1312f_1734057129_76.jpg)
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ